Odisha news

ଜଳୁଛି ଶିମିଳିପାଳ : ରବିବାର ୪୫ ଗୋଟି ଫାୟାର ପଏଣ୍ଟ ଚିହ୍ନଟ, ନିୟନ୍ତ୍ରଣ ପାଇଁ ଓଡ୍ରାଫ ଟିମ୍ ସାମିଲ

0

ବାରିପଦା  : ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଅାଁ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ତାପମାତ୍ରାର ପାରଦ ୪୫ଡିଗ୍ରୀ ପାର ହେବା ସହ ହୁତୁ ହୁତୁ ହୋଇ ଶିମିଳିପାଳ ଅଭୟାରଣ୍ୟ ଜଳିବାରେ ଲାଗିଛି । ଯାହା ଫଳରେ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ମାନେ ଗରମ ତାତିରେ ଆଉଟ ପାଉଟ ହେଉଛନ୍ତି । ଶିମିଳିପାଳ ଭଳି ଘଞ୍ଚ ଓ ବିସ୍ତୀର୍ଣ୍ଣ ଜଙ୍ଗଲ ମୟୂରଭଞ୍ଜ ଜିଲ୍ଲାକୁ ଚାରିପଟୁ ଘେରି ରଖିଥିଲେ ମଧ୍ୟ ଏହାର କିଛି ପ୍ରଭାବ ପଡ଼ୁନାହିଁ । ପ୍ରତିଦିନ କ୍ରମଶଃ ତାପମାତ୍ରା ବୃଦ୍ଧି ପାଇବା ସହ ବନାଗ୍ନି ସ୍ଥିତି ମଧ୍ୟ ବଢ଼ିବାରେ ଲାଗିଛି । ଶନିବାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ୧୪ଗୋଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ ପରେ ଆୟତ୍ତ ହୋଇଥିବା ବେଳେ ରବିବାର ତାହା ବୃଦ୍ଧି ପାଇ ୪୫କୁ ଛୁଇଁଛି । ଯାହାଫଳରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ପରିସ୍ଥିତିକୁ ଅଣାୟତ୍ତ କରିଛି । ଯାହାକି ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ଫାୟାର ପଏଣ୍ଟ ହୋଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିଦେ୍ର୍ଦଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ପ୍ରଦାନ ତଥ୍ୟ ଅନୁଯାୟୀ, ୪୫ଗୋଟି ଫାୟାର ପଏଣ୍ଟ ମଧ୍ୟରୁ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ବନଖଣ୍ଡରେ ସମୁଦାୟ ୨୫ଗୋଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ ହୋଇଛି । ସେହିପରି ଦକ୍ଷିଣ ବନଖଣ୍ଡରେ ୧୮ଗୋଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ ହୋଇଛି । ଏଥିସହିତ କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡରେ ଗୋଟିଏ ଲେଖାଏଁ ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ ହୋଇଛି । ଶିମିଳିପାଳରେ ବନାଗ୍ନି ସ୍ଥିତି ନିୟନ୍ତ୍ରଣ ନିୟୋଜିତ ବନ କର୍ମଚାରୀ ସମେତ ୨୬ଜଣିଆ ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ମାନେ ଉକ୍ତ ଫାୟାର ପଏଣ୍ଟ ମାନଙ୍କରେ ପହଞ୍ଚି ବନାଗ୍ନି ସ୍ଥିତି ନିୟନ୍ତ୍ରଣ କରିଛନ୍ତି । ଫାୟାର ଲାଇନ ସୃଷ୍ଟି କରିବା ସହ ବନାଗ୍ନିକୁ ରୋକିବାରେ କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply