ବାଲିଗୁଡ଼ା, ୧୯/୧୧ :(ସଞ୍ଜୟ କୁମାର ପାଣିଗ୍ରାହୀ): ଆଗାମୀ ଦିନରେ ବାଲିଗୁଡ଼ା ରାଜନୀତି କେଉଁ ମୋଡ଼ ନେବ, ତାହାକୁ ନେଇ ଏବେଠାରୁ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରୁବାର ବାଲିଗୁଡ଼ା ସହରରେ ବିଧାୟକ ଚକ୍ରମଣି କହଁର ଓ ବିଜେଡିରୁ ନିଲମ୍ବିତ ପୂର୍ବତନ ବିଜେଡି ନେତା ଟୁନା ଦାସଙ୍କ ସମର୍ଥକଙ୍କ ବିଶାଳ ସମାବେଶ ଓ ବାଇକ୍ ରାଲି ରାଜନୈତିକ ମହଲରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ହଜାର ହଜାର ସମର୍ଥକଙ୍କ ଉପସ୍ଥିତି ଏବଂ ସହର ପରିକ୍ରମା କରି ନିଜ ନିଜର ଜନସମର୍ଥନ ପ୍ରଦର୍ଶନ କରିବା ଘଟଣା ଆଗାମୀ ନିର୍ବାଚନୀ ରାଜନୀତିର ଆଭାସ ଦେଇଛି। ବିଶେଷ କରି ବିଜେଡିରୁ ନିଲମ୍ବିତ ହେବା ପରେ ଟୁନା ଦାସଙ୍କ ପକ୍ଷରୁ ଏଭଳି ବିଶାଳ ସମର୍ଥକ ସମାବେଶ ଆୟୋଜନକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ଦଳୀୟ ସଂଗଠନ ବାହାରେ ରହି ମଧ୍ୟ ନିଜର ରାଜନୈତିକ ପ୍ରଭାବ ଓ ଜନସମ୍ପର୍କ କେତେ ମଜବୁତ ରହିଛି, ତାହାର ଏକ ବାର୍ତ୍ତା ଦେବାକୁ ଟୁନା ଦାସ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମଧ୍ୟ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କୁ ଏକଜୁଟ କରି ସହରରେ ନିଜର ରାଜନୈତିକ ଉପସ୍ଥିତି ଜାହିର କରିଛନ୍ତି। ଉଭୟ ନେତାଙ୍କ ସମର୍ଥକଙ୍କ ବିପୁଳ ଉପସ୍ଥିତି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବାଲିଗୁଡ଼ା ଅଞ୍ଚଳରେ ରାଜନୈତିକ ଚଳଚଞ୍ଚଳତା ବଢ଼ାଇ ଦେଇଛି। ସୂଚନା ଅନୁସାରେ, ଟୁନା ଦାସଙ୍କ ସମର୍ଥକ ମାନେ ବାଲିଗୁଡ଼ା ର ବରାଳଦେବୀ ପୀଠ ନିକଟରେ ଏକତ୍ରିତ ହୋଇ ସେଠାରୁ ଏକ ବିଶାଳ ବାଇକ୍ ରାଲିରେ ବାହାରିଥିଲେ। ରାଲି ଦଣ୍ଡପଦର ସମେତ ବାଲିଗୁଡ଼ା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଶତାଧିକ ନୁହେଁ, ହଜାରେରୁ ଊର୍ଦ୍ଧ୍ୱ ବାଇକ୍ ଏହି ରାଲିରେ ସାମିଲ ହୋଇଥିବା ଦାବି କରାଯାଇଛି। ବିଭିନ୍ନ ସ୍ଥାନରେ ସମର୍ଥକଙ୍କ ଉତ୍ସାହ ଓ ସ୍ଲୋଗାନ ରେ ସହରର ରାଜନୈତିକ ପରିବେଶ ସରଗରମ ହୋଇଉଠିଥିଲା। ରାଲିରେ ‘ବିଜୁ ପଟ୍ଟନାୟକ ଅମର ରହେ’, ‘ଚକ୍ରମଣି କହଁର ଜିନ୍ଦାବାଦ’, ‘ଟୁନା ଦାସ ଜିନ୍ଦାବାଦ’ ଏବଂ ‘ପ୍ରମୋଦ କୁମାର ସାହୁ ଜିନ୍ଦାବାଦ’ ଭଳି ସ୍ଲୋଗାନରେ ସହର ମୁଖରିତ ହୋଇଥିଲା। ରାଲିରେ ବିଧାୟକ ଚକ୍ରମଣି କହଁର, ବରିଷ୍ଠ ନେତା ଟୁନା ଦାସ, ତୁମୁଡ଼ିବନ୍ଧ ବ୍ଲକର ନେତା ପ୍ରମୋଦ କୁମାର ସାହୁ, ନଗର ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଙ୍କ ସମେତ ବାଲିଗୁଡା, କ.ନୂଆଗାଁ, ତୁମୁଡିବନ୍ଧ ଓ କୋଟଗଡ଼ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ସହର ପରିକ୍ରମା ପରେ ଏହି ରାଲି ସିନ୍ଦ୍ରିଗାଁ ଠାରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ଭଲିବଲ୍ ଫାଇନାଲ୍ ଟୁର୍ଣ୍ଣାମେଣ୍ଟରେ ବିଧାୟକ ଚକ୍ରମଣି କହଁର, ଟୁନା ଦାସ, ପ୍ରମୋଦ କୁମାର ସାହୁ, ଲୋକନାଥ ପାଢ଼ୀ ଓ ଅବନୀକାନ୍ତ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ନିର୍ବାଚନମଣ୍ଡଳୀର ବହୁ ସମର୍ଥକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ଏହି ବାଇକ୍ ରାଲିକୁ କେବଳ ଏକ ସାଧାରଣ ରାଜନୈତିକ ଶୋଭାଯାତ୍ରା ଭାବେ ଦେଖାଯାଉନାହିଁ। ବରଂ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସଂଗଠନକୁ ମଜବୁତ କରିବା ଓ ତୃଣମୂଳ ସ୍ତରରେ ସମର୍ଥକଙ୍କୁ ଏକାଠି କରିବାର ଏକ ରାଜନୈତିକ ପ୍ରୟାସ ଭାବେ ଏହାକୁ ବିଚାର କରାଯାଉଛି। ଆଗାମୀ ଦିନରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଜନସମ୍ପର୍କ କାର୍ଯ୍ୟକ୍ରମ ଜାରି ରଖାଯିବ ବୋଲି ସମର୍ଥକ ମାନେ କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଟୁନା ଦାସଙ୍କ ନିଲମ୍ବନ ପରବର୍ତ୍ତୀ ରାଜନୈତିକ ଭୂମିକା ଆଗାମୀ ଦିନରେ କେଉଁ ଦିଗକୁ ଗତି କରିବ? ବିଧାୟକ ଚକ୍ରମଣି କହଁରଙ୍କ ସହ ତାଙ୍କର ଏହି ରାଜନୈତିକ ଉପସ୍ଥିତି ବାଲିଗୁଡ଼ାରେ ନୂଆ ସମୀକରଣ ସୃଷ୍ଟି କରିବ କି? ଏହାର ଉତ୍ତର ଆଗାମୀ ଦିନର ରାଜନୈତିକ ଘଟଣାକ୍ରମ ହିଁ ସ୍ପଷ୍ଟ କରିବ। ତେବେ ଗୁରୁବାରର ଏହି ବିଶାଳ ସମାବେଶ ବାଲିଗୁଡ଼ା ରାଜନୀତିରେ ନିଶ୍ଚିତ ଭାବେ ଏକ ଚର୍ଚ୍ଚିତ ଘଟଣା ହୋଇ ରହିବ।
