ବାଲିଗୁଡ଼ା, ୧୯/୧୧ : ସମ୍ଭାବ୍ୟ ବାତ୍ୟା ‘ଆକବନ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ପାଗରେ ଦେଖାଦେଇଛି ପରିବର୍ତ୍ତନ। ଆକାଶ ମେଘାଚ୍ଛନ୍ନ ରହିବା ସହ ଦିନତମାମ କୋହଲା ପାଗ, ଝିପିଝିପି ବର୍ଷା ଏବଂ ମଝିରେ ମଝିରେ ସାମାନ୍ୟ ପବନ ଜାରି ରହିଛି। ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ମଧ୍ୟ ବାଧା ଉପୁଜିଛି। ସକାଳୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ରହିଥିବାବେଳେ ସୂର୍ଯ୍ୟଙ୍କ ଦର୍ଶନ ମିଳିନଥିଲା। ମଝିରେ ମଝିରେ ହାଲୁକା ବର୍ଷା ସାଙ୍ଗକୁ ଥଣ୍ଡା ପବନ ବହିବା ଯୋଗୁଁ ପାଗ ଅଧିକ କୋହଲା ହୋଇପଡ଼ିଛି। ଏହି ପାଗ ଯୋଗୁଁ ବଜାରଘାଟରେ ଲୋକଙ୍କ ଚଳପ୍ରଚଳ ଉପରେ ପ୍ରଭାବ ପଡ଼ିଥିବାବେଳେ ଅନେକ ଲୋକ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ବିଶେଷକରି ଦୈନିକ ମଜୁରିଆ, ଉଠାଦୋକାନୀ, ଛୋଟ ବ୍ୟବସାୟୀ ଏବଂ ଗ୍ରାମାଞ୍ଚଳର ଲୋକମାନେ ଏହି ପାଗ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଯୋଗୁଁ ରାସ୍ତାଘାଟ ଓ ବଜାର ଅଞ୍ଚଳରେ ଲୋକଙ୍କ ଯାତାୟାତ ମଧ୍ୟ ପୂର୍ବାପେକ୍ଷା କମିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ପାଗରେ ହଠାତ୍ ପରିବର୍ତ୍ତନ ହେବାରୁ ଚାଷୀମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ଅମଳ ଉପଯୋଗୀ ଫସଲ ଓ ପନିପରିବା ଚାଷ ଉପରେ ବର୍ଷାର କି ପ୍ରଭାବ ପଡ଼ିବ, ସେନେଇ ଚାଷୀଙ୍କ ମନରେ ଚିନ୍ତା ବଢ଼ିଛି।
ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସତର୍କ ସୂଚନା ପ୍ରତି ଧ୍ୟାନ ଦେବା ସହ ଅଯଥାରେ ବାହାରକୁ ନଯିବା ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସଚେତନ ମହଲରେ ମତ ପ୍ରକାଶ ପାଇଛି। ବର୍ତ୍ତମାନ ବାଲିଗୁଡ଼ା ଅଞ୍ଚଳରେ କୋହଲା ପାଗ ଓ ଝିପିଝିପି ବର୍ଷା ଜାରି ରହିଥିବାରୁ ଆଗାମୀ ଦିନରେ ପାଣିପାଗ କି ମୋଡ଼ ନେବ, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।
