Odisha news

ବାଲିଗୁଡା ଉପଖଣ୍ଡ ରେ ନିୟନ୍ତ୍ରଣ ବାହାରେ ନିଶା କାରବାର

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଅବକାରୀ ବିଭାଗର ରାଜସ୍ୱ  ବୃଦ୍ଧି ପାଇଁ ରାଜ୍ୟରେ ମଦର ବ୍ୟାପକ ପ୍ରସାର କରାଯାଉଛି। ନୂଆ ନୂଆ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉଛି। ଏଥିରୁ ଗ୍ରାମାଞ୍ଚଳ ମଧ୍ୟ ବାଦ୍‌ ପଡ଼ୁନାହିଁ। ଅନେକ ସ୍ଥାନରେ ମହିଳାମାନେ ବିରୋଧ କରୁଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଗାଁ ଗାଁରେ ଦେଶୀ, ବିଦେଶୀ ମଦ କାଉଣ୍ଟର ଖୋଲାଯିବା ଦ୍ୱାରା ଗ୍ରାମ୍ୟ ସଂସ୍କୃତି ସଙ୍କଟରେ ପଡ଼ିଲାଣି। ସାମାଜିକ ଓ ପାରିବାରିକ ବିଶୃଙ୍ଖଳା ବଢ଼ିଲାଣି। ହାତପାହାନ୍ତାରେ ନିଶା ସାମଗ୍ରୀ ମିଳିଯାଉଥିବାରୁ ନାବାଳକମାନେ ଏହା କବଳରେ ପଡ଼ି ବିଭିନ୍ନ ଅସାମାଜିକ କାର୍ଯ୍ୟ ଆଡ଼େ ମୁହାଁଇଲେଣି। ପୋଲିସ ଓ ଅବକାରୀ ବିଭାଗର ଅପାରଗତା ଯୋଗୁ ଚୋରା କାରବାର ଏପରି ବଢ଼ିଲାଣି ଯେ ଗ୍ରାମାଞ୍ଚଳରେ ନିଶା ଆଉ ନିୟନ୍ତ୍ରଣରେ ନ ଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି l କନ୍ଧମାଳ  ଜିଲା ବାଲିଗୁଡା ଉପଖଣ୍ଡ ର ପ୍ରତ୍ୟେକ ଅଞ୍ଚଳରେ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ଖୋଦ ବାଲିଗୁଡା ଟାଉନରେ ଦୁଇଟି ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ କାଉଣ୍ଟର ରହିଛି। କିନ୍ତୁ ଚୋରାରେ ମଦ ବିକ୍ରି କରାଯାଉଥିବା ଦୋକାନ ସଂଖ୍ୟା ଶତାଧିକ। କିଏ ଜଳଖିଆ ଦୋକାନରେ ତ କିଏ ଖୋଲାରେ  ବୋତଲରେ ମଦ ବିକ୍ରି କରୁଛନ୍ତି ତ ଆଉ କେଉଁ ରାଶନ, ପାନ ଦୋକାନ, ଢାବା ଓ ଚାଳିଆ ହୋଟେଲରେ କୋଲଡ୍ରିଙ୍କ ପ୍ଲାଷ୍ଟିକ କାଚରେ  ଏହି କାରବାର ଜୋର୍‌ ଧରିଛି। କେବଳ ଦେଶୀ ନୁହେଁ, ବିଦେଶୀ ମଦର ମଧ୍ୟ ଚୋରା କାରବାର ହେଉଛି। ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ଅଞ୍ଚଳରେ ଏଜେଣ୍ଟ ରଖି ସେମାନଙ୍କ ଜରିଆରେ ଦେଶୀ ଓ ବିଦେଶୀ ଚୋରା ମଦ ଗ୍ରାମାଞ୍ଚଳକୁ ପଠାଉଛନ୍ତି। ସାଇକେଲ, ବାଇକ୍‌ ଓ ତେଲ ଜାର୍‌ ଯୋଗେ ଶତାଧିକ ଲିଟର ମଦ ଏଜେଣ୍ଟମାନେ ଯୋଗାଇ ଦେଉଛନ୍ତି। ଚୋରା ଦେଶୀ ମହୁଲି  ମଦର ଅଧିକ ଚାହିଦା ଥିବାରୁ ଏହି ଚୋରା ବେପାରୀ ମାନେ କେତେବେଳେ କେଉଁ ପ୍ରକାରେ ଆଣି  ବିକ୍ରି କରୁଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଗାଁଗୁଡ଼ିକରେ ଏହି ଚୋରା ବ୍ୟବସାୟ ବହୁଳ ଭାବେ ଚାଲିଥିବାରୁ ବହୁ ସଂଖ୍ୟାରେ ନାବାଳକ ଏହି କାରବାରରେ ଯୋଡ଼ି ହେବା ସହ ନିଶା ପାନ କରୁଛନ୍ତି। ଏଥିଯୋଗୁ ଗାଁର ସାମାଜିକ ସ୍ଥିତି ବିଗିଡ଼ିବା ସହ ଅନେକ ସମୟରେ ଅପରାଧମାନ ଘଟୁଛି। ନିଶା ବ୍ୟବହାର କରୁଥିବା ନାବାଳକମାନେ ଚୋରି, ଡକାୟତି ଆଦି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାପଡୁଛି।ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଆଖିବୁଜି ଦେଇଥିବାରୁ ଚୋରା ମଦ କାରବାର ଅପରାଧ ବୃଦ୍ଧିର କାରଣ ସାଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l

Nalco
Leave A Reply