ଆସିକା ପୋଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଶୂନ ଶାନ ରାତ୍ରିରେ ଟିମ କୁ ନେଇ ଅତର୍କିତ ଚଢ଼ଉ:ପୋଲିସ ଗୁଟୁଖା କାରଖାନାର କଳା କାରବାର ଦେଖି ତାଜୁବ , ୧ କୋଟିରୁ ଉର୍ଦ୍ଧ୍ବ ସାମଗ୍ରୀ ଗଛିତ।
ହିଞ୍ଜିଳିକାଟୁ,୧୮/୫ :-ସବୁ ଠିକଠାକ ଆଉ ସୁରୁଖୁରୁରେ ଚାଲିଥିଲା।ତଳିଆ କର୍ମଚାରୀଙ୍କ ଠାରୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଥିଲା। ମାସିକିଆ ହାତ ଗୁଂଜାନେଇ ନ ଜାଣିଲା ପରି ସବୁ ଅଭିନୟ କରିଥିଲେ।ସୁରକ୍ଷା ବଳୟ ମଧ୍ୟରେ ଚାଲିଥିଲା କୋଟି କୋଟି ଟଙ୍କାର ବେଆଇନ ବ୍ୟବସାୟ।ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ବେଆଇନ କାରବାର ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇଥିଲେଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ।ନିଜ ବିଶ୍ୱସ୍ତ କର୍ମଚାରୀଙ୍କୁ ନେଇ ପ୍ରସ୍ତୁତ କରିଥିଲେ ଏକ ବ୍ଲୁ ପ୍ରିଣ୍ଟ।ତଦନୁଯାୟୀ ରବିବାର ଶୂନ ଶାନ ରାତ୍ରିରେ ଟିମ କୁ ନେଇ ଅତର୍କିତ ଚଢ଼ଉ କରିଥିଲେ ହିଞ୍ଜିଳି ଥାନା ଅଞ୍ଚଳର ପଳାସୀ ଗ୍ରାମରେ।ଗଳି ସାହିର ଗଳିଆ ବାଟରେ ଚାଲିଥିବା ଗୁଟୁଖା କାରଖାନାର କଳା କାରବାର ଦେଖି ତାଜୁବ ହୋଇଥିଲା ଅନୁଧ୍ୟାନ କାରୀ ପୋଲିସ।ଅନୁସନ୍ଧାନ ବେଳେ ବହୁ ପାନ ମସଲା ବସ୍ତା,୫ଟି ପ୍ୟାକିଙ୍ଗ ମେସିନ,ବିଭିନ୍ନ ବ୍ରାଣ୍ଡର ଜରି ସହ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ଗଛିତ ଥିବା ପୋଲିସ ନଜରରେ ପଡିଛି।ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା,ଆସିକା ଉପଖଣ୍ଡ ପୋଲିସଅଧିକାରୀଙ୍କ ନେତୃତ୍ବରେ ଏହି ଚଢ଼ାଉ ଜାରି ହେବାର ଦୀର୍ଘ ୩ ଘଣ୍ଟା ଅତିବାହିତ ହେବା ପରେ ସ୍ଥାନୀୟ ହିଞ୍ଜିଳି ପୋଲିସ ସୂଚନା ପାଇଥିବା ଜଣାପଡିଛି।
ପରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ଚଢ଼ଉରେ ସାମିଲ ହୋଇଥିବା ଜଣାପଡିଛି।କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ତାଲା ବନ୍ଦ ଘୋଷଣା କରାଯାଇଥିଲା।ମଦ,ନିଶାଦ୍ରବ୍ୟ ଆଦି ସହ ଗୁଟୁଖା ପାନ ମସଲା ଆଦି ବିକ୍ରିବଟା ଉପରେ ସରକାର ରୋକ ଲଗାଇଥିଲେ।ଜିଲ୍ଲାର ବ୍ରହ୍ମପୁର ଓ ଆସିକା ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଥିବା ବେଳେ ହିଞ୍ଜିଳି ଥାନା ଅଞ୍ଚଳରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା।ଫଳରେ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବାଧରେ ଏସବୁ ସାମଗ୍ରୀର ବହୁଳବିକ୍ରି ବଟା ହେଉଥିବା ନେଇ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହୋଇଥିଲା।
ଏସବୁ ସତ୍ତ୍ୱେ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କିଛି ଚୋରା ମଦ ଚାଲାଣ କାରୀଙ୍କୁ ଗିରଫ କରି ଧର୍ମ କୁ ଆଖି ଠାର ଭଳି ପଦକ୍ଷେପ ନେଇଥିଲା।ସହରରେ ଗୁଟୁଖା ଓ ପାନ ମସଲାର ଅବାଧ ବ୍ୟବସାୟ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଫଳରେ ପୋଲିସର ଭୂମିକା ପ୍ରତି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଶେଷରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ନିଜେ ଯତ୍ନବାନ ହୋଇ ଅଭିଯୋଗ ର ଖୋଳ ତାଡ କରି ଘଟଣାଉପରେ ତୀକ୍ଷ୍ଣ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।ଘଟଣା ପରେ ହିଂଜିଳି ପୋଲିସର ଭିତିରିଆ କାର୍ଯ୍ୟକଳାପ ସମ୍ପର୍କରେ ଅଞ୍ଚଳରେ ବେଶ ଆଲୋଚନା ହୋଇଛି।ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଲକ ଡାଉନ ସମୟରେ ଏଭଳି ବେଆଇନ କାରଖାନା ଓ କୋଟି କୋଟି ଟଙ୍କାର ବ୍ୟବସାୟ ସମ୍ପର୍କରେ କିଭଳି ଜାଣି ପାରିଲେ ନାହିଁ ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କାହା ଛତ୍ର ଛାୟା ତଳେ ରହିଏଭଳି ବେଆଇନ କାରବାର ଦୀର୍ଘ ବର୍ଷ ଧରି ଚାଲିଥିଲା ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।ସରକାରୀ ରାଜସ୍ବ ଓ ଆୟକର ଟିକସ ଫାଙ୍କି ୧ମ ଠାରୁ ୩ୟ ପର୍ଯ୍ୟାୟ ଲକ ଡାଉନ ଅବଧି ମଧ୍ୟରେ ପ୍ରାୟ ୫କୋଟି ଟଙ୍କାର ଗୁଟୁଖା କାରବାର ହୋଇଥିବା ବ୍ୟବସାୟୀ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ଏ ନେଇ ହିଞ୍ଜିଳି ଥାନାରେ କେଶ୍ ନମ୍ବର ୧୬୧/୨୦ରେ ମାମଲା ରୁଜୁ କରିଛି ।ସଂପୃକ୍ତ ଘଟଣା ପରେ ପୋଲିସ ଗୁଟଖା ଓ ପାନମସଲା ପ୍ରସ୍ତୁତ କାରୀ ମାଲିକ ପୁର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ସମେତ ଅନ୍ୟ ୪ଶ୍ରମିକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।