ବଡ଼ମ୍ବା, ୩l୮ : ସ୍ଥାନୀୟ ଅଗ୍ନିଶମ ବିଭାଗର ଆଗ୍ନିକଙ୍କ ଦ୍ଵାରା ବନ୍ୟାରେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କୁ ମହାନଦୀରୁ ଗୁରୁବାର ଉଦ୍ଧାର କରାଯାଇଛି । ବନ୍ୟାଜଳରେ ଭାସିଯାଇଥିବା ଶଙ୍ଖାମେରୀ ଗ୍ରାମର ସଂପୃକ୍ତ ବ୍ୟକ୍ତି ଅମିନ ନାୟକ (୪୫)ଙ୍କୁ ନିଖୋଜ ହେବାର ପ୍ରାୟ ୧୬ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା । ବନ୍ୟାଜଳରେ ଭାସିଯାଇ ଭାଗ୍ୟକୁ ଏକ ଗଛ ଉପରେ ରହିଯାଇଥିବା ବେଳେ ଆଗ୍ନିକମାନେ ତାଙ୍କୁ ଠାବ କରି ସୁରକ୍ଷିତ ଉଦ୍ଧାର କରିଥିଲେ । ବଡ଼ମ୍ବା ବିଡିଓ ରମେଶ କୁମାର ଜେନା, ତହସିଲଦାର ନୀଳକଣ୍ଠ ବେହେରା, ଅଗ୍ନିଶମ କେନ୍ଦ୍ର ଅଧିକାରୀ ନବଘନ ମଲ୍ଲିକ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ବରାନିତ କରିଥିଲେ । ସୂଚନା ଥାଉକି ବୁଧବାର ମେଣ୍ଢାପଲ ସହିତ ଶଙ୍ଖାମେରୀ ଗ୍ରାମର ୩ ଜଣ ବ୍ୟକ୍ତି ମହାନଦୀର ଏକ ଟାପୁରେ ଫସି ରହିଥିଲେ l ନଦୀରେ ବନ୍ୟlଜଳ ବୃଦ୍ଧି ପାଇବା ଏବଂ ସଂନ୍ଧ୍ୟା ସୁଦ୍ଧା ଏହି ବ୍ୟକ୍ତିମାନେ ମେଣ୍ଢାଙ୍କ ସହିତ ଘରକୁ ନ ଫେରିବାରୁ ଗ୍ରାମବାସୀ ସମ୍ଭାବ୍ୟ ବିପଦ ଆଶଂକା କରି ତୁରନ୍ତ ଏ ନେଇ ପ୍ରଶାସନକୁ ଜଣାଇଥିଲେ । ତେବେ ରାତି ସୁଦ୍ଧା ୨ଜଣ ବ୍ୟକ୍ତି ଏବଂ ୩୦ଟି ମେଣ୍ଢାକୁ ବଡ଼ମ୍ବା ଏବଂ କଳାପଥର ଅଗ୍ନିଶମ କେନ୍ଦ୍ରର ଆଗ୍ନିକ ମାନେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ । ଏହି ଘଟଣାରେ ଅନ୍ୟ ଜଣେ ନିଖୋଜଙ୍କୁ ଗୁରୁବାର ଉଦ୍ଧାର କରାଯାଇ ଆଶୁ ଚିକିତ୍ସା ଲାଗି ବଡ଼ମ୍ବା ଡାକ୍ତରଖାନାରେ ଭର୍ତି କରାଯାଇଛି l ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ l ଖବରପାଇ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର, ବ୍ଲକ ଅଧକ୍ଷ ରଘୁପତି ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ଶଙ୍ଖାମେରୀ ସରପଞ୍ଚଙ୍କ ପ୍ରତିନିଧି ମାନସ ରଞ୍ଜନ ମୁଦୁଲି ପ୍ରମୁଖ ଅନ୍ୟ ନେତୃବର୍ଗଙ୍କ ସହିତ ବଡମ୍ବା ଡାକ୍ତରଖାନାରେ ପହଂଚି ପୀଡ଼ିତଙ୍କୁ ସାକ୍ଷାତ କରି ତାଙ୍କ ଚିକିତ୍ସା ସମ୍ପର୍କରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଶ୍ୱନାଥ ଆଧେକଙ୍କ ସହିତ ଆଲୋଚନା କରିଥିଲେ l