ଶ୍ରୀଜୟ କୁମାର ସାହୁ : ବର୍ତ୍ତମାନ ଭାରତର ସମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ ସାମାଜିକ ଏବଂ ଶୈକ୍ଷିକ କ୍ଷେତ୍ରରେ ଥିବା ପଛୁଆ ବର୍ଗଙ୍କ ପାଇଁ ଲାଗୁ କରାଯାଇଥିବା କ୍ରିମି ଲେୟର ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆଣିବା ପାଇଁ ବିଚାର କରୁଛନ୍ତି। ଯେଉଁ ବିଚାର ଅତ୍ୟନ୍ତ ସ୍ୱାଗତ ଯୋଗ୍ଯ ଅଟେ। “କ୍ରିମି ଲେୟର” ଶବ୍ଦଟି କେବଳ ସାମାଜିକ ଏବଂ ଶୈକ୍ଷିକ ପଛୁଆ ବର୍ଗ ସହ ଜଡ଼ିତ ନା ଏହା ସାଧାରଣ ବର୍ଗ ଅବା ଅନୁସୂଚିତ ଜାତି ଏବଂ ଜନଜାତି ସହ ଜଡିତ। ” କ୍ରିମି ଲେୟର ” ଶବ୍ଦଟି ଆମ ସଂବିଧାନର କୌଣସି ସ୍ଥାନରେ ମଧ୍ୟ ଲିପିବଦ୍ଧ ନାହିଁ। ଏହି ଶବ୍ଦଟିକୁ କେବଳ କାର୍ଯ୍ୟପାଳିକାର ଆଦେଶରେ ହିଁ ବ୍ୟବହାର କରାଯାଇଛି। ଏହି ଶବ୍ଦଟିକୁ ୧୯୭୧ ମସିହାରେ ସତନାଥନ ଆୟୋଗ (ତାମିଲନାଡୁରେ ଆରକ୍ଷଣ ପାଇଁ ଗଠିତ ଆୟୋଗ) ପ୍ରଥମେ ଲୋକଲୋଚନକୁ ଆଣିଥିଲା ଏବଂ କ୍ରିମି ଲେୟର ମାନଙ୍କୁ ବେସାମରିକ ପଦବୀରେ ଆରକ୍ଷଣର ସୁବିଧା ନ ଦେବା ପାଇଁ ତାମିଲନାଡୁ ସରକାରଙ୍କ ନିକଟରେ ମତ ରଖିଥିଲା।

ଭାରତର ଏକ ଐତିହାସିକ ମାମଲା ଇନ୍ଦିରା ସାହାଣୀ ବନାମ ଭାରତ ସଂଙ୍ଘ, ୧୯୯୨ ଯାହା ମଣ୍ଡଳ ମାମଲା ନାମରେ ପରିଚିତ। ସେହି ମାମଲା ଭାରତର ସାଂବିଧାନିକ, ରାଜନୈତିକ ତଥା ସାମାଜିକ ପରିବର୍ତ୍ତନ ଆଣି ସାମାଜିକ ନ୍ୟାୟ ଉପରେ ଏକ ବଡ ପ୍ରଭାବ ପକାଇବା ସଙ୍ଗେସଙ୍ଗେ ‘କ୍ରିମି ଲେୟର’ ଶବ୍ଦ ଟିକୁ ସୁପରିଚିତ କରିଥିଲା। ଉକ୍ତ ଇନ୍ଦିରା ସାହାଣୀ ମାମଲାକୁ ମଣ୍ଡଳ ମାମଲା କହିବାର ଉଦ୍ଦେଶ୍ୟ ହେଲା ଏହି ମାମଲାଟି ମଣ୍ଡଳ ଆୟୋଗର ସୁପାରିସ ଉପରେ ଆଧାରିତ ଥିଲା। ମଣ୍ଡଳ ଆୟୋଗର ଅଧ୍ୟକ୍ଷ ଥିଲେ ବିହାରର ପୂର୍ବ ମୂଖ୍ୟମନ୍ତ୍ରୀ ବିନ୍ଦେଶ୍ୱର ପ୍ରସାଦ ମଣ୍ଡଳ। ଉକ୍ତ ଆୟୋଗଟି ଜାନୁଆରୀ ୧, ୧୯୭୯ ରେ ଜନତା ଦଳର ସରକାର ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଦ୍ବାରା ସ୍ଥାପିତ ହୋଇଥିଲା। ଆୟୋଗର ଉଦ୍ଦେଶ୍ୟ ଥିଲା ଭାରତରେ ସାମାଜିକ ଏବଂ ଶୈକ୍ଷିକ କ୍ଷେତ୍ରରେ ପଛୁଆ ଥିବା ବର୍ଗଙ୍କୁ ଚିହ୍ନଟ କରିବା। ଏହାର ସମ୍ପୂର୍ଣ୍ଣ ରିପୋର୍ଟ ଉକ୍ତ ଆୟୋଗ ଡିସେମ୍ବର ୩୦, ୧୯୮୦ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ନିଲମ୍ ସଞ୍ଜୀବ ରେଡ୍ଡୀଙ୍କ ପାଖରେ ଉପସ୍ଥାପନ କରିଥିଲା। ୧୯୯୦, ଜନତା ଦଳର ଭି.ପି.ସିଂ ସରକାର କେନ୍ଦ୍ରରେ ଆସିବା ପରେ ଉକ୍ତ ରିପୋର୍ଟ ମୂତାବକ ସାମାଜିକ ଏବଂ ଶୈକ୍ଷିକ ପଛୁଆ ବର୍ଗଙ୍କର ୨୭% କେନ୍ଦ୍ର ସରକାର ତଥା କେନ୍ଦ୍ର ସରକାରଙ୍କ ପବ୍ଲିକ ସେକ୍ଟର ଚାକିରୀରେ ସ୍ଥାନ ସଂରକ୍ଷଣ ରହିବ ବୋଲି ଘୋଷଣା କରିଥିଲେ।

ଏହାକୁ ନେଇ ବିଭିନ୍ନ ବିରୋଧ ଉଠିବାରୁ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଉପରେ ଏକ ଅସ୍ଥାୟୀ ସ୍ଥଗିତାଦେଶ ଜାରି କରିଥିଲେ। କିନ୍ତୁ ଏହି ନିଷ୍ପତ୍ତିକୁ 1992 ମସିହାରେ କାର୍ଯ୍ୟକାରୀ କରାଯାଇଥିଲା।

ଆମ ସଂବିଧାନରେ ଲିଖିତ ଅଛି ଯେ ସମାଜରେ ଯେଉଁ ସାମାଜିକ ଓ ଶୈକ୍ଷିକ କ୍ଷେତ୍ରରେ ପଛୁଆ ବର୍ଗ ଅଛନ୍ତି ସେମାନଙ୍କ ଉନ୍ନତି ନିମନ୍ତେ ଚାକିରୀରେ ସେମାନଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା କରାଯାଇ ପାରିବ। ଏଥିପାଇଁ ଗୋଟିଏ ସର୍ତ୍ତ ରଖାଯାଇଛି ତାହା ହେଲା- ଯଦି ଚାକିରୀରେ ସେହି ବର୍ଗଙ୍କ ପର୍ଯ୍ୟାପ୍ତ ପରିମାଣରେ ପ୍ରତିନିଧିତ୍ଵ ନଥିବ। ଏହା ଭାରତୀୟ ସଂବିଧାନର ଧାରା ୧୫(୪) ଏବଂ ୧୬(୪) ରେ ବର୍ଣ୍ଣିତ। ଏହି ଦୁଇଟି ଧାର ମଧ୍ୟରେ ଟେକ୍ନିକାଲି ଦେଖିବାକୁ ଗଲେ କିଛି ପାର୍ଥକ୍ୟ ରହିଛି। ଧାରା ୧୫(୪) କହେ, ସାମାଜିକ ଏବଂ ଶୈକ୍ଷିକ ପଛୁଆ ବର୍ଗଙ୍କୁ ଉନ୍ନତି କରିବା ପାଇଁ ରାଷ୍ଟ୍ର ବିଭିନ୍ନ ପ୍ରକାର ପଦକ୍ଷେପ ନେବା ଉଚିତ। ସେହିପରି ଧାରା ୧୬(୪) କହେ, ପଛୁଆ ବର୍ଗର ନାଗରିକଙ୍କ ପାଇଁ ରାଷ୍ଟ୍ର ଚାକିରୀ କ୍ଷେତ୍ରରେ ସଂରକ୍ଷଣ ସୁବିଧା କରିବା ଆବଶ୍ୟକ, ଯଦି ସେମାନଙ୍କ ଚାକିରୀରେ ପ୍ରତିନିଧିତ୍ଵ ପର୍ଯ୍ୟାପ୍ତ ପରିମାଣରେ ନଥାଏ।

୧୯୯୨ ମସିହାରେ ଇନ୍ଦିରା ସାହାଣୀ ମାମଲା ସମ୍ପୂର୍ଣ୍ଣ ରୂପେ ବିଶ୍ୱନାଥ ପ୍ରତାପ ସିଂ ଙ୍କ ନିଷ୍ପତ୍ତିର ପୃଷ୍ଠଭୂମି ଉପରେ ଆଧାରିତ ଥିଲା। ଏହି ମକଦ୍ଦମାରେ ନ୍ୟାୟାଳୟ ‘କ୍ରିମି ଲେୟର’ ଶବ୍ଦର ବିଚାର ପ୍ରଥମେ ପ୍ରତିପାଦିତ କରିଥିଲେ। ନିଜ ରାୟରେ ସୁପ୍ରିମକୋର୍ଟ କହିଲେ, ମଣ୍ଡଳ ଆୟୋଗ ସୁପାରିସରେ ଭି.ପି.ସିଂ ଙ୍କ ଆରକ୍ଷଣ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ ଅଟେ। ସାମାଜିକ ଏବଂ ଶୈକ୍ଷିକ କ୍ଷେତ୍ରରେ ପଛୁଆ ଥିବା ବର୍ଗ ଏକ ପ୍ରକାର ପଛୁଆ ଜାତିଙ୍କ ସହ ସମାନ ଅଟନ୍ତି। ତଥାପି ଏହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଅଳ୍ପ ସଂଶୋଧନ ଆଣିଲେ। ମାନ୍ୟବର ସୁପ୍ରିମକୋର୍ଟ ମତ ରଖିଲେ ଯେ ସାମାଜିକ ଏବଂ ଶୈକ୍ଷିକ ପଛୁଆ ବର୍ଗଙ୍କ ମଧ୍ୟରେ ମଧ୍ୟ ଅନେକ ଆଗୁଆ ବର୍ଗର ବ୍ୟକ୍ତି ଅଛନ୍ତି। ଅତଏବ ପ୍ରଥମେ ସରକାର ଏହା ନିର୍ଦ୍ଧାରଣ କରିବା ଆବଶ୍ୟକ ଯେ ବାସ୍ତବରେ ପଛୁଆ ବର୍ଗଙ୍କୁ ଆରକ୍ଷଣର ସୁବିଧା ଦେବେ ନା ପଛୁଆ ବର୍ଗଙ୍କ ମଧ୍ୟରେ ଥିବା ଆଗୁଆ ବ୍ୟକ୍ତି ମଧ୍ୟ ଏହି ଆରକ୍ଷଣର ସୁବିଧା ନେଇ ପାରିବେ? ଏହା ଜାଣିବା ଉଚିତ, ୨୦୦୮ ମସିହାରେ ଅଶୋକ ଠାକୁର ମାମଲାରେ ପଛୁଆ ବର୍ଗଙ୍କୁ ଶୈକ୍ଷିକ ଅନୁଷ୍ଠାନରେ ମଧ୍ୟ ଆରକ୍ଷଣର ସୁବିଧା ଦିଆଗଲା, ଯାହାକି ପୂର୍ବରୁ କେବଳ କେନ୍ଦ୍ର ସରକାରଙ୍କ ଚାକିରୀ କ୍ଷେତ୍ରରେ ହିଁ ସୀମିତ ଥିଲା। କିନ୍ତୁ ମୋର ଲେଖାଟି ବର୍ତ୍ତମାନର ସରକାରଙ୍କ ଦ୍ବାରା କରାଯାଉଥିବା ବିଚାର ବିମର୍ଷ ଉପରେ ଆଧାରିତ। ନା ଏଠାରେ ଆମେ ମଣ୍ଡଳ ଆୟୋଗ ନା ଇନ୍ଦିରା ସାହାଣୀ ଙ୍କ ମାମଲା ଭିତରକୁ ଯିବା।
ଆରକ୍ଷଣରେ “କ୍ରିମି ଲେୟର” ର ଅର୍ଥ ହେଲା ‘ ପଛୁଆ ମାନଙ୍କ ମଧ୍ୟରେ ଆଗୁଆ ‘।

ଆଜିକା ସମୟରେ ଆମକୁ ବୁଝିବାକୁ ହେବ କ୍ରିମି ଲେୟର, ସାଧାରଣ ବର୍ଗଙ୍କ ସହ ସମାନ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ , ଜାତୀୟ ପଛୁଆ ବର୍ଗ ଆୟୋଗଙ୍କ ପରାମର୍ଶ କ୍ରମେ ପର୍ସନାଲ୍ ଓ ଟ୍ରେନିଂ ବିଭାଗକୁ ସାମାଜିକ ଏବଂ ଶୈକ୍ଷିକ ପଛୁଆ ବର୍ଗଙ୍କ ମଧ୍ୟରେ କେଉଁମାନେ କ୍ରିମି ଲେୟର ତାଲିକା ମଧ୍ୟକୁ ଆସୁଛନ୍ତି ତା’ର ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି। ରିପୋର୍ଟ ମୂତାବକ ନିମ୍ନ ଲିଖିତ ବ୍ୟକ୍ତିବିଶେଷଙ୍କୁ ବା ତାଙ୍କ ପୁଅ-ଝିଅଙ୍କୁ କ୍ରିମି ଲେୟର ତାଲିକାଭୁକ୍ତ କରି ଆରକ୍ଷଣର ଅଧିକାରରୁ ବଞ୍ଚିତ କରିଥାନ୍ତି।
ବର୍ତ୍ତମାନ ବ୍ୟବସ୍ଥା ମୂତାବକ ପ୍ରଥମ ଟି ହେଲା, ସାମ୍ବିଧାନିକ ପଦପଦବୀ ଯଥା- ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି, ରାଜ୍ୟପାଳ, ମୂଖ୍ୟ ବିଚାରପତି, ମୂଖ୍ୟ ନିର୍ବାଚନ ଆୟୁକ୍ତ, ଆଟର୍ନୀ ଜେନେରାଲ, ସିଏଜି ଆଦିରେ କାର୍ଯ୍ୟ କରୁଥିବା ବା କରି ସାରିଥିବା ବ୍ୟକ୍ତିବିଶେଷ ପଛୁଆ ବର୍ଗରେ ଯାଉଥିଲେ ମଧ୍ୟ ସେମାନଙ୍କ ପୁଅ-ଝିଅ ଆରକ୍ଷଣ ଅଧିକାରରୁ ବଞ୍ଚିତ ରହିବେ।

ଠିକ ସେହିପରି କେନ୍ଦ୍ର ବା ରାଜ୍ୟ ସିଭିଲ ସର୍ଭିସ ସେବାର ଗ୍ରୃପ-ଏ ରେ ଥିବା ବ୍ୟକ୍ତିବିଶେଷ ପଛୁଆ ବର୍ଗର ହୋଇଥିଲେ ସୁଧା ତାଙ୍କ ପୁଅ-ଝିଅଙ୍କୁ ଏହି ଆରକ୍ଷଣ ସୁବିଧା ମିଳି ପାରିବ ନାହିଁ ଅର୍ଥାତ ସେମାନେ କ୍ରିମି ଲେୟର ତାଲିକା ଭୁକ୍ତ ହେବେ। କିନ୍ତୁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଗ୍ରୃପ୍-ବି ରେ ଚାକିରୀ କରୁଥିବା ବ୍ୟକ୍ତିଙ୍କ ପୁଅ-ଝିଅ ଏହି ସୁବିଧା ନେଇ ପାରିବେ। ଏଥିପାଇଁ ଏକ ସର୍ତ୍ତ ରଖାଯାଇଛି। ତାହା ହେଲା, ଯଦି କେନ୍ଦ୍ର ବା ରାଜ୍ୟ ସରକାରଙ୍କ କୌଣସି ଗ୍ରୃପ-ବି କର୍ମଚାରୀ ତାଙ୍କୁ ୪୦ ବର୍ଷ ହେବା ପୂର୍ବରୁ ଗ୍ରୃପ-ଏ କୁ ପ୍ରମୋସନ ପାଇ ଯାଆନ୍ତି, ତେବେ ତାଙ୍କ ପୁଅ-ଝିଅ ଏହି ଆରକ୍ଷଣ ସୁବିଧା ହରାଇବେ ଏବଂ ସେମାନେ କ୍ରିମି ଲେୟର ତାଲିକାକୁ ଉଠିଯିବେ। ଏମିତିକି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଗ୍ରୁପ-ବି ଚାକିରୀ କରୁଥିଲେ ମଧ୍ୟ ତାଙ୍କ ପୁଅ-ଝିଅଙ୍କୁ ଏହି ସୁବିଧା ପ୍ରାପ୍ତ ହେବାର ବ୍ୟବସ୍ଥା ଅଛି। ଠିକ ସେହିପରି ସେନା କ୍ଷେତ୍ରରେ କର୍ଣ୍ଣଲ ତଥା ଅନ୍ୟ ଉପରିସ୍ଥ ପାହ୍ୟାର ଅଧିକାରୀ ପଛୁଆ ବର୍ଗର ହୋଇଥିଲେ ସୁଧା ତାଙ୍କ ପୁଅ-ଝିଅ କ୍ରିମି ଲେୟରରେ ଅନ୍ତର୍ଭୁକ୍ତ ହେବେ।

ଦ୍ୱିତୀୟ ବ୍ୟବସ୍ଥା ହେଲା ବ୍ୟାଙ୍କ କିମ୍ବା କେନ୍ଦ୍ର ବା ରାଜ୍ୟ ସରକାରଙ୍କ ପବ୍ଲିକ ସେକ୍ଟର, ବିଶ୍ୱବିଦ୍ୟାଳୟରେ ଚାକିରୀ କରୁଥିବା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖା ଦେଇଛି। ଏହି କ୍ଷେତ୍ରରେ ଆୟ (ଦରମା) କୁ କ୍ରିମି ଲେୟର ନିର୍ଦ୍ଧାରଣର ଏକ ମାନଦଣ୍ଡ ରୂପେ ସ୍ଥିର କରାଯାଇଛି। ଅର୍ଥାତ ଏହି କ୍ଷେତ୍ରରେ ଚାକିରୀ କରୁଥିବା ଅଧିକାରୀ (କ୍ଳର୍କ,ପିଅନ ବ୍ୟତିତ) ଯଦି ବାର୍ଷିକ ୮ ଲକ୍ଷ ଆୟ କରନ୍ତି, ତେବେ ସେହି ଅଧିକାରୀଙ୍କ ପୁଅ-ଝିଅଙ୍କୁ କ୍ରିମି ଲେୟର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇ ଆରକ୍ଷଣ ସୁବିଧାରୁ ବଞ୍ଚିତ କରାଯିବ।

ତୃତୀୟ ବ୍ୟବସ୍ଥାରେ ଅନ୍ୟ ବ୍ୟକ୍ତିବିଶେଷ ଯେଉଁମାନେ ପଛୁଆ ବର୍ଗ ହୋଇଥିବେ ଏବଂ ବ୍ୟବସାୟ ବା ବାଣିଜ୍ୟକ ଅନୁଷ୍ଠାନ ଖୋଲିଥିବେ ସେମାନଙ୍କ ପାଇଁ ବାର୍ଷିକ ଆୟ ୮ ଲକ୍ଷକୁ (ଯଦି କ୍ରମାଗତ ତିନି ବର୍ଷ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଆୟ ବା ତାଠାରୁ ଅଧିକ ଆୟ କରୁଥିବେ) କ୍ରିମି ଲେୟର ଯୋଗ୍ୟ ନିର୍ଦ୍ଧାରଣର ମାନଦଣ୍ଡ ରୂପେ ରଖାଯାଇଛି। କିନ୍ତୁ ଗୋଟିଏ ପଛୁଆ ବର୍ଗର ବ୍ୟକ୍ତି ନିଜ କୃଷିଜାତ ଆୟ ବର୍ଷକୁ ୮ ଲକ୍ଷରୁ ଉର୍ଦ୍ଧ୍ବ ସଞ୍ଚିତ କଲେ ମଧ୍ୟ ସେହି ବ୍ୟକ୍ତି ଜଣକର ପୁଅ-ଝିଅ ନିର୍ଦ୍ୱନ୍ଦରେ ଆରକ୍ଷଣର ସୁବିଧା ପାଇ ପାରିବ। ଏହାର ଅର୍ଥ କୃଷିଜାତ ଆୟକୁ କ୍ରିମି ଲେୟର ନିର୍ଦ୍ଧାରଣରୁ ବାଦ ଦିଆଯାଇଛି।
କ୍ରିମି ଲେୟରରେ ଅନ୍ତର୍ଭୁକ୍ତ ପାଇଁ ସର୍ବପ୍ରଥମେ ୧୯୯୩ ମସିହାରେ ବାର୍ଷିକ ଆୟ ୧ଲକ୍ଷ ସ୍ଥିର କରାଯାଇଥିଲା। ସେହିପରି ପରବର୍ତ୍ତୀ ମୂହୁର୍ତ୍ତରେ ଏହାକୁ ବଢାଯାଇ ୨୦୦୪ ମସିହାରେ ୨.୫ ଲକ୍ଷ, ୨୦୦୮ ମସିହାରେ ୪.୫ ଲକ୍ଷ, ୨୦୧୩ ରେ ୬ଲକ୍ଷ ଏବଂ ୨୦୧୭ ମସିହାରେ ୮ ଲକ୍ଷ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ କରାଯାଇଥିଲା। ଅର୍ଥାତ ଏଠି ଆମେ ଆରକ୍ଷଣ ସୁବିଧା ତା’ସହ କ୍ରିମି ଲେୟରରେ ସ୍ଥାନ ପାଇବା ପାଇଁ ତିନି ପ୍ରକାରର ମାନଦଣ୍ଡ ଯଥା- ପ୍ରଥମଟି ହେଲା ପଦବୀ କୁ ଆଧାର କରି, ଦ୍ୱିତୀୟ ଟି ହେଲା ପଦବୀ ସହ ବାର୍ଷିକ ଆୟ ଏବଂ ତୃତୀୟ ଟି ହେଲା କେବଳ ଆୟ (କୃଷିଜାତ ଆୟ ବ୍ୟତୀତ) କୁ ଆଧାର କରି ନିର୍ଦ୍ଧାରିତ ହୋଇଥିବା ଦେଖିବାକୁ ପାଇଲେ, ଯାହା ପୂର୍ବରୁ ପ୍ରଚଳିତ ହୋଇ ଆସୁଛି।

ଏହାବ୍ୟତୀତ ପୂର୍ବରୁ ସରକାରଙ୍କୁ ଜାତୀୟ ପଛୁଆ ବର୍ଗ ଆୟୋଗ, ପଛୁଆ ବର୍ଗର ସାଂସଦ ଏବଂ ବିଧାୟକଙ୍କୁ ମଧ୍ୟ କ୍ରିମି ଲେୟର ତାଲିକା ଭୂକ୍ତ କରିବା ପାଇଁ ପରାମର୍ଶ ଦେଇ ଆସୁଛନ୍ତି କିନ୍ତୁ ତାହା ଅଦ୍ୟାବଧି ଅସଫଳ। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଏଥିରେ ପରିବର୍ତ୍ତନ ଆଣିବାକୁ ବିଚାର ବିମର୍ଷ ଜାରି ରଖିଛି। ଏହି ତିନି ପ୍ରକାର ମାନଦଣ୍ଡ ବ୍ୟବସ୍ଥାକୁ ଉଛେଦ କରି ଏକପ୍ରକାର ବ୍ୟବସ୍ଥା ପ୍ରଚଳନ କରିବାକୁ ଚିନ୍ତା କରୁଛି। କେବଳ ଆର୍ଥିକ ମାନଦଣ୍ଡ ବା ବାର୍ଷିକ ଆୟକୁ କ୍ରିମି ଲେୟର ମାନଦଣ୍ଡ ରୂପେ ଧରାଯିବ।

ଯଦି ବର୍ଷକୁ କୌଣସି ପଛୁଆ ବର୍ଗ ବ୍ୟକ୍ତି ୧୨ ଲକ୍ଷ ଟଙ୍କା ଆୟ ( କୃଷି ଆୟ ବ୍ୟତୀତ) କରୁଛନ୍ତି ତେବେ ତାହେଲେ ତାଙ୍କୁ ଅବା ତାଙ୍କ ପିଲାମାନଙ୍କୁ ଆରକ୍ଷଣ ସୁବିଧା ମିଳିବ ନାହିଁ। ପୂର୍ବ ମସିହାରେ ନିର୍ଦ୍ଧାରିତ ଆୟ ସୀମା କୁ ଦେଖିଲେ ବର୍ତ୍ତମାନ ସରକାର ଚିନ୍ତା କରିଥିବା ୧୨ଲକ୍ଷ ଆୟ ସୀମା ବହୁତ ଅଧିକ ଭଳି ଲାଗୁଛି। କେବଳ ଏଥିରେ ସ୍ୱଳ୍ପ ସଂଖ୍ୟକ ମାସିକ ୧ଲକ୍ଷ ଆୟ କରୁଥିବା ଚାକିରୀଆ ବା ବ୍ୟବସାୟୀ କ୍ରିମି ଲେୟର ତାଲିକାଭୁକ୍ତ ହେବେ। ଆଜିକା ସମୟରେ ମାସକୁ ଏକ ଲକ୍ଷ ଆୟ ବହୁତ ଅଧିକା ହୋଇଗଲା। ସେଥିପାଇଁ ସରକାର ଶେଷ ବର୍ଷ ନିର୍ଦ୍ଧାରିତ ଆୟ ସୀମାକୁ ସୁନିଶ୍ଚିତ କରି ପଦବୀ ସର୍ତ୍ତ ନରଖି ସମସ୍ତଙ୍କ ପାଇଁ ଏକ ପ୍ରକାର ବ୍ୟବସ୍ଥା ପ୍ରଚଳନ କରିବା ଉପରେ ଚିନ୍ତା କରିବା ଉଚିତ।

ଏହା ପୂର୍ବରୁ ୨୦୦୬ ମସିହାରେ ଏମ୍. ନାଗରାଜ ବନାମ ଭାରତ ସଂଙ୍ଘ ମାମଲା ଏବଂ ୨୦୧୮ ମସିହାରେ ଜରନାଇଲ୍ ସିଂ ବନାମ ଲକ୍ଷ୍ମୀ ନାରାୟଣ ଗୁପ୍ତା ମାମଲାର ଆବେଦନକାରୀ ଏହି କ୍ରିମି ଲେୟର ବ୍ୟବସ୍ଥାକୁ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ କରିବା ପାଇଁ ଯୁକ୍ତି ବାଢିଥିଲେ। ଅନୁସୂଚିତ ଜାତି ଓ ଜନଜାତି ବାସ୍ତବରେ ଆରକ୍ଷଣ ପାଇବାର ଅଧିକାରୀ ଏହାକୁ କେହି ମଧ୍ୟ ମନା କରିପାରିବେ ନାହିଁ। ଅତିତରେ ଯେଉଁଭଳି ସେମାନେ ସାମାଜିକ କୋଣଠେସା, ଆର୍ଥିକ ତଥା ଶୈକ୍ଷିକ କ୍ଷେତ୍ରରେ ଅବହେଳିତ ହେଇ ଆସୁଛନ୍ତି, ସେମାନଙ୍କ ଉତ୍ଥାନ ପାଇଁ ଆରକ୍ଷଣ ପ୍ରଯୁଜ୍ୟ। କିନ୍ତୁ ସବୁ କ୍ଷେତ୍ରରେ ପ୍ରଭାବଶାଳୀ ଥିବା ଏହି ବର୍ଗର କୌଣସି ବ୍ୟକ୍ତିବିଶେଷ କେତେଦୂର ଆରକ୍ଷଣ ସୁବିଧା ପାଇବା ଯୋଗ୍ୟ ତାହା ମଧ୍ୟ ବିଚାର ଯୋଗ୍ୟ ଅଟେ।

ଏଠି ପ୍ରଶ୍ନ ଉଠୁଛି ପଛୁଆ ବର୍ଗରେ ଥିବା ପ୍ରଭାବଶାଳୀ ବ୍ୟକ୍ତିମାନେ ଆରକ୍ଷଣର ଫାଇଦା ଉଠାଇ ଆହୁରି କେତେ ଅଗ୍ରଗତି କରିବାକୁ ଚାହୁଁଛନ୍ତି? କ’ଣ ସତରେ ସେମାନେ ଅବହେଳିତ? କ’ଣ ସତରେ ସେମାନେ ପାଇବା ପାଇଁ ଯୋଗ୍ୟ? ଗ୍ରୃପ-ବି ରେ ଜଣେ ବହୁ ବର୍ଷ ସର୍ଭିସ କଲାପରେ କ’ଣ ସେ ଗ୍ରୃପ-ଏ ପଦବୀଧରିଙ୍କ ଠାରୁ ଅଧିକ ଆୟ କରୁନଥିବେ ? ଉଭୟ ସ୍ୱାମୀ, ସ୍ତ୍ରୀ ଗ୍ରୃପ୍-ବି ରେ ଚାକିରୀ କରୁଥିଲେ, କ’ଣ ସେମାନଙ୍କ ବାର୍ଷିକ ଆୟ ୮ ଲକ୍ଷ ରୁ ଉର୍ଦ୍ଧ୍ବ ହେଉନଥିବ? ଏହା ପରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ କ୍ରିମି ଲେୟରରୁ ବାଦ ଦେବା ଠିକ?

ଆରକ୍ଷଣକୁ ଆଧାର କରି ପ୍ରତ୍ୟେକ ଦଳ ନିଜ ନିଜର ଭୋଟ ବ୍ୟାଙ୍କ ରାଜନୀତି କରିଆସୁଛନ୍ତି, ଯାହାକି ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ଏକ ବଡ ବିପଦ ଅଟେ। ଫଳରେ ଆରକ୍ଷଣର ଭରପୁର ଫାଇଦା ଉପଯୁକ୍ତ ପଛୁଆ ଯିଏକି ବାସ୍ତବରେ ପାଇବା ଯୋଗ୍ୟ ନ ପାଇ ପଛୁଆ ବର୍ଗରେ ଥିବା ଆଗୁଆ ବର୍ଗ ଅର୍ଥାତ ଯେଉଁମାନେ ବାସ୍ତବ କ୍ରିମି ଲେୟର ବା ବୀତ୍ତଶାଳୀ ତାଲିକା ଭୂକ୍ତ ବ୍ୟକ୍ତିବିଶେଷ ଏବଂ ତାଙ୍କ ପିଲାମାନେ ପାଉଛନ୍ତି। ପଛୁଆ ବର୍ଗରେ ଥିବା ଏହି କ୍ରିମି ଲେୟର ମାନେ ହିଁ ବାସ୍ତବ ପଛୁଆ ବର୍ଗଙ୍କ ଅଗ୍ରଗତିର ବାଧକ।

ଆରକ୍ଷଣର ବିରୋଧୀ ହେବା ଅର୍ଥ ସାମାଜିକ ନ୍ୟାୟର ବିରୋଧ କରିବା ବା ସମ୍ବିଧାନକୁ ବିରୋଧ କରିବା ସହ ସମାନ ଅଟେ। କିନ୍ତୁ ମୁଁ ଏଠି ସମ୍ପୂର୍ଣ୍ଣ ଆରକ୍ଷଣର ବିରୋଧ କରୁନାହିଁ ବରଂ ଯେଉଁ ବ୍ୟକ୍ତି ବା ବର୍ଗବିଶେଷ ଆରକ୍ଷଣ ପାଇବା ଅତ୍ୟାବଶ୍ୟକ ଏବଂ ଯୋଗ୍ଯ ସେମାନଙ୍କୁ ପ୍ରଦାନ କରିବା ଉଚିତ। ଯାହା ସମ୍ବିଧାନକୁ ପ୍ରକୃତ ସମ୍ମାନ ସହ ସର୍ବୋଚ୍ଚ ନ୍ୟାୟାଳୟକୁ ମଧ୍ୟ ସମ୍ମାନ ହେବ। ଏଥିପାଇଁ ସରକାରଙ୍କୁ ସଂକୀର୍ଣ୍ଣ ରାଜନୈତିକ ମନୋଭାବରୁ ନିବୃତ୍ତ ରହି ଅପେକ୍ଷାରତ ପରିବର୍ତ୍ତନ ସକାଶେ ପ୍ରବଳ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ଏବଂ ତା’ର ସଫଳତା ପାଇଁ ଆବଶ୍ୟକ ତଥ୍ୟ ମଧ୍ୟ ନିରପେକ୍ଷ ଭାବେ ପ୍ରସ୍ତୁତ କରିବା ଉଚିତ।

LEAVE A REPLY

Please enter your comment!
Please enter your name here