ବାରିପଦା : ୨୦୨୪ ସାଧାରଣ ନିର୍ବାଚନ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି । ବଡ଼ ରାଜନୈତିକ ଦଳଙ୍କ ଉପରେ ଭରସା ଓ ମିଥ୍ୟା ପ୍ରତିଶୃତି ଉପରେ ଅତିଷ୍ଠ ହୋଇ ନୂତନ ନୂତନ ସ୍ୱାଧୀନ ଦଳ ଉଭା ହେଲେଣି । ବିଶେଷତଃ ନିଜ ଅଞ୍ଚଳର ମୁଖ୍ୟ ସମସ୍ୟାକୁ ନେଇ ନୂତନ ଦଳ ମୁଣ୍ଡ ଟେକିଲେଣି । ମୟୂରଭଞ୍ଜ ଜିଲ୍ଲାର ଏକ ନୂତନ ଦଳ “ଆଶା ଓ ଭରସା ପାର୍ଟି’ ଜିଲ୍ଲାରେ ମୁଣ୍ଡ ଟେକିଛି । ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ପ୍ରଗତିଠାରୁ ଦୂରରେ । ସାଧାରଣ ଲୋକ ଏଯାଏଁ ଅର୍ଥନୈତିକ ସ୍ୱାଧୀନତା, ସ୍ୱାସ୍ଥ୍ୟ, ଗମନାଗମନ, ଶିକ୍ଷା, ନିଯୁକ୍ତି, ଶିଳ୍ପାୟନ, ପିଇବା ପାଣି ସବୁଥିରେ ପଛୁଆ । ରାଜନୈତିକ ଦଳ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ପୋଷା ଶୁଆ ଭଳି କାମ କରୁଛନ୍ତି । ତେଣୁ କିଛି ଶିକ୍ଷିତ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସମାଜସେବୀ, ଅଭିଜ୍ଞ ସେବା ନିବୃତ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ସେବା ନିବୃତ ଅଧିକାରୀ, ଉଚ୍ଚ ଶିକ୍ଷିତା ମହିଳା ଓ ଯୁବବର୍ଗର ଲୋକେ ସମାନ ଏକ ଉଚ୍ଚ ନୂତନ ବିକାଶର ଚିନ୍ତା ଧରି ଏକ ପଞ୍ଜିକୃତ ରାଜନୈତିକ ଦଳ ‘ଆଶା ଓ ଭରସା ପାର୍ଟି’ ଗଠନ କରିଛନ୍ତି । ସେହି ଆଶା ଭରସା ପାର୍ଟିର କର୍ମକର୍ତ୍ତା ବୃନ୍ଦ ରାଇରଙ୍ଗପୁର ମେଡିକାଲ ଛକ ନିକଟସ୍ଥ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆହୂତ କରିଥିଲେ । ଏଥିରେ ପାର୍ଟିର ଉପଦେଷ୍ଟା ବରିଷ୍ଠ ସେବା ନିବୃତ ଆଇଏଏସ ଅଧିକାରୀ ଧନଞ୍ଜୟ ହେମ୍ବ୍ରମ ସଭାପତିତ୍ତ୍ୱ କରିବା ସହ ମୟୂରଭଞ୍ଜ ଜିଲ୍ଲାରେ ବିକଳ୍ପ ରାଜନୈତିକ ଦଳ ଆଶା ଭରସା ପାର୍ଟି ଗଠନର ଉଦେ୍ଦଶ୍ୟ ଉପରେ ସାମ୍ବାଦିକ ମାନଙ୍କୁ ପ୍ରାଞ୍ଜଳ ଭାବରେ ଅବଗତ କରାଇଥିଲେ । ତତ୍ସହିତ ଆଗାମୀ ସାଧାରଣ ନିର୍ବାଚନରେ ଆଶାୟୀ ସାଂସଦ ପ୍ରାର୍ଥୀ ଭାବେ ସେବା ନିବୃତ କାନାଡା ବ୍ୟାଙ୍କର ବରିଷ୍ଠ ଅଧିକାରୀ କାହ୍ନୁଚରଣ ଟୁଡୁ, ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ସୋରେନ, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଇଂ ସାପକୁ ମାଝୀ, ବାଙ୍ଗିରିପୋଷି ବିଧାୟକ ପ୍ରାର୍ଥୀ ସୁରେନ୍ଦ୍ର ନାଥ ହାଁସଦାଃ, ଉଦଳାରେ ମିନାକ୍ଷୀ ମୁର୍ମୁ, ସାରସକଣା ବିଧାୟକ ପ୍ରାର୍ଥୀ ଭାବେ ଶେଖର ଚନ୍ଦ୍ର ମାହାଲି ଓ ବାରିପଦା ପାଇଁ ରଞ୍ଜିତା ହେମ୍ବ୍ରମଙ୍କ ନାମ ଘୋଷଣା କରାଯାଇଛି । ଏହି ଦଳ ମୟୂରଭଞ୍ଜର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେବ । ଜିଲ୍ଲାରେ କୃଷି, ଶିକ୍ଷା, ଶିଳ୍ପ, ପାନୀୟ ଜଳ, ବିଦୁ୍ୟତ୍, ଖାଦ୍ୟ ସୁରକ୍ଷା, ଜମିକୁ ଜଳ, କୃଷକକୁ ସଶକ୍ତକରଣ, ମହିଳା ସଶକ୍ତିକରଣ, ବେକାର ଯୁବକଙ୍କ ହାତକୁ କାମ, ରେଳ ବିକାଶ ଉପରେ ଗୁରୁତ୍ୱ ଦେବ । ମୟୂରଭଞ୍ଜରେ ସମସ୍ତଙ୍କର ଆଶା ଭରସା ହୋଇ ରହିବ । ଏହି ଦଳ ଏକ ଦଳୀୟ ଇସ୍ତାହାରକୁ ନେଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ । ଏହି ଦଳ କ୍ଷମତାରେ ଥାଆନ୍ତୁ ଅବା ନ ଥାଆନ୍ତୁ ଜନତାଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନ ପାଇଁ ଆଗକୁ ସହଯୋଗ ହାତ ବଢାଇବ ଓ ଲୋକଙ୍କ ହକ ପାଇଁ ଲଢାଇ କରିବ ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ନେତୃବୃନ୍ଦ । ମୋଦୀ ସରକାର ଦେଶରେ ସନ୍ନାଟା ହୋଇଛି । ମୋଦି ସରକାରଙ୍କ ସମ୍ବିଧାନ ମାରଣନୀତି, ବିଚାରାଳୟ ଉପରେ ଅଯଥା ହସ୍ତକ୍ଷେପ, କୃଷକ ମାରଣ ନୀତି, ଆଦିବାସୀ ମାରଣ ନୀତି, ବ୍ୟାଙ୍କ ଘରୋଇକରଣ, ବନ୍ଦର, ଉଡ୍ଡାନ ଓ ରେଳ ଘରୋଇକରଣ, ଶିକ୍ଷା ମାରଣନୀତି, ନବରନô ଶିଳ୍ପ ଘରୋଇକରଣ, ବଡ଼ ବଡ଼ ଆରବ ପତିଙ୍କୁ କୋଟି କୋଟି ଟଙ୍କା ଋଣ କରେ ମାଫ, ଅମ୍ବାନୀ ଓ ଆଦାନୀକୁ ଅହେତୁକ ଅନୁକମ୍ପା, ନୋଟ ବନ୍ଦୀ, କରୋନା ବନ୍ଦୀ, କଳାଟଙ୍କା ବନ୍ଦୀ, ଇଲେକ୍ଟୋରାଲ ବଣ୍ଡ ଦୁର୍ନିତୀ, ବିଜେପିରେ ମିଶୁଥିବା ନ ଅଣ ବିଜେପି ରାଜନୈତିକ ମୁଖିଆଙ୍କୁ ବିଭିନ୍ନ ଆଳରେ ଜେଲ ବନ୍ଦୀ ଇତ୍ୟାଦି ଉପରେ ବର୍ଷିଥିଲେ । ସେହିଭଳି ବିଜେଡି ସରକାର ଚିଟ୍ଫଣ୍ଡ କମ୍ପାନୀକୁ ଅହେତୁକ ଅନୁକମ୍ପା, ଆଦିବାସୀ ଜମି ବିକ୍ରି ପାଇଁ ମସୁଧା, ବିଜେପି ଓ ବିଜେଡ଼ିର ମଧୁ ଚନ୍ଦ୍ରିକା, ୫ଟି ରୂପାନ୍ତିକରଣରେ ମହାଦୁର୍ନୀତି, ବାହାର ରାଜ୍ୟର ଠିକାଦାରଙ୍କୁ ଅନୁକମ୍ପା, ଶିକ୍ଷା, ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ, କୃଷକଙ୍କ ହାତ ଖାଲି, ୩୫ଭାଗ ଜମିକୁ ଆଜିଯାଏଁ ଜଳ ସେଚନ ନହେବା, ଶିଳ୍ପାୟନ ନହେବା ଇତ୍ୟାଦି ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଦେବୀ ପ୍ରସନ୍ନ ବେଶ୍ରା ଓ ସୁରେନ୍ଦ୍ର ହାଁସଦାଙ୍କ ସମେତ ଆଶା ଭରସା ପାର୍ଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ ।