ବାରିପଦା : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସାରସକଣା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଦଳର ଆଶାୟୀଙ୍କ ମନରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ତିନି ପ୍ରମୁଖ ଦଳ ଲୋକଙ୍କ ହୃଦୟ ଜିଣିବା ଓ କର୍ମୀଙ୍କୁ ଏକଜୁଟ କରିବାରେ ଲାଗିପଡିଛନ୍ତି । ଯେଉଁ ଦଳୀୟ କର୍ମୀଙ୍କୁ ଦଳ ଚାରିବର୍ଷ ଧରି ବାସିପାଣିରେ ପଚାରୁ ନଥିଲା ସେମାନଙ୍କୁ ଏବେ ଠାରୁ ବିଭିନ୍ନ ଲୋଭ ଦେଖାଇ ଦଳରେ ସ୍ଥାନ ଦେବା ସହିତ ସୁନାମୁଣ୍ଢା ଭଳି କର୍ମୀଙ୍କୁ ସାଉଣ୍ଟୁ ଥିବା ଦେଖିବାକୁ ମିଳୁଛି । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ ଜେଏମଏମ କସରତ ଆରମ୍ଭ କରିଦେଇଛନ୍ତି ସାରସକଣା ବିଧାନସଭା ଆସନକୁ କବଜା କରିବାପାଇଁ । ଗତ ବିଧାନସଭା ନିର୍ବାଚନରେ ବିଜେଡି ଗୋଡ଼ ଟଣାଟଣି ନୀତି ପାଇଁ ନିଜର ପୂର୍ବ ଆସନ ହରାଇଥିଲା ବେଳେ ଚଳିତବର୍ଷ ଫୁଲ୍ ଦମରେ କସରତ ଆରମ୍ଭ କରିଦେଇଛନ୍ତି । ସେପଟେ ବିଜେପି ମଧ୍ୟ ନିଜର ଆସନ ବଜାଇରଖିବାକୁ ପୂର୍ଣ୍ଣ ବିଶ୍ୱାସରେ ରହିଛି । ଅନ୍ୟପଟେ ଜେଏମଏମ ବିଜାତଳା ବ୍ଲକ ଓ କୁସୁମିର କିଛି ଅଞ୍ଚଳ ସମ୍ପୂର୍ଣ୍ଣ ଅକ୍ତିଆରରେ ରଖିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ, ତୃତୀୟ ସ୍ଥାନରେ ରହୁଥିବା ଜେଏମଏମ ମଧ୍ୟ ଏଥର ପୁରା କସରତ ଆରମ୍ଭ କରିଦେଇଛି ଜିତିବାପାଇଁ । ହେଲେ ଗତ ନିର୍ବାଚନରେ ଚତୁର୍ଥ ସ୍ଥାନରେ ରହିଥିବା ପୂର୍ବତନ ସାଂସଦ ଇଂଜିନିୟର ରାମଚନ୍ଦ୍ର ହାଁସଦାଙ୍କ ଲୋକପ୍ରିୟତା ଏବେ ବଢିଥିବା ଦେଖିବାକୁ ମିଳୁଛି । ଗତ କିଛିଦିନ ତଳେ ସାଂସଦ ହାଁସଦା ବିଜେପିରେ ମିଶିବା ନେଇ ଚର୍ଚ୍ଚା ଚାଲିଥିବାବେଳେ ଏବେ କିନ୍ତୁ ରାଜନୈତିକ ପବନ ବିପରିତ ଦିଗରେ ବହୁଥିବାବେଳେ ବିଜେଡିରେ ମଧ୍ୟ ଟିକେଟ ପାଇ ପାରନ୍ତି ବୋଲି ଶୁଣାଯିବା ସହିତ ଜେଏମଏମ ଦଳ ମଧ୍ୟ ସାରସକଣା ବିଧାନସଭା ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ଅଫର୍ କରୁଥିବା ଜଣାପଡିଛି । ଏପଟେ ତିନି ପ୍ରମୁଖ ଦଳର କିଛି କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧିଗଣ ଖୋଲାଖୋଲି ନହେଲେ ମଧ୍ୟ ଭିତିରିଆ ପୂର୍ବତନ ସାଂସଦଙ୍କ ଗୁଣଗାନ କରୁଥିବା ଦେଖିବାକୁ ମିଳୁଛି । ଯଦି ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ହାଁସଦା ପୁନଃ ସ୍ୱାଧୀନ ବିଧାୟକ ପ୍ରାଥି ଭାବରେ ଛିଡ଼ା ହୁଅନ୍ତି, କି ଦଳୀୟ ଭାବରେ ଛିଡ଼ା ହୁଅନ୍ତି ତାହାଲେ ସୁନିଶ୍ଚିତ ଗତଥର ଅପେକ୍ଷା ଅଧିକ ଭୋଟରଙ୍କ ସମର୍ଥନ ପାଇବା ଓ ଜିତିବାର ସମ୍ଭାବନା ଢେର ଅଧିକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ମୟୂରଭଞ୍ଜ ସମେତ ରାଜ୍ୟରେ ଦୁଇ ଶାସକ ଓ ବିରୋଧି ଦଳ ବିଜେପି ଓ ବିଜେଡି ଅଧାରୁ ଅଧିକ ଆସନରେ ବିଧାନସଭା ଟିକେଟ୍ ନାମ ଘୋଷଣା କରିସାରିଥିବା ବେଳେ ସାରସକଣା ବିଧାନସଭା ଆସନ ପାଇଁ ପ୍ରାଥିଙ୍କ ନାମ ଘୋଷଣା କରିପାରିନାହିଁ । ଏପଟେ ପାଞ୍ଚ ବର୍ଷିଆ ନିର୍ବାଚନ ପର୍ବରେ ଭୋଟର ନିଜକୁ ସାମିଲ୍ ହେବାକୁ ଚାହୁଁଥିବାବେଳେ ଟିକେଟ ନାମ ଘୋଷଣା କରିବାକୁ ତିନି ପ୍ରମୁଖ ଦଳକୁ କାଠିକର ପାଠ ହୋଇପଡିଛି ।