ପୁରୀ: ମାଘମ କୃଷ୍ଣ ପକ୍ଷ ଦ୍ୱିତୀୟାତିଥିରେ ଶ୍ରୀନଅରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ପୁଷ୍ୟାଭିଷେକ ଉତ୍ସବ ସମ୍ପନ୍ନ ହୋଇଛି । ଷୋଳଶାସନର ବ୍ରାହ୍ମଣ ମଣ୍ଡଳୀ ଗଜପତି ମହାରାଜାଙ୍କୁ ସୁବର୍ଣ୍ଣ ଉପବୀତ, ନାରିକେଳ ଓ ପଦରଜ ପ୍ରଦାନ ପୂର୍ବକ ଅଭିମନ୍ତ୍ରିତ ଅକ୍ଷତ ପ୍ରଦାନ କରି ଆଶୀର୍ବାଦ କରିଥିଲେ । ଶ୍ରୀନଅରରେ ରାମାଭିଷେକ ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି ରାଜକୀୟ ଉତ୍ସବରେ ଗଜପତିଙ୍କ ପରିବାରର ସଦସ୍ୟ, ଆତ୍ମୀୟ ସ୍ୱଜନ ଓ ରାଜପ୍ରସାଦର କର୍ମଚାରୀମାନେ ଉପସ୍ଥିତ ଥିଲେ । ଗଜପତି ସିଂହାସନରେ ଆସୀନ ହୋଇଥିଲେ । ବିଧିବିଧାନ ଅନୁଯାୟୀ ରାଜଗୁରୁଙ୍କ ଦ୍ୱାରା ପଞ୍ଚଦେବତା ଯଥା ଶ୍ରୀଜଗନ୍ନାଥ, ଶ୍ରୀନୃସିଂହ, ଗଜପତିଙ୍କ ଇଷ୍ଟଦେବୀ ଶ୍ରୀକନକ ଦୁର୍ଗା ଓ ବର୍ଦ୍ଧନୀ କଳସକୁ ପୂଜା କରାଯାଇଥିଲା । ଘୃତ ଓ ପବିତ୍ର ଗଙ୍ଗାଜଳକୁ ଅଭିମନ୍ତ୍ରିତ କରାଯାଇ ଅଭିଷେକ ନୀତି ସଂପନ୍ନ ହୋଇଥିଲା । ଅଭିଷେକ ପରେ ଗଜପତି ରାଜପ୍ରାସାଦର ଦେବାର୍ଚ୍ଚନ ଗୃହକୁ ବିଜେ କରିଥିଲେ । ସେଠାରେ ଶ୍ରୀମନ୍ଦିରରୁ ଅଣାଯାଇଥିବା ପ୍ରସାଦ ଗଜପତିଙ୍କୁ ଲାଗି କରାଯାଇଥିଲା । ଷୋଳଶାସନରୁ ଆସିଥିବା ବ୍ରାହ୍ମଣମାନେ ଗଜପତିଙ୍କୁ ପଇତା ଓ ନାରିକେଳ ଦେବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ । ବ୍ରାହ୍ମଣମାନଙ୍କ ଦ୍ୱାରା ମହାରାଜା ଏବଂ ମହାରାଣୀଙ୍କ ଉପରେ ଆଶୀର୍ବାଦ ଚାଉଳ ପକାଯାଇଥିଲା । ଗଜପତି ବ୍ରାହ୍ମଣମାନଙ୍କ ପାଦଧୂଳି ନେଇଥିଲେ । ଅଭିଷେକ ବିଧି ଶେଷ ହେବା ପରେ ଗଜପତି ଇଷ୍ଟଦେବୀ କନକ ଦୁର୍ଗାଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିଥିଲେ । ସୂଚନାଯୋଗ୍ୟ ଯେ ରାମାୟଣ ଯୁଗରୁ ରାମାଭିଷେକ ବା ପୁଷ୍ୟାଭିଷେକ ପରମ୍ପରା ପ୍ରଚଳିତ ହୋଇଆସୁଅଛି ।