Odisha news

ଯଶିପୁରରୁ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୩୩/୧୧ କେଭି ବିଦୁ୍ୟତ୍ ଖୁଣ୍ଟ ଚୋରି ଘଟଣାରେ ୮ ଗିରଫ

0

ବାରିପଦା,  : ବହୁ ଚର୍ଚ୍ଚିତ ଦୁଇ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ୩୩/୧୧କେଭି ବିଦୁ୍ୟତ୍ ଖୁଣ୍ଟ ଚୋରି ଘଟଣାରେ ଯଶିପୁର ପୋଲିସକୁ ମିଳିଛି ସଫଳତା । ଯଶିପରୁ ଥାନା ଅଧିକାରୀ ପଞ୍ଚାନନ ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରି ଚୋରି ଘଟଣାରେ ଜଡିତ ଥିବା ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହିତ ଏକ ମିନିଟ୍ରକ୍, କଟର ମେସିନ ଓ ଚୋରି ବିଦୁ୍ୟତ୍ ଖୁଣ୍ଟ ଜବତ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରିର ଗୋପୀନାଥ ସେଠୀ(୨୨), ତପନ ଦାସ(୩୫), ଦୀପକ ବେରା(୨୮), ବରଗଡିଆ ଗ୍ରାମର ସୁଶାନ୍ତ ମଲ୍ଲିକ(୨୧), ତହରପୁରର କାହ୍ନୁ ଚରଣ ସେଠୀ(୨୮), ଦାନଗଦିରେ ରହୁଥିବା ମହାରାଷ୍ଟ୍ରର ବାଲସ୍ୱାମୀ ଅଙ୍ଗାଡି(୪୭), ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ସବରପୁରର ସଲାମତ ଖାନ୍(୨୫) ଓ ବାଦାମପାହାଡ ଥାନା ଅନ୍ତର୍ଗତ ବାସିଳା ଗ୍ରାମର ଲକ୍ଷ୍ମଣ ହାଁସଦାଃ(୩୬) । ଚୋରମାନେ ସୋମବାର ରାତିରେ ଯଶିପୁର ଥାନା ଇଲାକାରୁ ୬ଟି ବିଦୁ୍ୟତ୍ ଖୁଣ୍ଟ କାଟି ଓଡି-୦୪ଟି-୧୧୯୬ ନମ୍ବର ବିଶିଷ୍ଟ ମିନିଟ୍ରକ୍ ଯୋଗେ ଯାଜପୁର ରୋଡ ନେଉଥିବା ସୂଚନା ପାଇ ଯଶିପୁର ଥାନା ଅଧିକାରୀ ଶ୍ରୀ ମହାନ୍ତି ଚଢଉ କରିଥିଲେ । ଟ୍ରକରେ ଥିବା ୪ଜଣଙ୍କୁ ଥାନାକୁ ଆଣି ପଚରାଉଚରା ଉଚରା କରିବା ପରେ ପୁରା ଗ୍ୟାଙ୍ଗ ଧରାପଡିଥିଲେ । ଏମାନେ ଯଶିପୁର ସମେତ, ରରୁଆଁ, ଠାକୁରମୁଣ୍ଡା, ମହୁଲଡିହା ଓ କେନ୍ଦୁଝରର ପାଟଣା ଥାନା ଅଞ୍ଚଳରୁ କୋଟି କୋଟି ଟଙ୍କାର ବିଦୁ୍ୟତ୍ ଖୁଣ୍ଟ କାଟି ଚୋରି କରିଥିବା ଅଭିଯୋଗ କରାଯାଇଥିଲା । ବିଦୁ୍ୟତ୍ ଖୁଣ୍ଟ ଗୁଡିକ ଟ୍ରକ ବଡି ନିର୍ମାଣ ପାଇଁ ଯାଜପୁର ରୋଡ ଗ୍ୟାରେଜରେ ବିକ୍ରି କରିଥାନ୍ତି । ମୟୂରଭଞ୍ଜ ଜିଲ୍ଲାରେ ସମ୍ପ୍ରତି ୩୩/୧୧କେଭି ଗ୍ରୀଡ ପ୍ରତିଷ୍ଠା ପାଇଁ କେନ୍ଦୁଜିଆଣୀ ଓ ଗୋଧିବସା ଠାରେ ନିର୍ମାଣାଧୀନ ପ୍ରକଳ୍ପରୁ ଚୋରମାନେ ୨କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୭୬ଟି ଏଭଳି ବିଦୁ୍ୟତ୍ ଖୁଣ୍ଟ କାଟି ଚୋରି କରି ନେଇଛନ୍ତି । ନିର୍ମାଣକାରୀ ସଂସ୍ଥା ପକ୍ଷରୁ ସହକାରୀ ପରିଚାଳକ ପୂର୍ବରୁ ଠାକୁରମୁଣ୍ଡା ଓ ଯଶିପୁର ଥାନାରେ ଅଭିଯୋଗ କରିବା ସହିତ ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ଜଣାଇଥିଲେ ।

Leave A Reply