ବାରିପଦା : ଓଡିଶା ନାଟ୍ୟ ଜଗତର ଅନ୍ୟତମ ଚର୍ଚ୍ଚିତ ଚେହେରା ଧୀର ବଶା । ୧୯୭୦ ମସିହାରୁ ନାଟକ ସହିତ ଜଡିତ ହୋଇ ସେ ଆଉ ପଛକୁ ଫେରିନାହାନ୍ତି । ୧୯୭୨ ମସିହା ଠାରୁ ଗୁରୁ ସ୍ୱର୍ଗତ ବିଜୟ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇବର୍ଷ ନାଟକ କରି ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଏ ପର୍ଯ୍ୟନ୍ତ ନାଟକ ସହିତ ଜଡିତ ଅଛନ୍ତି । ନିକଟ ଅତିତରେ ନାଲକୋ ଦାମନଯୋଡି ପଞ୍ଚପଟ୍ଟାମାଳୀ ନାଟ୍ୟ ମହୋତ୍ସବରେ ବିଚାରକ ଭାବେ ଯୋଗ ଦେବା ଅବସରରେ ତାଙ୍କୁ ସମ୍ମାନିତ କରାଯାଇଛି । ଖବର ପାଇ ବିଭିନ୍ନ ମହାଲରୁ ତାଙ୍କୁ ଅଭିନନ୍ଦନ ମିଳିଛି । ପ୍ରକାଶ ଥାଉକି ଶ୍ରୀ ବଶା ୧୦୦ ରୁ ଅଧିକ ନାଟକରେ ଅଭିନୟ କରିବା ସହ ୧୫୦ରୁ ଉର୍ଦ୍ଧ ନାଟକରେ ନିଦେ୍ର୍ଦଶନା ଦେଇଛନ୍ତି । ଭୁବନେଶ୍ୱର ଦୂରଦର୍ଶନ ଓ କଟକ ଆକାଶବାଣୀର ସେ ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର ଓ ଶ୍ରେଷ୍ଠ ଅଭିନେତା ଓ ନିଦେ୍ର୍ଦଶକ ଭାବେ ସେ ବହୁବାର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ୨୦୦୦ ମସିହାରେ ଓମ ନାଟ୍ୟସଂସ୍ଥା ଗଠନ କରି ଏଯାବତ ବହୁ ଯୁବ କଳାକାରଙ୍କୁ ନେଇ ନାଟକ କରିଆସୁଛନ୍ତି । ୨୦୧୫ ମସିହାରେ ଓଡିଶା ସରକାର ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ ଓ ୨୦୧୮ ମସିହାରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲେ ।