ଡ଼ ପ୍ରତିଭା ମହାରଥୀ : ଶରତ ପାଦ ଦେଲାଣିିିିିିିିିିିିିିିିିିିି ଧରାରେ । ନିର୍ମଳ ଆକାଶରେ ଭାସି ଉଠିଲାଣି ଧଳା ଧଳା ମେଘମାଳା । ଗଙ୍ଗଶିଉଳିର ମିଠା ମିଠା ବାସ୍ନା, କାଶତଣ୍ଡୀର ମନମତାଣିଆ ନୃତ୍ୟ, ସୂଚେଇ ଦେଲାଣି ଦେବୀ ମା’ଙ୍କର ଆଗମନକୁ । ଆବାହନୀ ମନ୍ତ୍ରରେ ଅଭିମନ୍ତ୍ରିତ ହେଲେଣି ମାଟିରୁ ଆକାଶ । ଆନନ୍ଦ ଉଲ୍ଲାସରେ ଉଲ୍ଳସିତ ଧରିତ୍ରୀ । ମା’ ଆସୁଛନ୍ତି ଅସୁମାରୀ ଆଶା ଆଉ ପୁଲକ ସଞ୍ଚାର କରି ପ୍ରାଣରେ ପ୍ରାଣରେ । ମା’ ଢାଳିଦେବେ ଆଶିଷର ଅମୃତ ଧାରା । ମା’ ଦୂର କରିବେ ଅଜ୍ଞାନ ଅନ୍ଧାର । ମା’ ହରଣ କରିବେ ସନ୍ତାନମାନଙ୍କର ତି୍ରତାପଜନିତ ଦୁଃଖ, ଆଧ୍ୟାତ୍ମିକ, ଆଧିଦୈବିକ, ଆଦିଭୌତିକ । ମା’ ଢାଳିଦେବେ ସୁଖ, ଶାନ୍ତି, ଆନନ୍ଦ, ଜ୍ଞାନ ଓ ପବିତ୍ରତା ।
ସାରା ସଂସାରଟା ଆଜି ପାଲଟିଯାଇଛି ଦୁଃଖମୟ । ମଣିଷ ଆକାଶରେ ପକ୍ଷୀ ପରି ଉଡ଼ିପାରୁଛି, ପାଣିରେ ମାଛ ପରି ପହଁରି ପାରୁଛି, ହିଂସ୍ର ପଶୁମାନଙ୍କୁ ପୋଷା ମନେଇ ପାରୁଛି, କିନ୍ତୁ ଭଲ ମଣିଷଟେ ହୋଇ ଜୀଇଁ ପାରୁନାହିଁ । ପାଞ୍ଚଜଣ ମନ ମିଳାଇ ରହିପାରୁ ନାହାନ୍ତି । ପ୍ରାୟ ପ୍ରତ୍ୟେକ ପରିବାର ଭିତରେ ଅଶାନ୍ତିର ନିଅାଁ ଜଳୁଛି । କେଉଁଠି ସ୍ୱାମୀ ସ୍ତ୍ରୀ ଭିତରେ ସୁସମ୍ପର୍କ ନାହିଁ ତ କେଉଁଠି ଶାଶୁ ବୋହୂ ଭିତରେ କଳିଝଗଡ଼ା । କେଉଁଠି ବାପ ପୁଅ ଭିତର ବିବାଦ ତ କେଉଁଠି ଭାଇ ଭାଇ ଭିତରେ ମନାନ୍ତର ।
ଶାନ୍ତି ଟିକେ ପାଇବା ପାଇଁ ମଣିଷ ହଜାରେ ଚେଷ୍ଟା କରୁଛି, କିନ୍ତୁ ଅଶାନ୍ତି ତାକୁ ଜମା ଛାଡ଼ୁନି । ଶାନ୍ତି ସାଂସାରିକ ଜିନିଷପତ୍ରରେ ନଥାଏ, ଶାନ୍ତି ଥାଏ ପରମାତ୍ମାଙ୍କ ସ୍ତୁତିରେ, ଧ୍ୟାନରେ, ଚିନ୍ତନ, ମନନରେ । ଏକଥା ମଣିଷ ବାର ବାର ପାଶୋରିଦିଏ । ପରମାତ୍ମାଙ୍କ ସତ୍ସଙ୍ଗ ହିଁ ଶ୍ରେଷ୍ଠ ସତ୍ସଙ୍ଗ । ଆମକୁ ଈଶ୍ୱର ଏହି ଶରୀର ଦେଇଛନ୍ତି ପରମାତ୍ମାଙ୍କୁ ଜାଣିବା ପାଇଁ । ସେହି ପରମାତ୍ମା ପରମ ପୁରୁଷ ଏକ ଅଟନ୍ତି । ଆବଶ୍ୟକ ପଡ଼ିଲେ ଭିନ୍ନ ଭିନ୍ନ ରୂପ ନେଇଥାନ୍ତି ।
ସେଥିପାଇଁ କୁହାଯାଇଛି ଶାସ୍ତ୍ରରେ –
ଏକୈକ ଶକ୍ତି ପରମେଶ୍ୱରସ୍ୟ ଭିନ୍ନାଚତୁର୍ଦ୍ଧା ବିନିଯୋଗ କାଳେ
ଭୋଗେ ଭବାନୀ ପୁରୁଷେଷୁ ବିଷ୍ଣୁ କୋପେ ଚ କାଳି ସମରେଷୁ ଦୁର୍ଗା ।
ସ୍ୱାର୍ଥପର, ହିଂସ୍ର ହୋଇ ଉଠୁଥିବା ମଣିଷମାନଙ୍କୁ, ତୋର ସନ୍ତାନମାନଙ୍କୁ ସ୍ନେହ, ପ୍ରେମର ମନ୍ତ୍ର ଶିଖାଇ ଭୁଲ୍ ବାଟରୁ ଠିକ୍ ବାଟକୁ ନେଇ ଆସିପାରିଲେ ସିନା ତୋର ପୂଜା, ଅରଚନା, ସାର୍ଥକ ହେବ ମା’ । ଏହି ପ୍ରସଙ୍ଗରେ କଥାଟିଏ ମନେ ପଡ଼ୁଛି –
ଜେମ୍ସ ପାଟି୍ରକ୍ କିନିଙ୍କ ଗୋଟିଏ ଚମକ୍ରାର ଇଂରାଜୀ କବିତା ଅଛି । ସେ କବିତାର ବିଷୟବସ୍ତୁ କିଛିଟା ଏହିପରି । ଗୋଟିଏ ଅତି ଥଣ୍ଡା ରାତି । ବରଫ ପଡ଼ୁଛି । ନିଅାଁକୁ ଘେରି ବସିଛନ୍ତି ଛଅ ଜଣ ଲୋକ । ଜଣେ ଧନୀ, ଜଣେ ଶ୍ୱେତାଙ୍ଗ, ଜଣେ ଦରିଦ୍ର, ଜଣେ କୃଷ୍ଣକାୟ, ଜଣେ ଧର୍ମଯାଜକ ଓ ଜଣେ ମାତ୍ର ମହିଳା । ଥଣ୍ଡା ବଢ଼ି ବଢ଼ି ଚାଲିଛି । କିନ୍ତୁ ନିଅାଁ ଲିଭି ଲିଭି ଆସୁଛି । ଶ୍ୱେତାଙ୍ଗଙ୍କ ପାଖରେ କାଠଟିଏ ଅଛି । କିନ୍ତୁ ସେ ତାକୁ ଲୁଚାଇ ରଖିଛନ୍ତି । ସେ ଭାବୁଛନ୍ତି ମୁଁ କାଠଟି ଦେଇ ନିଅାଁ ତେଜ କରିଦେଲେ, ଏଇ କଳା ଲୋକଟି ତ ଉଷୁମ ଟାଣି ଆରାମରେ ବସିବ । ତେଣୁ ମୁଁ କାଠ ଦେବି ନାହିଁ । କୃଷ୍ଣକାୟ ବ୍ୟକ୍ତି ତାଙ୍କ ପାଖରେ ଥିବା କାଠକୁ ଲୁଚାଇ ରଖି ଭାବୁଛନ୍ତି ବର୍ଷ ବର୍ଷ ଧରି ଆମକୁ ଯାତନା ଦେଉଥିବା ଏଇ ଶ୍ୱେତାଙ୍ଗ ଜାତି ମରନ୍ତୁ । ମୋ କାଠ ଦ୍ୱାରା ତେଜୀୟାନ ନିଅାଁରେ ସେ ଆରାମ ନ ପାଉ ।
ମହିଳା ଜଣକ ଭାବୁଛନ୍ତି, ମୋ ପାଖରେ ଥିବା କାଠଟି କାହାକୁ ଦେଖାଇବି ନାହିଁ । ତାର ଉପକାରିତା ଏଇ ପୁରୁଷ ଗୋଷ୍ଠୀ ନ ପାଆନ୍ତୁ । ସେଇଭଳି ଦରିଦ୍ର ଭାବୁଛନ୍ତି ମୋ ପାଖରେ ଥିବା କାଠ ଖଣ୍ଡର ମଜା ଏଇ ଧନୀକ ନେବ ? ଆଜି ସେ ଜାଣୁ ଶୀତ କହିଲେ କ’ଣ ? ଧନୀକ କହୁଛନ୍ତି, ମୁଁ କାହାକୁ କିଛି ବି ଦେଇନାହିଁ, ଆଜି ମୋ ପାଖରେ ଥିବା ଏଇ କାଠଟି ଦେଇ ସମସ୍ତଙ୍କ ଆରାମର ବ୍ୟବସ୍ଥା କରିବି କାହିଁକି ? ଧର୍ମଯାଜକ ଭାବୁଛନ୍ତି, ମୋ ପାଖରେ ଥିବା କାଠଟିକୁ ମୁଁ ଲୁଚାଇ ରଖେ । କାରଣ ଏମାନେ ସମସ୍ତ ଭିନ୍ନ ଧର୍ମର । ଏମାନଙ୍କ ପାଇଁ ମୋ ହୃଦୟରେ ଦରଦ ନାହିଁ । ରାତି ବିତି ଯାଇଛି । ସକାଳେ ଦେଖାଗଲା ଲିଭି ଯାଇଥିବା ନିଅାଁର ପାଉଁଶ ଚାରି କଡ଼େ ଛଅଟି ମୃତ ଶରୀର ପଡ଼ିଛି । ସମସ୍ତେ ଥଣ୍ଡାରେ ମରିଛନ୍ତି । କିନ୍ତୁ ସମସ୍ତେ ନିଜ ନିଜର ହାତରେ ଜାବୁଡ଼ି ଧରିଛନ୍ତି ଖଣ୍ଡିଏ ଖଣ୍ଡିଏ କାଠ । କବିତାର ଶେଷରେ କବି ଲେଖିଛନ୍ତି, ଏମାନେ ସମସ୍ତେ ବାହାରର ଶୀତ ହେତୁ ମରିନାହାନ୍ତି । ଏମାନେ ମରିଛନ୍ତି ସେମାନଙ୍କ ଅନ୍ତରର ଥଣ୍ଡା ହେତୁ ।
ଉପରୋକ୍ତ କଥା ଭଳି ଆଜି ମଣିଷର ଅହଙ୍କାର ହିଁ ତାର ଅକାଳ ମୃତୁ୍ୟ ବା ବିନାଶର କାରଣ ହୋଇଛି । ନିଷ୍ଠୁରତାର ଚରମ ସୀମା ଲଂଘନ କରି ମା’ର ପୂଜା ବାହାନାରେ ମଣିଷ ନିରୀହ ପଶୁପକ୍ଷୀମାନଙ୍କୁ ବଳି ପକାଉଛି । ସମଗ୍ର ଜୀବଜଗତ ମା’ ଦୁର୍ଗାଙ୍କଠୁ ଉତ୍ପତ୍ତି ହୋଇଥିବା ବେଳେ ସେ ନିଜ ସନ୍ତାନର ବଳି ଚାହିଁବା କ’ଣ ସମ୍ଭବ ? ସ୍କନେ୍ଦାପନିଷଦ୍ କହେ, ଜୀବଃ ଶିବଃ ଶିବୋଜୀବଃ । ଅର୍ଥାତ୍ ପ୍ରତ୍ୟେକ ଜୀବ ଶିବ ଅଟନ୍ତି । ତେଣୁ ମା’ ଦୁର୍ଗାଙ୍କ ସମ୍ମୁଖରେ ଶିବରୂପୀ ଜୀବ ବଧ ନିତାନ୍ତ ଅଯୌକ୍ତିକ । କୀଟଠାରୁ ବୁଦ୍ଧିମାନ ମନୁଷ୍ୟ ପର୍ଯ୍ୟନ୍ତ ସବୁରି ପ୍ରାଣରେ ସଞ୍ଚାରିତ ସେହି ମାତୃଶକ୍ତି । ଭାଗବତ କହେ, “ସକଳ ଘଟେ ନାରାୟଣ – ବସନ୍ତି ଅନାଦି କାରଣ” । ଦୁର୍ବଳ ଉପରେ ସବଳର ଅତ୍ୟାଚାରକୁ ଭାରତୀୟ ଦର୍ଶନ ସମର୍ଥନ କରେନାହିଁ । ପୁନଶ୍ଚ, ଗୋମାତାର ସେବା ଏହି ସଂସ୍କୃତିର ଏକ ବଳିଷ୍ଠ ନିଦର୍ଶନ । ସମଗ୍ର ଜଗତରେ ପଶୁପକ୍ଷୀମାନେ ଈଶ୍ୱରଙ୍କ ମଧୁମୟ ସୃଷ୍ଟିରେ ମଣିଷର ବିଭିନ୍ନ କାର୍ଯ୍ୟରେ ସହଯୋଗ କରି ଏକ ସମନ୍ୱୟ ରକ୍ଷା କରିଥାଆନ୍ତି । ତେଣୁ ସେମାନେ ଆମର ଉପକାରୀ ବନ୍ଧୁ ଅଟନ୍ତି ।
ପୁନଶ୍ଚ ଦୁର୍ଗାପୂଜା ହିଁ ମାତୃଶକ୍ତିର ପୂଜା । ଏହି ଶକ୍ତିର ପରିପ୍ରକାଶ ବାହି୍ୟକ ଆଡ଼ମ୍ବରରେ ନୁହେଁ, ଆଧ୍ୟାତ୍ମିକ ଆତ୍ମସମର୍ପଣରେ, ଅନାବିଳ ଭକ୍ତିରେ, ଧ୍ୟାନ ଧାରଣାରେ ସମ୍ଭବ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଦେଖିବା କଣ ତାହେଲେ ଏ ବଳିଦାନର ଅର୍ଥ !!!
ବଳିଦାନ ଅର୍ଥ ପଶୁବଳି ନୁହେଁ, ମନୁଷ୍ୟମାନଙ୍କ ଭିତରେ ଥିବା ପଶୁତ୍ୱର ବଳିଦାନକୁ ହିଁ ବୁଝାଇଥାଏ । ବଳିଦାନ ବିଭିନ୍ନ ପ୍ରକାରର – (୧) ଆତ୍ମବଳିଦାନ ହେଉଛି ଉତ୍ତମ କୋଟିର ବଳିଦାନ । ଜୀବ ଭାବକୁ ସାଧକ ପରମାତ୍ମାଙ୍କୁ ଅର୍ପଣ କରେ । ଏହି ବଳିଦାନ ଦ୍ୱାରା ଜୀବର ଅଜ୍ଞାନତା ଦୂର ହୁଏ ଓ ସେ ପରମାତ୍ମାଙ୍କ ସହିତ ଏକାକାର ହୋଇଯାଏ । (୨) ଦ୍ୱିତୀୟ ବଳିଦାନ ହେଉଛି କାମରୂପୀ ଛାଗଳ, କ୍ରୋଧରୂପୀ ମେଷ, ମୋହରୂପୀ ମହିଷର ବଳିଦାନ । ଷଡ଼ରିପୁର ବଳିଦାନ ଦ୍ୱିତୀୟ ଶ୍ରେଣୀର ବଳିଦାନ । (୩) ଯେଉଁ ବସ୍ତୁ ପ୍ରତି ଇନ୍ଦି୍ରୟର ଆସକ୍ତି ରହିଛି, ସେ ବସ୍ତୁକୁ ତ୍ୟାଗ କରିବା ତୃତୀୟ ଶ୍ରେଣୀର ବଳିଦାନ । ପିଆଜ, ରସୁଣ ଓ ମାଦକ ଦ୍ରବ୍ୟ ତ୍ୟାଗ କରିବା ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ । ଇନ୍ଦି୍ରୟର ପଶୁ ସ୍ୱଭାବ ତ୍ୟାଗ ହିଁ ବଳି । ଇନ୍ଦି୍ରୟ ମନୁଷ୍ୟକୁ ପଶୁ ଜଗତକୁ ଆଣେ ।
ମନ, ବୁଦ୍ଧି ଓ ଅହଂକାର ରୂପକ ମସ୍ତକକୁ ଶରୀରରୂପୀ ଇନ୍ଦି୍ରୟଆସକ୍ତି – ସମ୍ବନ୍ଧରୁ ଜ୍ଞାନ-ଖଡ଼ଗ୍ଦ୍ୱାରା ପୃଥକ୍ କରି ପରାଶକ୍ତିଙ୍କ ହସ୍ତରେ ଅର୍ପଣ କଲେ ତାହା ପ୍ରକୃତ ବଳିଦାନ ହୁଏ । ଅହଂକାରର ଅଧିଷ୍ଠାତା ପଶୁପତି ଶିବ ଗଳାରେ ଅହଂକାରରୂପୀ ମୁଣ୍ଡମାଳାକୁ ଧାରଣ କରିଥାଆନ୍ତି । ମାୟା ପ୍ରଭାବରେ ମଳିନ – ବୁଦ୍ଧିଯୁକ୍ତ ମଣିଷ ପଶୁଭାବକୁ ପ୍ରାପ୍ତ ହୁଏ । ତନ୍ତ୍ରରେ ଇନ୍ଦି୍ରୟକୁ ପଶୁ କୁହାଯାଇଛି । ଏହି ଇନ୍ଦି୍ରୟରୂପୀ ପଶୁକୁ ହତ୍ୟା କରିବା କଥା କୁହାଯାଇଛି – ଜୀବନ୍ତ ଛାଗଳ, ମେଷ ଓ ମହିଷର ବଧ କଥା କୁହାଯାଇ ନାହିଁ । ମନ, ବୁଦ୍ଧିକୁ ଦେବୀଙ୍କୁ ଅର୍ପଣ କର । ଇନ୍ଦି୍ରୟକୁ ଶୁଦ୍ଧ କର । ଇନ୍ଦି୍ରୟକୁ ନିଗ୍ରହ କର । ତୁମର କଲ୍ୟାଣ ହେବ ।
ଜଗତର କଲ୍ୟାଣ ହେବ । ଅସତ୍ କର୍ମରୁ ନିବୃତ୍ତ ହୋଇ ସାତ୍ତ୍ୱିକ କର୍ମରେ ପ୍ରବୃତ୍ତ ହେଲେ ଦେବୀଙ୍କ କୃପାପାତ୍ର ହେବ । ସାତ୍ତ୍ୱିକ ଦକ୍ଷିଣାଚାର ପୂଜାରେ ପଶୁବଳି ନାହିଁ । ଏଥିରେ କୁଷ୍ମାଣ୍ଡ ଈକ୍ଷୁଦଣ୍ଡର ବଳିଦାନ ରହିଛି । ମହିଷାସୁର ରୂପୀ ‘ମୋହ’ର ଦମନ କରାଗଲେ ମାନବ ଜୀବନର କଲ୍ୟାଣ ହେବ । ଜଗତର ମଙ୍ଗଳ ହେବ ।
