Odisha news

ବିରଳ ପ୍ରଜାତିର ରାଜ୍କଙ୍କଡା ଜବତ, ଆନ୍ତଃରାଜ୍ୟ ବେପାରୀ ଗିରଫ

0

ବାରିପଦା ବନଖଣ୍ଡ ଅନ୍ତର୍ଗତ ପିଠାବଟା ରେଞ୍ଜ ପକ୍ଷରୁ ଗୁରୁବାର ଅପରାହ୍ନରେ ବାରିପଦା ହାଟରେ ଅତର୍କୀତ ଚଢଉ କରାଯାଇ ୬ଟି ବିରଳ ପ୍ରଜାତିର ରାଜ୍କଙ୍କଡା ଜବତ କରାଯିବା ସହ ଜଣେ ଆନ୍ତଃରାଜ୍ୟ ବେପାରୀଙ୍କୁ ଗିରଫ କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ବାରିପଦା ସହର ତଥା ଆଖପାଖ ଅଞ୍ଚଳରେ ବିରଳ ପ୍ରଜାତିର ରାଜ୍କଙ୍କଡା ଚୋରାଚାଲାଣ କରାଯାଉଥିବା ଏକ ବିଶେଷ ସୁତ୍ରରୁ ଖବର ମିଳିଥିଲା, ଏନେଇ ବନବିଭାଗ ପକ୍ଷରୁ ତନାଘନା ଚାଲିଥିଲା । ଗୁରୁବାର ଷ୍ଟେସନବଜାର ସ୍ଥିତ ବାରିପଦା ହାଟରେ ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ଅଞ୍ଚଳର ସୁନୀଲ ବିଶ୍ୱାସ(୩୯) ୬ଟି ଏହି ବିରଳ ପ୍ରଜାତିର ରାଜ୍କଙ୍କଡାକୁ ଚଢାଦରରେ ବିକ୍ରି କରିବା ପାଇଁ ମସୁଧା ଚଳାଇଥିବାବେଳେ ବନବିଭାଗ କର୍ମଚାରୀମାନେ ଉକ୍ତ ଆନ୍ତଃରାଜ୍ୟ ବେପାରୀଙ୍କୁ କାବୁ କରିନେଇଥିଲେ । ଅନ୍ୟପକ୍ଷରେ ଏହି କାରବାରରେ ସମ୍ପୃକ୍ତ ଥିବା ଏହି ବେପାରୀଙ୍କ ସହଯୋଗୀଙ୍କୁ ଧରିବା ପାଇଁ ବନବିଭାଗ ଜାଲ ବିଛାଇଛି । ଉକ୍ତ ବିରଳ ପ୍ରଜାତିର କଙ୍କଡାର ନୀଳରକ୍ତରୁ ମୂଲ୍ୟବାନ ଔଷଧ ପ୍ରସ୍ତୁତ ହେଉଥିବା ବନବିଭାଗ ସୁତ୍ରରୁ ପ୍ରକାଶ । ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟଂ ମଲ୍ଲିକଙ୍କ ନିଦେ୍ର୍ଦଶରେ ପିଠାବଟା ରେଞ୍ଜର ଲକ୍ଷ୍ମୀଧର ବେହେରାଙ୍କ ନେତୃତ୍ୱରେ ବନ୍ୟଜନ୍ତୁ କର୍ମୀ ଅଭିଶେକ ଆଚାର୍ଯ୍ୟଙ୍କ ସହ ବନବିଭାଗର କର୍ମଚାରୀମାନେ ଚଢଉରେ ସାମିଲ ହୋଇଥିଲେ । ଏନେଇ ପିଠାବଟା ରେଞ୍ଜରେ ୪୯/୨୦ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆସନ୍ତାକାଳି ଏହି କଙ୍କଡା ଗୁଡିକ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ସମୁଦ୍ରରେ ଛଡାଯିବ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।

Leave A Reply