ବାରିପଦା : ଦୈନଦିନ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ଓ ଜିଏସଟି ଅନ୍ତର୍ଭୁକ୍ତ କରିଥିବାରୁ ଆଜି ଆମ୍ ଆଦମୀ ପାର୍ଟି ମୟୂରଭଞ୍ଜ କର୍ମୀ ପକ୍ଷରୁ ପ୍ରତିବାଦ କରାଯାଇଛି । ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ନିଦେ୍ର୍ଦଶକ୍ରମେ ଓ ପୂର୍ବତନ ବାରିପଦା ଆପ୍ ଚେୟାରମେନ ପ୍ରାର୍ଥୀ ବିଶ୍ୱବିଜୟୀ ପଣ୍ଡା ଏବଂ ସତ୍ୟ ସୁନ୍ଦର ଦେଙ୍କ ନେତୃତ୍ୱରେ ଆରମ୍ଭ ହେଇଅଛି ପ୍ରତିବାଦ ଯାତ୍ରା । ଷ୍ଟେସନ୍ ବଜାର ହାଟ ଠାରୁ ଆରମ୍ଭ ହୋଇ ସମଗ୍ର ଜିଲ୍ଲାର ହାଟ ଓ ଦୋକାନ ବଜାରକୁ ଜାଇ ଜିଏସଟି ପ୍ରତ୍ୟାହାର ପାଇଁ ଦସ୍ତଖତ ସଂଗ୍ରହ କରାଯାଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ଦରଦାମ ନିୟନ୍ତ୍ରଣରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଫଳ ହୋଇଛନ୍ତି । କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭଣ୍ଡିବାରେ ଲାଗିଛନ୍ତି । ସମସ୍ତ ମୟୂରଭଞ୍ଜିଆ ମାନଙ୍କର ଦୈନନ୍ଦିନ ଏବଂ ପ୍ରିୟ ଖାଦ୍ୟ ହେଉଛି ମୁଢ଼ି । ମୟୂରଭଞ୍ଜ ହେଉଛି ଏକ ଆଦିବାସୀ ଜିଲ୍ଲା । ଏଠାରେ ନା ଅଛି କୌଣସି ଶିଳ୍ପ କାରଖାନା ନା ଅଛି କୌଣସି ବଡ଼ ଉଦ୍ୟୋଗ ।
ମୟୂରଭଞ୍ଜ ଅଧିକାଂଶ ଲୋକ ମାନେ ଦିନ ମଜୁରୀ କାମ କରନ୍ତି ଅଥବା କୃଷି କାମ କରନ୍ତି । ଆଗରୁ ଲୋକେ ଗାଁ ମାନଙ୍କରେ ଘରେ ମୁଢ଼ି ଭାଜୁ ଥିଲେ ଏବଂ ଢେଙ୍କି କୁଟା ଚୁଡ଼ା ବାହାର କରୁଥିଲେ । ବର୍ତ୍ତମାନ ସମୟରେ ଗାଁ ମାନଙ୍କରେ ନା ମିଳୁଛି ଦେଶୀ ମୁଢି ନା ମିଳୁଛି ଢେଙ୍କି କୁଟା ଚୁଡ଼ା । ବର୍ତ୍ତମାନ ସମୟରେ ମୁଢି ବସ୍ଥା ରେ ବିକ୍ରି ହୁଏ । ଏଠାରେ ପ୍ରତିଦିନ ସକାଳ କିମ୍ବା ସନ୍ଧ୍ୟାରେ ମୁଢ଼ି ଖାଇଥାନ୍ତି । ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମୁଢ଼ି ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଦୁଃଖର ବିଷୟ ବିଭିନ୍ନ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କା ଛାଡ କରିଥିବାବେଳେ ଗରିବର ମୁଢି ଚୁଡ଼ା ଗୁଡ଼ ଉପରେ ଜିଏସଟି ଅନ୍ତର୍ଭୁକ୍ତ କରୁଛନ୍ତି । ଆଗକୁ ଯଦି କେନ୍ଦ୍ର ସରକାର ମୁଢି, ଚୁଡ଼ା, ଗୁଡ଼ ଉପରୁ ଜିଏସଟି ନହଟାନ୍ତି କିମ୍ବା ଗ୍ୟାସ ଦର କମ୍ ନକରନ୍ତି, ତେବେ ଆମ୍ ଆଦମୀ ପାର୍ଟି, ମୟୂରଭଞ୍ଜ ପକ୍ଷରୁ ଏହି ବିରୋଧକୁ ଜୋରଦାର କରାଯିବ ବୋଲି ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି ।
