ଆଠଗଡ଼ ତା ୧୨-୦୧-୨୩ ସରକାରୀ ପଇସା ରେ ଧାନ କିଣିବେ।ଭଲ ରକମର ମୁନାଫା ଵି ନେବେ। କିନ୍ତୁ ଚାଷୀ ଙ୍କୁ କହିବେ ଇଚ୍ଛା ହେଲେ ଧାନ ଦିଅ ନ ହେଲେ ନେଇ ଘରକୁ ପଳା।ତୁମ ଇଚ୍ଛା ରେ କ’ଣ ଧାନ କିଣାହେଵ। କ୍ଵିଣ୍ଟାଲ ପିଛା ପାଞ୍ଚ କିଲୋ ଧାନ କାଟି ଧାନ ଦେଲେ କିଣା ହେବ ନହେଲେ କାହାକୁ କହିବ କୁହ। ଏମିତି କିଛି କଥା କହି ଚାଷୀ ମାନଙ୍କ ଉପରେ ଦାଦାଗିରି ଚଳାଇଛନ୍ତି ମିଲର। ଆଠଗଡ଼ ଅଞ୍ଚଳ ରେ ବେପାରୀ ଙ୍କ ଧାନ କିଣି ଚାଷୀ ମାନଙ୍କ ଧାନ ର ମାନ ଯାଞ୍ଚ ନାମରେ କଟନି ଛଟନି କୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି।ଗତ ବର୍ଷ ମଧ୍ୟ ସମାନ ଢଙ୍ଗରେ ମିଲର ଏହି ଭଳି ଦାଦାଗିରି ଚଳାଇ ଥିଲେ। ଆଠଗଡ଼ ଏବଂ ନରସିଂହପୁର ଅଞ୍ଚଳରେ ଧାନ କିଣିବାକୁ ଚୁକ୍ତି କରିଥିବା ରାଧା ଦାମୋଦର ପୁର ର ଏସ କେ ଡି ମିଲର ଙ୍କ ଚାଷୀ ମାନଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଶାସନ ମୁଣ୍ଡ ବିନ୍ଧା ର କାରଣ ହୋଇଛି। ଚାଷୀ ମାନେ ଅନ ଲାଇନରେ ପଞ୍ଜିକରଣ କରି ଟୋକନ ପାଇଛନ୍ତି। ନିର୍ଦ୍ଧାରିତ ତାରିଖ ଦିନ ଚାଷୀ ଧାନ ନେଇ ମଣ୍ଡିରେ ପହଞ୍ଚିବା ବେଳକୁ ମିଲରଙ୍କ ମନମାନି ଯୋଗୁଁ ଧାନ କିଣାରେ ବ୍ୟାଘାତ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଧାନ କିଣାରେ ଯେତେ ସ୍ଵଚ୍ଛତା ରକ୍ଷା କରିବା ପାଇଁ ଚେଷ୍ଟା କଲେ ମଧ୍ୟ ଏହି ଭଳି ଅସାଧୁ ମିଲର ଏବଂ ବେପାରୀ ଙ୍କ ସଲାସୁତୁରା ରେ ଗଳା ବାଟ ଦେଇ ଧାନ ବିକ୍ରି ଯୋଗୁଁ ମଣ୍ଡିରୁ ହତାଶ ହୋଇ ଫେରୁଥିବା ଜଣାପଡିଛି।
ଆଠଗଡ଼ ବ୍ଲକ ରେ ୨୩ ଟି ସମବାୟ ସମିତି ର ମଣ୍ଡି ଏବଂ ପାଞ୍ଚ ଟି ଉପ ମଣ୍ଡି ମାଧ୍ୟମରେ ଧାନ କିଣୁଛନ୍ତି ମିଲର। ଉପ କେନ୍ଦ୍ର ଗୁଡିକ ମଧ୍ୟରେ ବାଳି ର ଓରନ୍ଦା,ଗୁରୁଡିଝାଟିଆ ର ରାଧା କିଶୋର ପୁର,ଛଗାଁ ର କୁମାର ପୁର ଓ ଶଶାଙ୍ଗ ଏବଂ ଖୁଣ୍ଟୁଣୀ ର କଣ୍ଡରେଇ ର ମଣ୍ଡିରେ ଧାନ କିଣା ଯାଉଛି। ଏହା ଭିତରୁ କେବଳ ମଞ୍ଚେଶ୍ଵର ସମବାୟ ସମିତି ରେ ଏ ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇ ନ ଥିବା ଜଣାପଡିଛି।ଆଠଗଡ଼ ପାଇଁ ଧାନ କିଣିବାକୁ ଚୁକ୍ତି କରିଥିବା ୪ ମିଲରଙ୍କ ମଧ୍ୟରୁ ଏସ କେ ଡି ରାଇସମିଲ୍ ମଣ୍ଡିରେ ଏହି ଭଳି ମନମାନି କରୁଥିବା ଯୋଗୁଁ ଚାଷୀ ଶୋଷଣ ର ଶିକାର ହେଉଥିବା ଅଭିଯୋଗ ହେଉଛି। ଧାନ କିଣା ପାଇଁ ମଣ୍ଡି ଗୁଡିକ ରେ ସରକାର ଙ୍କ ପକ୍ଷରୁ ଜାରି କରା ଯାଇଥିବା ଗାଇଡ ଲାଇନ ଗୁଡିକ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ଧାନ କିଣା ରେ ନିଯୁକ୍ତ କର୍ମଚାରୀ ମାନେ ମିଲରଙ୍କ ସହିତ ମିଶି ଧାନ ର ମାନ ଯାଞ୍ଚ କଲା ବେଳେ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି। କ୍ରମିକ ନମ୍ବର ଅନୁସାରେ ଧାନ କିଣିବାକୁ ଥିବା ବେଳେ ଏଥିରେ ପ୍ରିୟା ପ୍ରୀତି କାରବାର ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀ ଏଫ ଏ କିୟୁ ମାନ ର ଧାନ ଆଣିଥିଲେ ମଧ୍ୟ ମିଲର କଥା ରେ ପଡି କ୍ଵିଣ୍ଟାଲ ପିଛା ପାଞ୍ଚ କିଲୋ ଧାନ କାଟି ଧାନ ବିକ୍ରି କରିବା ପାଇଁ ଚାଷୀ ମାନଙ୍କୁ ବାଧ୍ୟ କରା ଯାଉଛି। ଏତେ ସବୁ ଅବ୍ୟବସ୍ଥା ଭିତରେ ନିଜର ହକ୍ ପାଇଁ ଚାଷୀ ଗୁହାରି କରିବେ କାହାକୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏ ବାବଦରେ ଆଠଗଡ଼ ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ରାମ ନାରାୟଣ ମଲ୍ଲିକ କହିଛନ୍ତି ଯେ, ଏଭଳି ଅଭିଯୋଗ ଆସି ପହଞ୍ଚିଛି।ମିଲର ମାନଙ୍କ ଧାନ କିଣା ରେ ମନମାନି କଟନୀ ଛଟନୀ ସହିତ ଚାଷୀ ମାନଙ୍କୁ ଦୁର୍ବ୍ୟବହାର ବାବଦରେ ଆଠଗଡ଼ ଉପଜିଲ୍ଲାପାଳ ଙ୍କୁ ଜଣାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏ ବାବଦରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି।