Odisha news

ଚକ୍ଖଡ଼ିରେ ଖୋଦେଇକରି ଫକୀରମୋହନଙ୍କୁ ନୂଆ ରୂପ ଦେଲେ ଶିଳ୍ପୀ ସଞ୍ଜୟ ରାଉଳ

0

ବାଲେଶ୍ୱର -ସଂକ୍ରାନ୍ତୀ ପୁରୁଷ ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଆସନ୍ତା ୧୫ ତାରିଖରେ ପଡ଼ୁଥିବା ବେଳେ ବାଲେଶ୍ୱରର ପ୍ରତିଭାବାନ ତରୁଣ ଚିତ୍ରଶିଳ୍ପୀ ସଂଜୟ ରାଉଳ ଫକୀରମୋହନଙ୍କୁ ଆବକ୍ଷ ଚକ୍ଖଡ଼ି ଦେହରେ ଖୋଦେଇ କରି କାର୍ଭିଂ ଦ୍ୱାରା ଗଢି ଇତିହାସ ରଚିଛନ୍ତି । କୁହାଯାଉଛି ଏହା ବିଶ୍ୱର ସବୁଠୁ କ୍ଷୁଦ୍ରତମ ଫକୀରମୋହନ । ଭାସ୍କର୍ଯ୍ୟ କଳାରେ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ଶେଷକରି ସମ୍ପ୍ରତି କଳାଛାତ୍ରଙ୍କୁ ଶିକ୍ଷାଦାନ ଦେଉଥିବା ସଂଜୟ ଫକୀରମୋହନ ସେନାପତିଙ୍କ ଆତ୍ମଜୀବନି ପଢିବାପରେ ଏପରି ଏକ ଖିଆଲର ବଶବର୍ତ୍ତୀ ହୋଇଥିଲେ । କାଠ, ପଥର,ମାଟି,ଫାଇବର ଇତ୍ୟାଦିରେ କାର୍ଭିଂକରି ବିଭିନ୍ନ ପ୍ରତିକୃତି କରାଯାଉଥିବା ବେଳେ ଗୋଟିଏ ଆଙ୍ଗୁଳି ପରିମାପର ଚକ୍ଖଡ଼ିକୁ କାର୍ଭିଂ କରି ଅବିକଳ ଫକୀରମୋହନଙ୍କ ପ୍ରତିମୂର୍ତ୍ତୀ ଗଢିବାରେ ସଫଳ ହୋଇଛନ୍ତି ତରୁଣ ଚିତ୍ରଶିଳ୍ପୀ ସଂଜୟ ରାଉଳ । ଆଗାମୀ ୧୫ ତାରିଖ ମକର ସଂକ୍ରାନ୍ତିଦିନ ବାଲେଶ୍ୱର ସହରର ମଲ୍ଲିକାଶପୁର ଠାରେ ଥିବା କବିତୀର୍ଥ ଶାନ୍ତିକାନନ ପରିସରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୮ତମ ଜୟନ୍ତୀ ପାଳନ ଅବସରରେ ଅତିଥିଙ୍କୁ ଫକୀରମୋହନଙ୍କ ଏହି କ୍ଷୁଦ୍ରତମ ଆବକ୍ଷଚକ୍ଖଡ଼ି ପ୍ରତିଛବିକୁ ପ୍ରଦାନ କରି ଚିତ୍ରଶିଳ୍ପୀ ଶ୍ରୀ ସଂଜୟ ରାଉଳ ଶ୍ରଦ୍ଧାଞ୍ଜଳି ଜଣାଇବେବୋଲି କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଏକଟା ଭାଷା ନୟ ବୋଲି କହିଥିବା କାନ୍ତିଲାଲଙ୍କ ଚକ୍ରାନ୍ତକୁ ପଣ୍ଡକରି ଓଡ଼ିଆ ଜାତିର ତ୍ରାଣକର୍ତ୍ତା ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆଭାଷାକୁ ବଞ୍ଚାଇଥିଲେ । ସେଇ ଭାଷାର ତ୍ରାଣକର୍ତ୍ତାଙ୍କୁ କିଭଳି ଶ୍ରଦ୍ଧା ନିବେଦନ କରାଯିବ ବୋଲି ଭାବୁଥିବା ଶିଳ୍ପୀ ଶ୍ରୀ ରାଉଳଙ୍କ ମୁଣ୍ଡରେ ଚକ୍ଖଡ଼ି ଉପାୟଟି ଆସିଥିଲା । ଶିକ୍ଷାପ୍ରାରମ୍ଭର ପ୍ରଥମ ପାହାଚରେ ଆମେ ଚକ୍ଖଡ଼ି ମାଧ୍ୟମରେ କିଛି ଶିଖୁ । ସମସ୍ତ ଶିକ୍ଷାର ଆଦ୍ୟ ଆବଶ୍ୟକତା ହେଲା ଏହି ଚକ୍ଖଡି । ତେଣୁ ମୋ ଭାଷାର ଶିଖର ପୁରୁଷଙ୍କୁ ଏହି ଚକ୍ଖଡି ଦେହରେ ଫୁଟେଇବି ବୋଲି ଭାବିବା ସହ ଏହା ଶେଷରେ କରି ଦେଖାଇଛନ୍ତି ଶିଳ୍ପୀ ସଂଜୟ ରାଉଳ । ପୂର୍ବରୁ କେହିବି ଫକୀରମୋହନଙ୍କ ଏପରି ଏକ ଛବି ଚକ୍ଖଡ଼ିରେ କରିନଥିବା ବେଳେ ସଂଜୟଙ୍କର ଏପରି ଏକ ପ୍ରୟାସ ବାଲେଶ୍ୱରରେ ଚର୍ଚ୍ଚାର ବିଷୟ ହୋଇଛି । ସବୁଠୁ ବଡ଼ ସଂଯୋଗ ହେଉଛି ସଂଜୟଙ୍କ ଜନ୍ମ ମଧ୍ୟ ମକର ସଂକ୍ରାନ୍ତି ଦିନ ହୋଇଥିଲା । ସୂଚନା ଅନୁସାରେ ଏପ୍ରକାର କାର୍ଯ୍ୟ ପାଇଁ କେବଳ ଗୋଟିଏ ଚକ୍ଖଡି ଓ ଗୋଟିଏ ନିଡ଼ିଲ୍ ସହିତ ଦରକାର ପ୍ରଚୁର ଏକାଗ୍ରତା । ଏଥିପାଇଁ ସମୟ ୨ରୁ ୩ ଘଣ୍ଟା ଲାଗୁଥିବା ବେଳେ ନିରବଛିନ୍ନ ଭାବେ କଲେ ଆଖି ବିନ୍ଧି ଥାଏ । ତେବେ କାର୍ଯ୍ୟଟି ବେଶ୍ ସୂକ୍ଷ୍ମ ଓ ଏଥିପାଇଁ ଶିଳ୍ପୀଙ୍କ ଆଗ୍ରହ ଯୋଗୁଁ ଏହାର ଡିମାଣ୍ଡ ଆଗାମୀ ଦିନରେ ବଢିପାରିବ ବୋଲି ସାଧାରଣରେ ଚର୍ଚ୍ଚା ।

Leave A Reply