ବାଲିଗୁଡ଼ା, ତା, ୧୭/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଚାଲାଣ ଦିନକୁ ଦିନ ଚିନ୍ତାର କାରଣ ହୋଇଉଠିଛି। ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ସମୟ ସମୟରେ ଚଢ଼ଉ କରାଯାଇ ଗଛ ନଷ୍ଟ କରାଯିବା ସହ ଗଞ୍ଜେଇ ଜବତ ଏବଂ ଅଭିଯୁକ୍ତ ଗିରଫ ହେଉଛନ୍ତି। ତଥାପି ଏହି ବେଆଇନ କାରବାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିପାରୁନଥିବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଜିଲ୍ଲାର ଦୁର୍ଗମ ପାହାଡ଼ିଆ ଓ ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଅଭିଯୋଗ ରହିଛି। ଅନେକ ସ୍ଥାନରେ ଚାଷ ନଷ୍ଟ କରାଯାଉଥିବା ସତ୍ତ୍ୱେ ପୁଣି ନୂଆ ଅଞ୍ଚଳରେ ଚାଷ ଆରମ୍ଭ ହେଉଥିବା ଚର୍ଚ୍ଚା ହେଉଛି। ଫଳରେ କେବଳ ଚାଷ ନଷ୍ଟ କରିବା ନୁହେଁ, ଏହା ପଛରେ ଥିବା ଚାଷୀ, ମଧ୍ୟସ୍ଥ, ମୁଖ୍ୟ ଯୋଗାଣକାରୀ ଓ ଚାଲାଣକାରୀଙ୍କ ସମ୍ପର୍କର ମୂଳ ଉତ୍ସ ପର୍ଯ୍ୟନ୍ତ ତଦନ୍ତ ପହଞ୍ଚାଇବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
ବିଶେଷକରି ଜିଲ୍ଲା ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ରାସ୍ତା, ଚାଲାଣରେ ବ୍ୟବହୃତ ଯାନବାହନ ଏବଂ ଏହି କାରବାରରେ ସମ୍ପୃକ୍ତ ନେଟୱର୍କ ଉପରେ ଗୁରୁତ୍ୱ ଦେବା ଜରୁରୀ। ନିୟମିତ ଚଢ଼ଉ ସହ ଗୁପ୍ତ ସୂଚନା ସଂଗ୍ରହ, ଅନ୍ତଃଜିଲ୍ଲା ତଦନ୍ତ ଓ ଅଭିଯୁକ୍ତମାନଙ୍କ ଆର୍ଥିକ ନେଟୱର୍କର ଯାଞ୍ଚ କରାଗଲେ ଚାଲାଣର ମୂଳ ଶୃଙ୍ଖଳାକୁ ଧରିବା ସମ୍ଭବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କନ୍ଧମାଳର ଯୁବପିଢ଼ି ଓ ସମାଜ ଉପରେ ଏହାର କୁପ୍ରଭାବ ରୋକିବା ପାଇଁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ବିରୋଧରେ ଆହୁରି କଡ଼ା ପଦକ୍ଷେପ ନେବାକୁ ଦାବି ହେଉଛି। କେବଳ ଗଛ କାଟିବା କିମ୍ବା ପୋଡ଼ିବାରେ ସୀମିତ ନରହି, ଚାଷଠାରୁ ଚାଲାଣ ପର୍ଯ୍ୟନ୍ତ ସମଗ୍ର ନେଟୱର୍କର ମୂଳ ଉତ୍ସ ଖୋଜି କଡ଼ାକଡ଼ି ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ଆବଶ୍ୟକ ବୋଲି ଦାବି ଜୋର ଧରିଛି।
