ବାରିପଦା : ସର୍ବଭାରତୀୟ ଫୁଟବଲ ଫେଡେରେସନ ଆନୁକୂଲ୍ୟରେ ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ଅନୁଷ୍ଠିତ ଜାତୀୟ ରେଫେରୀ ପରୀକ୍ଷାରେ ମୟୂରଭଞ୍ଜର ଉତ୍କଳମଣି ବେହେରା କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହି ପରୀକ୍ଷାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୨୮ଜଣ ପୁରୁଷ ଓ ମହିଳା କୃତକାର୍ଯ୍ୟ ହୋଇଛନ୍ତି । ଖବର ପାଇ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଉପସଭାପତି ବିବେକାନନ୍ଦ ପଟ୍ଟନାୟକ, ମନୋଜ କୁମାର ସାଓ, ଫୁଟବଲ ସମ୍ପାଦକ ଅମର କୁମାର ସେଠିଙ୍କ ସମେତ ସମସ୍ତ ସହ ସମ୍ପାଦକ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ଫୁଟବଲ ପ୍ରେମୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ସ୍ଥିତ ଶରଣଗଡ଼ ଗ୍ରାମର ପାଣୁଚରଣ ବେହେରା ଓ କୁନି ବେହେରାଙ୍କ ତୃତୀୟ ସନ୍ତାନ ଉକôଳମଣି ପାହାଡଭଙ୍ଗା ସ୍ଥିତ ସାଇରାମ ଉଚ୍ଚ ବିଦ୍ୟାଳୟ ଏବଂ କରଞ୍ଜିଆ କଲେଜରୁ ଶିକ୍ଷାଲାଭ କରିଥିଲେ । ଖବର ପାଇ ଉକ୍ତ ଅଂଚଳ ମାନଙ୍କରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶ ଥାଉକି ଶ୍ରୀ ବେହେରା ୨୦୧୫ ମସିହାରେ ଜିଲ୍ଲା ସ୍ତରରେ ରେଫେରୀ ଭାବେ କାର୍ଯ୍ୟ ଆରମ୍ଭ କରି ୨୦୧୭ ମସିହାରେ ରାଜ୍ୟ ସ୍ତରୀୟ ଏବଂ ୨୦୨୪ ମସିହାରେ ଜାତୀୟ ସ୍ତରୀୟ ରେଫେରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବର୍ତ୍ତମାନ ସେ ମୟୂରଭଞ୍ଜ ରେଫେରୀ ସଂଘର ସାଧାରଣ ସମ୍ପାଦକ ଥିବାବେଳେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ସ୍ଥିତ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲରେ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ।