Odisha news

ବିଜେଡିର ୩ ଦିନିଆ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା

0
ଆଠଗଡ , ୦୪।୧୧ ୨୦୨୩ , ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଦଳୀୟ କର୍ମୀ ଓ ଛାମୁଆ ନେତାଙ୍କ ପାଇଁ ଏକ ୩ ଦିନିଆ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ସୂର୍ଯ୍ୟ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରଶିକ୍ଷଣ କର୍ମଶାଳାରେ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୫ଟି ପଞ୍ଚାୟତ ଓ ଆଠଗଡ ଏନଏସିର ଶତାଧୂକ ଦଳୀୟ କର୍ମୀ ଓ ଛାମୁଆ ସଂଗଠନର ନେତା ଯୋଗଦାନ କରିଥିଲେ । ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ବିଜୁ ଜନତା ଦଳ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଠିତ ଏକ ଆଞ୍ଚଳିକ ଦଳ ଏବଂ ଓଡିଶାର ବିକାଶ ଓ ଓଡିଶାବାସୀଙ୍କ କଲ୍ୟାଣ ପାଇଁ ସମର୍ପିତ ବୋଲି ପ୍ରକାଶ କରିଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ବିଗତ ୨୩ ବର୍ଷ ମଧ୍ୟରେ ରାଜ୍ୟର ସବୁକ୍ଷେତ୍ରରେ ନିରନ୍ତର ବିକାଶ ଏବଂ ଓଡିଶାର ଗରିବଗୁରୁବାଙ୍କ କଲ୍ୟାଣ ଲାଗି ବହୁ ଅଭିନବ ଯୋଜନା ପ୍ରଣୟନ କରି ସେଗୁଡିକର ସଫଳ ରୂପାୟନ ମଧ୍ୟ କରିବା ଦିଗରେ ନୀରବଚ୍ଛିନ୍ନ ଉଦ୍ୟମ ଜାରି ରଖୁଛନ୍ତି । ଓଡିଶାକୁ ଦେଶରେ ଏକ ଅଗ୍ରଗଣ୍ୟ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜୁ ଜନତା ଦଳ ସଂକଳ୍ପବଦ୍ଧ । ୫ – ଟି ବିଭାଗ ଦ୍ବାରା ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତିକରଣ , ରାଜ୍ୟର ଐତିହ୍ୟ ଓ ପ୍ରାଚୀନ କିର୍ତ୍ତୀରାଜିର ସୁରକ୍ଷା ଓ ଉନ୍ନତି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହୋଇଛି । କୃଷିକ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ଏବଂ କୃଷି ଉତ୍ପାଦନ ବୃଦ୍ଧି ସହିତ ରାଜ୍ୟର କୃଷକଙ୍କ ବିକାଶ ପାଇଁ ସରକାର ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୧୩ ମସିହାରେ କୃଷି ବଜେଟ ୭ହଜାର କୋଟିରୁ ବଢି ୨୦୨୩ସୁଦ୍ଧା ୨୪ହଜାର କୋଟିରେ ପହଞ୍ଚିଛି । ସେହିପରି ଆଠଗଡ ଅଞ୍ଚଳର ବିକାଶକୁ ସବୁବେଳେ ପ୍ରାଧାନ୍ୟ ଦିଆଯାଇଛି । ଆଠଗଡର କୃଷକମାନେ ଖୁବ୍‌ଶୀଘ୍ର ରେଙ୍ଗାଲି ଜଳସେଚନ ଦ୍ଵାରା ଉପକୃତ ହେବା ସହିତ ସେମାନଙ୍କର ଆର୍ଥିକ ବିକାଶ ନିଶ୍ଚିତ ହେବ । ସମଗ୍ର ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପ୍ରତି ଗ୍ରାମ ଏବଂ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଆଠଗଡରେ ଏକ ଇଣ୍ଡୋର ଷ୍ଟାଡିୟମ ପ୍ରାୟ ୫କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ୫ – ଟି ବିଭାଗ ଦ୍ବାରା ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତିକରଣ କାର୍ଯ୍ୟ କରାଯାଇଛି । ଶ୍ରୀ ଶ୍ରୀ ଧବଳେଶ୍ଵର ପୀଠ ସହିତ ଆଠଗଡ ଅଞ୍ଚଳର ସମସ୍ତ ପୁରାତନ ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏଠାରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଗୁରୁବାର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି କର୍ମଶାଳାରେ ଯୋଗଦେଇ ଦଳୀୟ କର୍ମୀମାନେ ସଂଗଠିତ ହୋଇ ଦଳକୁ ତୃଣମୂଳସ୍ତରରେ ଆହୁରି ମଜବୁତ କରିବା ସହ ସରକାରଙ୍କର ଏହିସବୁ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଦଳପକ୍ଷରୁ ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଭାବେ ଜୟରାମ ଦାସ ଓ ବିଶ୍ଵପ୍ରତାପ ସାହୁ ଯୋଗଦେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହି ତିନିଦିନିଆ ଶିବିରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ , ନୃସିଂହ ମହାପାତ୍ର , ଏନଏସି ଅଧ୍ୟକ୍ଷ ସଶ୍ମିତା  ରାଉତ , ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ , ତିଗିରିଆ ବ୍ଲକ ଅଧ୍ୟକ୍ଷ ସନ୍ଧ୍ୟାରାଣୀ ନାୟକ , ତିଗିରିଆ ଜିଲ୍ଲାପରିଷଦ ସଦସ୍ୟ ସଂଜୟ ମଲ୍ଲିକ ଓ ସସ୍ମିତା ରାଉତ, ପୂର୍ବତନ ଏନଏସି ଅଧକ୍ଷା ସୁଚିତ୍ରା ସାହୁ  , ସମବାୟବିତ୍ ଲଳିତେନ୍ଦୁ ସେନାପତି , ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ୍ତ ଦାସଙ୍କ ସମେତ ବହୁ ଦଳୀୟ ନେତା ଯୋଗଦେଇଥିଲେ ।
Leave A Reply