ବାରିପଦା : ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପୁରୁଷ ହକି ଚମ୍ପିୟାନସିପ-୨୦୨୩ ରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଦଳ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି । ମୟୂରଭଞ୍ଜ ହକି ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଡିଗ୍ରୀ କଲେଜ, ଖୁଣ୍ଟା ଡିଗ୍ରୀ କଲେଜ ଓ ସରକାରୀ ଏସଏସଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଖେଳାଳି ଚୟନ କରାଯାଇଛି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ଜଣାଇଛନ୍ତି । ଚାନ୍ଦୁଆ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ତଥା କୋଚ ବୀର ସିଂ ମାର୍ଣ୍ଡି ଓ ମ୍ୟାନେଜର ତ୍ରିନାଥ ବୈଠାଙ୍କ ନେତୃତ୍ୱରେ ମୟୂରଭଞ୍ଜ ଦଳରେ ସପନ ସିଂ (ଅଧିନାୟକ), ସୂର୍ଯ୍ୟକାନ୍ତ ହେମ୍ବ୍ରମ (ଉପଅଧିନାୟକ), ଶିବ ବିନ୍ଧାଣି, ସୁକଲାଲ ମୁର୍ମୁ, ସମ୍ବିତ କୁମାର ଖିଲାର, ସନତ କୁମାର ବାସ୍କେ, ଦେବାଶିଷ ହେମ୍ବ୍ରମ, ବିଷ୍ଣୁ ସୋରେନ, ଦାସମତ ହାଁସଦା, ବାବୁଛୁଆ ପାତ୍ର, ଜୟରାମ ସୋରେନ, ପଞ୍ଚୁ କିସ୍କୁ, ହରି ମାର୍ଣ୍ଡି, ସୁଶାନ୍ତ ସୋରେନ, ଭୀମାର୍ଜୁନ ଟୁଡୁ ଓ ମାଣିକରାମ ମୁର୍ମୁ ପ୍ରମୁଖ ସାମିଲ ଅଛନ୍ତି । ବାରିପଦା ଡିଗ୍ରୀ କଲେଜର କ୍ରୀଡା ଶିକ୍ଷକ ତାପସ କୁମାର ସାମଲ ଓ ଖୁଣ୍ଟା ଡିଗ୍ରୀ କଲେଜର କ୍ରୀଡା ଶିକ୍ଷକ କିଶୋର କୁମାର ଦାଶ ଖେଳାଳି ଚୟନରେ ସହାୟତା ପ୍ରଦାନ କରିଥିଲେ । ଜିଲ୍ଲା ହକି ଏସୋସିଏସନର ସଭାପତି ତଥା ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଖେଳାଳୀ ମାନଙ୍କୁ ଶୁଭକାମନା ଜଣାଇଛନ୍ତି । ମୟୂରଭଞ୍ଜ ତାର ପ୍ରଥମ ମ୍ୟାଚ ଏସଏମଏସ ହକି ଏକାଡେମୀ ସହ ଖେଳିବ ।
