ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଫିଲ୍ଡ ଅଧ୍ୟୟନ ଏବଂ ଅନୁସନ୍ଧାନ କାର୍ଯ୍ୟକ୍ରମରେ ୯୮ତମ ବ୍ୟାଚ୍ ଫାଉଣ୍ଡେସନ୍ ପାଠ୍ୟକ୍ରମରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ର ୧୩ଜଣ ନୂତନ ଶିକ୍ଷାନବିସ ଯୋଗ ଦେଇଥିଲେ । ଏହି ଅବସରରେ ଓସ୍ୱାନ ହଲ ଠାରେ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ଏହି ନବ ନିଯୁକ୍ତ ଆଇଏଏସ ଶିକ୍ଷାନବିସ ମାନଙ୍କୁ ସ୍ୱାଗତ କରି ଜିଲ୍ଲା ପରିଷଦ, ସ୍ୱାସ୍ଥ୍ୟ, କୃଷି ଜଳସେଚନ, ଶିକ୍ଷା, ମଙ୍ଗଳ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସମାଜ ମଙ୍ଗଳ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଇତ୍ୟାଦି ବିଭାଗର କାର୍ଯ୍ୟଧାରା ଏବଂ ଏହି ବିଭାଗ ଅନ୍ତର୍ଗତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପ ଗୁଡିକ ସମ୍ଭନ୍ଧରେ ଅବଗତ କରାଇବା ସହିତ ରାଜ୍ୟସରକାରଙ୍କ ଅନ୍ୟାନ୍ୟ ବିଭାଗର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ । ସୂଚନା ଥାଉକି, ଏହି ନୂତନ ଆଇଏସ ଶିକ୍ଷାନବିସ ମାନଙ୍କ କ୍ଷେତ୍ର ଅଧ୍ୟୟନ ଓ ଗବେଷଣା ନିମନ୍ତେ ଅଙ୍ଗାରପଦା ଏବଂ ଝଗଡା ନାମକ ଦୁଇଟି ଗ୍ରାମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଯେଉଁଠାରେ ଏହି ନୂତନ ଆଇଏଏସ ଶିକ୍ଷାନବିସ ମାନେ ସ୍ଥିତି ଅନୁଧ୍ୟାନ କରି ରାଜ୍ୟସରକାରଙ୍କର ବହୁମୁଖି ପ୍ରଶାସନିକ ବ୍ୟବସ୍ଥା ବିଷୟରେ ଜାଣିବାକୁ ପାଇବେ । ଭୀରାଗଡମ୍ ଲକ୍ଷ୍ମୀ ସୁଜି, ବରୁଣ ଯାଦବ, ଶୁଭମ୍ ସିଂ ଠାକୁର, ଗରିମା ଲୋହିଆ, ରାକେଶ କୁମାର ମୀନା, ପ୍ରବୀଣ କୁମାର ନିଗମ, ନିଧି ଅଙ୍ଗାରପଦା ଗ୍ରାମକୁ କ୍ଷେତ୍ର ଅଧ୍ୟୟନ ପାଇଁ ଯିବାକୁଥିବା ବେଳେ, ସ୍ୱପ୍ନୀଲ ବାଗଲ, ଅନନ୍ୟା ସମିଅର୍ା, ଗହନା ନଭ୍ୟା ଜେମସ, ପ୍ରଦୁ୍ୟମ୍ନ ସିଂ ଯାଦବ, ହର୍ଷ ବର୍ଦ୍ଧନ ଓ ମହିତ ଗୁପ୍ତା କ୍ଷେତ୍ର ଅଧ୍ୟୟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜଗଡା ଗ୍ରାମକୁ ଯିବେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀ କାନ୍ତ ସ୍ୱାଇଁ, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ମହାନ୍ତି, ବାରିପଦା ପିଏଆଇଟିଡିଏ ରାମ ଚନ୍ଦ୍ର ସୋରେନ, ମୟୂରଭଞ୍ଜ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ପ୍ରସାଦ ରଞ୍ଜନ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୁ୍ୟମ୍ନ କୁମାର ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ଡେପୁଟି କଲେକ୍ଟର (ସନ୍ଥାପନା) ପ୍ରମିଳା ମଲିକ, ଓରମାସର ଡେପୁଟି ସିଇଓ ବିମାନ ମଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନପୂର୍ଣ୍ଣା ସିଙ୍କୁ, ଜିଲ୍ଲା ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।