ଭଞ୍ଜନଗର – କରୋନା ଯୋଗୁଁ ଗତ କିଛି ମାସ ଧରି ଜନଜୀବନ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଅନେକ କାମଧନ୍ଦା ହରାଇଛନ୍ତି । ଫୁଟପାଥର ଉଠାଦୋକାନୀ ନାନା ଯନ୍ତ୍ରଣା ଭୋଗିଛନ୍ତି । କରୋନା ଯୋଗୁଁ ଅଧିକାଂଶ ଜନସାଧାରଣ ବିଶେଷ ପ୍ରଭାବିତ ହୋଇଛନ୍ତି । ଅପରପକ୍ଷରେ କରୋନା କଟକଣା ମଧ୍ୟରେ ସମସ୍ତ ଜନସାଧାରଣଙ୍କ ମୁହଁରେ ମାସ୍କ ବାଧ୍ୟତାମୂଳକ ଭାବେ ରହିବା କାରଣରୁ ରାସ୍ତାଘାଟ ବେଶ ସଫା ରହିଛି ।

ପୂର୍ବରୁ ଲୋକମାନେ ରାସ୍ତାସାରା ପାନଛେପ ସହ ଛେପ ଖଙ୍କାର ପକାଇ ରାସ୍ତାକୁ ସଂପୂର୍ଣ୍ଣ ଅପରିଷ୍କାର କରିପକାଉଥିଲେ । ହେଲେ କରୋନା ଯୋଗୁଁ ମାସ୍କର ବହୁଳ ବ୍ୟବହାର କାରଣରୁ ଏବେ ପରିବେଶରେ ବେଶ ଉନ୍ନତି ଘଟିଛି । ଉଠାଦୋକାନ ବନ୍ଦ ଯୋଗୁଁ ପଲିଥିନ୍ ଓ ସୋଲ ପ୍ଲେଟ, ଚାହା କପ୍ ଆଦି ରାସ୍ତାଘାଟରେ ପଡୁନି ।

ଆଉ ନାଳନର୍ଦ୍ଦମାରେ ଏସବୁ ପୁର୍ବରୁ ଭର୍ତ୍ତି ହେଉଥିବା ବେଳେ ବର୍ଷା ହେଲେ ଅନେକ ସମୟରେ ବର୍ଷା ଜଳ ନର୍ଦ୍ଦମା ଜଳ ସହ ମିଶି ରାସ୍ତାରେ ଭାସିବା ସହ ଏକପ୍ରକାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିଲା । ହେଲେ କରୋନା କଟକଣା ଯୋଗୁଁ ପଲିଥିନ, ସୋଲ ପ୍ଲେଟ, ଚାହା କପ୍ ଆଦି ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ରାସ୍ତାଘାଟରେ ଏସବୁ ଆଉ ଦେଖିବାକୁ ମିଳୁନି । ସେହିପରି ନାଳନର୍ଦ୍ଦମା ବେଶ ସଫା ରହୁଥିବା ଦେଖିବାକୁ ମିଳିଛି ।

ଆଉ ଚଳିତ ଲଗାଣବର୍ଷାରେ ସହରର କୌଣସି ସ୍ଥାନରେ ଜଳବନ୍ଦୀ ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ । ଆଉ ଏଭଳି କିଛି କାରଣରୁ ମଶାଙ୍କ ପାର୍ଦୁଭାବ ମଧ୍ୟ ବେଶ କମିଛି । କରୋନା କାଳରେ କଳାକାରଙ୍କୁ କାମଧନ୍ଦା ଯୋଗାଇବାକୁ ସରକାର ମଧ୍ୟ ବିଭିନ୍ନ ସହରାଞ୍ଚଳରେ ନୂଆଁ ଯୋଜନା ପ୍ରସ୍ତୁତ କରିଥିବାବେଳେ ଏଥିରୁ ଭଞ୍ଜନଗର ସହରର ସୌନ୍ଦର୍ଯ୍ୟ ବୃଦ୍ଧିପାଇଛି । ସହରର ବିଭିନ୍ନ ରାସ୍ତାଘାଟରେ ଥିବା ମୁକୁଳା ପାଚେରୀ କଳାକାଳଙ୍କ ତୁଳୀର ସ୍ପର୍ଶରେ ଜୀବନ୍ତ ହୋଇଛି । ଆଉ ଏହାର ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ପରିବେଶ ଉପରେ ଏହାର ଅନୁକୂଳ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି ।

ଏବେ କରୋନା କଟକଣା ହଟିବା ପରେ ପୁଣିଥରେ ଦୋକାନ ବଜାର ସ୍ୱଭାବିକ ଢଙ୍ଗରେ ଖୋଲିବା ଆରମ୍ଭ କରିଛି । ଧୀରେ ଧୀରେ ବସ ଚଳାଚଳ ଆରମ୍ଭ ହୋଇଛି । ବୁଧବାର ଏଠାରୁ ବିଭିନ୍ନ ରୁଟ୍ରେ ପାଖାପାଖି ୧୦ରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ବସ ଚଳାଚଳ କରିଛି । ଦିନେ ଦୁଇଦିନ ମଧ୍ୟରେ ବସ ଚଳାଚଳ ସ୍ୱଭାବିକ ହେବା ଆଶା କରାଯାଉଛି । ସେହିପରି ଦୋକାନ ବଜାର ଖୋଲିବାସହ ଏବେ ସବୁ ଉଠାଦୋକାନ ମଧ୍ୟ ଖୋଲିବା ଆରମ୍ଭ କରିଛି ।

ଆଉ ପୁଣିଥରେ ରାସ୍ତାଘାଟରେ ଚାହା କପ୍, ସୋଲ ପ୍ଲେଟ, ପଲିଥିନ  ଆଦି ପଡିବା ଆଶଙ୍କା ଦେଖାଦେଇଛି । ଏହାର ପ୍ରଭାବ ସହରର ପରିବେଶକୁ ପୁଣିଥରେ ଖରାପ କରିବ ଏଥିରେ ସନେ୍ଦହ ନାହିଁ । ଏଣୁ ସହରର ପରିବେଶକୁ ସଫା ରଖିବାକୁ ହେଲେ ପଲିଥିନ ବର୍ଜନ ଠାରୁ ଆରମ୍ଭ କରି ଉଠାଦୋକାନରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ରାସ୍ତାଘାଟରେ ନପକାଇ ଏହାକୁ ଏନଏସି ଦ୍ୱାରା ସ୍ଥିରୀକୃତ ସ୍ଥାନରେ ପକାଇବା କିମ୍ବା ଏନଏସିର ଆବର୍ଜନା ନେଉଥିବା ଗାଡିରେ ଦେବାକୁ ପ୍ରଯତ୍ନ କରାଗଲେ ସହରର ପରିବେଶ ପୂର୍ବ ଭଳି ଅତୁଟ ରହିପାରନ୍ତାବୋଲି ବହୁ ପରିବେଶବିତ୍ ନିଜ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here