ସୁଭେନ୍ଦ୍ର ପଟ୍ଟନାୟକ : ବୈଜୟନ୍ତ ପଣ୍ଡାଙ୍କ ନାଁ କହିଲେ କେବଳ ଓଡିଶା କାହିଁକି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବି ଲୋକେ ତାଙ୍କୁ ଚିହ୍ନିବେ । ନିଜସ୍ୱ ପରିଚୟରେ ସେ ପରିଚିତ । ନିଜସ୍ୱ ଗୌରବରେ ଗୌରବ ମଣ୍ଡିତ । ଶିଳ୍ପପତି ବାପା ବଂଶୀଧର ପଣ୍ଡାଙ୍କ ସୁପୁତ୍ର ବୈଜୟନ୍ତ କେବଳ ଜଣେ ଶିଳ୍ପପତି, ସମାଜସେବୀ ଓ ରାଜନେତା ମଧ୍ୟରେ ସୀମିତ ନୁହଁନ୍ତି ବରଂ ଜଣେ ଖ୍ୟାତିସଂପନ୍ନ ସ୍ତମ୍ଭକାର ଭାବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଯଥେଷ୍ଟ ସୁନାମ ରହିଛି ।
ତାଙ୍କ ବାପା ଏକଦା ଓଡିଶାର ଶିଳ୍ପର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଓ ସହଯୋଗୀ ଥିଲେ । ବିଭିନ୍ନ କ୍ଷେତ୍ରରେ ସେ ବିଜୁବାବୁଙ୍କ ପୃଷ୍ଠପୋଷକ ମଧ୍ୟ ଥିଲେ । ବୈଜୟନ୍ତ ବାବୁ ୟୁଏସ୍ଏର ମିଚିଗାଓଁ ବିଶ୍ୱ ବିଶ୍ୱବିଦ୍ୟାଳୟରୁ ଦୁଇ ଦୁଇଟି ବିଷୟରେ ଇଞ୍ଜିନିୟରିଂ ଡିଗ୍ରୀ ପ୍ରାପ୍ତ ହୋଇ ଶିଳ୍ପ ଓ ସମାଜସେବାରେ ମନୋନିବେଶ କରିଥିଲେ ।
ପରେ ବିଜୁ ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ କରି କେନ୍ଦ୍ରାପଡାରୁ ଦୁଇ ଥର ଲୋକ ସଭାକୁ ନିର୍ବାଚିତ ଓ ଦୁଇ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଏହି ସମୟ ଅବଧି ମଧ୍ୟରେ ସେ ନିଜ ଦକ୍ଷତା ଓ ପାରଦର୍ଶିତାର ପରିଚୟ ଦେଇ ସାଧାରଣରେ ବେଶ ପରିଚିତ ହେବା ସହ ଜଣେ ଦକ୍ଷ, ବାସ୍ତବବାଦୀ ଓ ସ୍ୱାଧୀନଚେତା ରାଜନେତା ଭାବରେ ଜାତୀୟ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରି ପାରିଛନ୍ତି ।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରସଙ୍ଗ ଉପରେ ସେ ନିୟମିତ ଭାବେ ବିଭିନ୍ନ ଇଂରାଜୀ ସମ୍ବାଦପତ୍ର ଗୁଡିକରେ ସ୍ତମ୍ଭ ଲେଖିବା ସହିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ତର୍କ ବିତର୍କରେ ଭାଗ ନେଇ ବେଶ ପ୍ରଶଂସିତ ହୋଇ ପାରିଛନ୍ତି । ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ବିଶ୍ୱାସ ରଖିଥିବା ଶ୍ରୀ ପଣ୍ଡା ଜଣେ ସଚ୍ଚୋଟ, ଉଚ୍ଚାଭିଳାଷୀ ଓ ପରିପକ୍ୱ ରାଜନେତା କହିଲେ ଭୁଲ ହେବନି ।
ବୈଜୟନ୍ତ ବାବୁ ଜଣେ ସାଲିସ ବିହୀନ ଓ ବାସ୍ତବବାଦୀ ରାଜନେତା ହୋଇଥିବାରୁ ବିଜୁ ଜନତା ଦଳର କିଛି ରାଜନେତାଙ୍କ ଷଡଯନ୍ତ୍ର ଓ ଆକ୍ରୋଶର ଶିକାର ହୋଇଥିଲେ । ଶ୍ରୀ ପଣ୍ଡାଙ୍କ ଉପରେ ଦଳ ବିରୋଧୀ କାର୍ଯ୍ୟ କରୁଥିବାର ମିଥ୍ୟା ଆରୋପ ଲଗା ଯାଇଥିଲା ଓ ଦଳରୁ ନିଲମ୍ବନ କରାଯାଇଥିଲା । ଏଥିରେ ଅତିଷ୍ଠ ହୋଇ ଶେଷରେ ଗତ ୨୦୧୮ରେ ସେ ଏହି ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
୨୦୧୯ ସାଧାରଣ ନିର୍ବାଚନରେ ସେ ସାଂସଦ ଭାବେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟି ତାଙ୍କୁ ଦଳର ସମ୍ମାନ ଜନକ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀରେ ଆସୀନ କରାଇ ତାଙ୍କ ଦକ୍ଷତାକୁ ପରିପ୍ରକାଶ କରିବାର ସୁଯୋଗ ଦେଇଛି । ସଂପ୍ରତି ବିଜେପି ଶ୍ରୀ ପଣ୍ଡାଙ୍କୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ ତାଙ୍କ ମତାମତ ଓ ପରାମର୍ଶକୁ ମଧ୍ୟ କାର୍ଯ୍ୟକାରୀ କରାଉଛି ।
ଶ୍ରୀ ପଣ୍ଡା ସାଂସଦ ଥିବା ସମୟରେ ବିଭିନ୍ନ କେନ୍ଦ୍ରୀୟ କମିଟିରେ ସମ୍ମାନଜନକ ପଦ ପଦବୀରେ ଅଧିଷ୍ଠିତ ହୋଇ ସେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ବିଶେଷକରି ଭାରତରୁ ଅପପୁଷ୍ଟିର ପ୍ରାଦୁର୍ଭାବ ହ୍ରାସ ଲାଗି ଜନ ସଚେତନତା ସୃଷ୍ଟି କରିବା, ଟବାକୋ ସେବନର କୁପରିଣାମ ସଂପର୍କରେ ଲୋକଙ୍କୁ ସତର୍କ କରାଇବା ଓ ଆନ୍ଧ୍ରପ୍ରଦେଶରେ ଇଟାଭାଟି ଶ୍ରମିକଙ୍କ ସମସ୍ୟା ନେଇ ଲଢେଇ କରି ଦେଶ ବ୍ୟାପୀ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି ।
ଜଣେ ବିଦ୍ୱାନ, ବିଚକ୍ଷଣ ଓ ପରିପକ୍ୱ ମଣିଷ ଭାବେ ଦେଶ ବିଦେଶରେ ବୁଦ୍ଧିଜୀବୀଙ୍କ ମହଲରେ ସୁପରିଚିତ ଶ୍ରୀ ପଣ୍ଡା ଓଡିଶାର ଶିଳ୍ପର ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ଜନ ସମସ୍ୟାକୁ ଲୋକଲୋଚନକୁ ଆଣିବା ଓ ଲୋକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଦେବାକୁ ଇକେଟ୍ରୋନିକ୍ସ ଗଣମାଧ୍ୟମ (ଓଟିଭି) ଜରିୟାରେ ଯେଉଁ ନିରନ୍ତର ଓ ନିରବଚ୍ଛିନ୍ନ ପ୍ରୟାସ ଚଳାଇଛନ୍ତି ତାହା ଯଥାର୍ଥରେ ପ୍ରଶଂସନୀୟ । ତାଙ୍କର ଚିରାଚରିତ ବିରୋଧୀ ଓ ନିନ୍ଦୁକ ମାନେ ତାଙ୍କ ପ୍ରତିଷ୍ଠା ଓ ପ୍ରତିପତ୍ତିଉପରେ କଳଙ୍କ ଲଗାଇବାକୁ ଯେତେ ଚେଷ୍ଟା ଚଳାଇଲେ ମଧ୍ୟ ବୈଜୟନ୍ତ ବାବୁଙ୍କ ବ୍ୟକ୍ତିତ୍ୱ ଆଗରେ ସେସବୁ ଯେ ଫିକା ପଡିଯିବ ଏଥିରେ ତିଳେମାତ୍ର ସନେ୍ଦହର ଅବକାଶ ନାହିଁ ।
