ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ କରିବାପାଇଁ ସୋମବାର ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଜୟଦେବ୍ ଜେନା ଓ କଂଗ୍ରେସ ବିଧାୟକ ଦଳର ମୁଖ୍ୟସଚେତକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଜିଲ୍ଲାରେ ପହଞ୍ଚି ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ।

ପରେପରେ ବାରିପଦାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଜେନା ଓ ଶ୍ରୀବାହିନୀପତି ମୟୂରଭଞ୍ଜ ଜିଲ୍ଲାକୁ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳରୁ ବାଦ୍ ଦିଆଯାଇଥିବାରୁ କ୍ଷୋଭ୍ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ରିଲିଫ୍ ଘୋଷଣା କରିଥିବାବେଳେ ମୟୂରଭଞ୍ଜ ଏଥିରୁ ବାଦ୍ ପଡିବା ପରିତାପର ବିଷୟ ବୋଲି ପ୍ରଶ୍ନ କରିଥିଲେ । ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ଦାୟୀ ବୋଲି କଂଗ୍ରେସ ନେତାମାନେ ମତପୋଷଣ କରିଥିଲେ ।

ମୟୂରଭଞ୍ଜ ସ୍ୱତନ୍ତ୍ର ପ୍ୟାକେଜ୍ ପାଇଥିଲେ ବନ୍ୟା ପୀଡିତମାନେ ୫୦କିଲୋ ଚାଉଳ ଓ ୫ଶହଟଙ୍କା ରିଲିଫ୍ ପାଇଥାନ୍ତେ, ମାତ୍ର ଜିଲ୍ଲାପାଳ ଏହା କରିବାକୁ ଦେଇନାହାଁନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏଠାରେ ମୁଖ୍ୟମନ୍ତ୍ରୀ ଗୋଟେ କଥା କହୁଥିବାବେଳେ ଜିଲ୍ଲାପାଳ ଆଉ ଗୋଟେ କଥା କହୁଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ ଏଠି ବିଜୁଜନତା ଦଳର ଜିଲ୍ଲା ସଭାପତି ସାଜିଛନ୍ତି । ତେଣୁ ଆଗାମୀଦିନରେ ତୁରନ୍ତ ମୟୂରଭଞ୍ଜ ବନ୍ୟାପୀଡିତଙ୍କୁ ସ୍ୱତନ୍ତ୍ର ବନ୍ୟା ରିଲିଫ୍ ପ୍ରଦାନ କରାନଗଲେ କଂଗ୍ରେସ ପକ୍ଷରୁ ଜିଲ୍ଲାତମାମ୍ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।

ଏହି ପ୍ରତିନିଧି ଦଳ ମାଣିତ୍ରୀ, ବୈଶିଙ୍ଗା, ବେତନଟୀ, ରାସଗୋବିନ୍ଦପୁର ଓ ବାରିପଦା ସହରର ବନ୍ୟା ପୀଡିତ ଅଞ୍ଚଳ ପରିଦର୍ଶନ କରିବାସହ ବନ୍ୟା ଦ୍ୱାରା ବହୁ କ୍ଷୟକ୍ଷତି ହୋଇଛି ବୋଲି ମତପ୍ରକାଶ କରିଥିଲେ । ବନ୍ୟାଦ୍ୱାରା ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ସମସ୍ତ ଚାଷୀଙ୍କୁ ଋଣ ଛାଡ କରାଯିବା ସହ ବିହନ ଓ ସାର ଯୋଗାଇ ଦିଆଯାବାପାଇଁ ଦାବି କରାଯାଇଥିଲା । ଏଥିସହ ଜିଲ୍ଲାରେ ଡାକ୍ତର, ଶିକ୍ଷକ ଓ ଅଧ୍ୟାପକଙ୍କ ସଂଖ୍ୟା ଅଭାବୀ ରହିଥିବାବେଳେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଏହି ଅଞ୍ଚଳର ଜନପ୍ରତିନିଧିଙ୍କ ସହ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଦାୟୀ ବୋଲି କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ସୁଶ୍ରୀ ସୁଶିଳା ତିରିଆ ଓ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here