ବାରିପଦା : ଆଜି ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟିକ ୩୨୬୨ର ଗଭର୍ଣ୍ଣର ରୋଟାରିଆନ ପ୍ରଭୂଦତ୍ତ ସୁବୁଦ୍ଧିଙ୍କ ସଦୟ ଉପସ୍ଥିତିରେ ବାରିପଦା ରୋଟାରୀ କ୍ଲବଦ୍ୱାରା ଚାରିଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କ୍ଲବର ପ୍ରାୟୋଜିତ ୫୧ଟି ରୋଟାରୀ କମ୍ୟୁନିଟି କର୍ପ୍ସ ଏବଂ ୧୫ଟି ଇଣ୍ଟ୍ରାକ୍ଟ କ୍ଲବକୁ ସନନ୍ଦ ପ୍ରଦାନ କରିବା ନିମନ୍ତେ କ୍ଲବର ସଭାପତି ରୋଟାରିଆନ ରାକେଶ ସିଂଙ୍କ ପୌରାହିତ୍ୟରେ ବାରିପଦା ରୋଟାରୀ ଭବନରେ ଏକ ସଭାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ରୋଟାରୀ ଗଭର୍ଣ୍ଣର ଏବଂ ଅନ୍ୟତମ ସମ୍ମାନନୀୟ ଅତିଥି ଜୋନ ଚେୟାରମ୍ୟାନ ରୋଟାରିଆନ ସୁରେଶ ସାହୁ ଓ ରୋଟାରିଆନ ସୁକୁମାର ରଣାଙ୍କ ଦ୍ୱାରା ଆରସିସି ଏବଂ ଇଣ୍ଟ୍ରାକ୍ଟକ୍ଲବ ଗୁଡିକୁ ସନନ୍ଦ ପ୍ରଦାନ କରାଯାଇଥିଲା । ଉପସ୍ଥିତ ପ୍ରତିନିଧି ଓ ସଦସ୍ୟମାନଙ୍କୁ ମୁଖ୍ୟଅତିଥି, ସମ୍ମାନନୀୟ ଅତିଥିମାନଙ୍କ ସହିତ କ୍ଲବର ଆରସିସି ଅଧ୍ୟକ୍ଷ ରୋଟାରିଆନ ତିମିର ଘୋଷ,ସମ୍ପାଦକ ଜ୍ୟୋତିରଞ୍ଜନ ସାହୁ ଏବଂ ରୋଟାରିଆନ ବିଭୂପ୍ରସାଦ ଦାସ, ରୋଟାରିଆନ ସନ୍ଦୀପ କୁମାର ଚାନ୍ଦ, ରୋଟାରିଆନ ସୁବାଷ ଚନ୍ଦ୍ର ସାହୁ ପ୍ରଭୃତି କ୍ଲବର ପ୍ରାକ୍ତନ ସଭାପତିବୃନ୍ଦ ସେମାନଙ୍କର ଉଦବୋଧନ ମାଧ୍ୟମରେ ରୋଟାରୀ ଇଣ୍ଟରନ୍ୟାସନାଲ, ଆରସିସି ଏବଂ ଇଣ୍ଟ୍ରାକ୍ଟ କ୍ଲବର ଆଭିମୁଖ୍ୟ ଓ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । ପ୍ରାତଃ ସମୟରେ ଦିଗିସାହି ଆରସିସିର ସଦସ୍ୟ ଓ କ୍ଲବର ସଦସ୍ୟ ମାନଙ୍କ ଦ୍ୱାରା ଏସିଇଏଫ ସୁମିତ କୁମାର କର ଓ ରେଞ୍ଜ ଅଫିସର ଲକ୍ଷ୍ମୀଧର ବେହେରାଙ୍କ ଉପସ୍ଥିତିରେ ୬୦୦ ଚାରାରୋପଣ କରାଯାଇଥିଲା । ସେହିପରି ଶିରିଶବଣୀ ସ୍ଥିତ ଏସଭିଏମ ବିଦ୍ୟାଳୟରେ ଜୀବନଶୈଳୀ ଏବଂ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ, ବାଙ୍ଗରିପୋଷୀରେ ନାରୀମାନଙ୍କ ମାସିକ ଋତୁଜନିତ ସ୍ୱାସ୍ଥ୍ୟ ଓ ପରିଷ୍କାରପରିଚ୍ଛନତା ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ରୋଟାରିଆନ ଉଷା ଶତପଥି, ରୋଟାରିଆନ ବୀଣାପାଣି ଦାଶ, ରୋଟାରିଆନ ପୁଷ୍ପା ପାତ୍ର ଏବଂ ସିଡିପିଓ ମିନତୀ ଦାଶ ପ୍ରଭୃତି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବାରିପଦା ରୋଟାରୀ ଓ ରୋଟ୍ରାକ୍ଟ କ୍ଲବର ସଦସ୍ୟଗଣ ସାମୂହିକ ଉଦ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମକୁ ଖୁବ ସୁନ୍ଦର ଭାବେ ଆୟୋଜିତ କରିଥିଲେ ।
