Odisha news

ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ପ୍ରଶାସନର ଆଗୁଆ ପଦକ୍ଷେପ:  ୪ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ରହିବା ସହ ଖାଦ୍ୟପେୟ ବ୍ୟବସ୍ଥା

0
ବାଲିଗୁଡ଼ା, ୧୯/୧୧ : (ସଞ୍ଜୟ କୁମାର ପାଣିଗ୍ରାହୀ): ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଅକଭାନ୍’କୁ ନେଇ କନ୍ଧମାଳ ଜିଲ୍ଲାରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ବାତ୍ୟାର ପ୍ରଭାବରେ ପାଗରେ ପରିବର୍ତ୍ତନ ସହ ବର୍ଷାର ପରିମାଣ ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତତ୍ପର ହୋଇପଡ଼ିଛି। ଜିଲ୍ଲାଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଅଧିକାରୀ ମାନେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।
ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ପକ୍ଷରୁ ଲୋକଙ୍କ ସୁରକ୍ଷା ନିମନ୍ତେ ବିଶେଷ ପ୍ରସ୍ତୁତି କରାଯାଇଛି। ପଞ୍ଚାୟତର ଚାରିଟି ପ୍ରମୁଖ ସ୍ଥାନ କସବସା, ହାତୀମୁଣ୍ଡା, ତାମାଙ୍ଗି ଓ କସପଙ୍କାଠାରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ବିପଦ ସମୟରେ ଅଞ୍ଚଳବାସୀ ଯେପରି ନିରାପଦ ସ୍ଥାନରେ ରହିପାରିବେ, ସେଥିପାଇଁ ଏହି ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। କେବଳ ଆଶ୍ରୟ ନୁହେଁ, ଏହି କେନ୍ଦ୍ରଗୁଡ଼ିକରେ ଲୋକଙ୍କ ରହିବା ସହ ଆବଶ୍ୟକ ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଶେଷକରି ବର୍ଷା ଓ ପବନର ପ୍ରଭାବରେ ଯଦି କୌଣସି ଅଞ୍ଚଳରେ ବିପଦପୂର୍ଣ୍ଣ ପରିସ୍ଥିତି ଉପୁଜେ, ତେବେ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ସହ ଜରୁରୀକାଳୀନ ସହାୟତା ପହଞ୍ଚାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଅନ୍ୟପକ୍ଷରେ ବାତ୍ୟାକୁ ନେଇ ଗୁଜବ କିମ୍ବା ଅଯଥା ଆତଙ୍କିତ ନହୋଇ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସୂଚନା ଓ ନିର୍ଦ୍ଦେଶକୁ ଅନୁସରଣ କରିବା ସହ ଆବଶ୍ୟକ ସ୍ଥଳେ ନିରାପଦ ଆଶ୍ରୟ ସ୍ଥଳୀକୁ ଚାଲିଯିବାକୁ ଅନୁରୋଧ କରାଯାଇଛି। ବିପଦ ପୂର୍ବରୁ ପ୍ରସ୍ତୁତି ଓ ସଚେତନତା ହିଁ ଧନଜୀବନ ସୁରକ୍ଷାର ମୁଖ୍ୟ ଆଧାର ହୋଇଥିବାରୁ ହାତୀମୁଣ୍ଡା ପଞ୍ଚାୟତର ଏହି ଆଗୁଆ ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
Ad2
Leave A Reply