Odisha news

୭୪ ବର୍ଷର ସ୍ୱଧୀନତା ଆମକୁ ଦେଇଛି କ’ଣ?

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଚଳିତ ବର୍ଷ ଗତ ଅଗଷ୍ଟ ୧୫ରେ ଦେଶ ପାଳିଛି ୭୪ତମ ସ୍ୱାଧୀନତା ଦିବସ । କୋଭିଡ କଟକଣା ଭିତରେ ସାରା ଦେଶରେ ଉଡିଛି ତି୍ରରଙ୍ଗା । ଏହା ଆମପାଇଁ ଏକ ଅବିସ୍ମରଣୀୟ ଦିନ । ଇତିମଧ୍ୟରେ ସ୍ୱାଧୀନତାର ୭୩ ବର୍ଷ ଅତିକ୍ରାନ୍ତ ହୋଇ ଆମେ ୭୪ ବର୍ଷରେ ପଦାର୍ପଣ କରିଛେ । କୈାଣସି ଦେଶ ବା ଜାତି ପାଇଁ ଏହି ସମୟ କିଛି କମ୍ ନୁହେଁ ।

ବହୁ ଘାତ-ପ୍ରତିଘାତ, ସଂଘାତ-ସଂଘର୍ଷ ମଧ୍ୟରେ ଗତିକରି ଆମେ ଦେଶକୁ ପ୍ରଗତି ପଥରେ ନେବା ପାଇଁ ଉଦ୍ୟମ ଜାରି ରଖିଛେ । ଦୀର୍ଘ ସାତ ଦଶନ୍ଧି ପରେ ଅନେକ କ୍ଷେତ୍ରରେ ଆମେ ସଫଳତା ହାସଲ କରିଥିବା ବେଳେ, କେତେକ କ୍ଷେତ୍ରରେ ଆମ ସଫଳତା ଆଶାଜନକ ହୋଇପାରିନାହିଁ ।

ଏହି ସଫଳତା ଓ ବିଫଳତାକୁ ନେଇ ଆତ୍ମ ସମୀକ୍ଷା କରିବା ସମୟ ପୁଣି ଥରେ ଆସିଛି । ଏବେ ପୁଣି କରୋନାର କଷଣରେ ଦୋହଲି ଯାଇଛି ଦେଶର ମେରୁଦଣ୍ଡ, ବିପର୍ଯ୍ୟସ୍ତ ହୋଇଯାଇଛି ଅର୍ଥନୀତି । କରୋନାର ମୁକାବିଲା କରୁ କରୁ ପ୍ରାଣ ଦେଇଛନ୍ତି ଅନେକ କରୋନା ଯୋଦ୍ଧା । ସୀମାରେ ଚୀନ୍ର ପ୍ରତିରୋଧ କରିବାକୁଯାଇ ସହିଦ ହୋଇଛନ୍ତି ଅନେକ ବୀର ଯବାନ । ଏହି ଅବସରରେ ସେମାନଙ୍କୁ ସମଗ୍ର ଦେଶ ସଲାମ୍ କରିବା ଏବଂ ସେମାନଙ୍କର ବଳିଦାନକୁ ସ୍ମରଣ କରଛି ।

ପୃଥିବୀର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଭାରତ ବିଶ୍ୱ ଦରବାରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହା ଆମ ପାଇଁ ଆତ୍ମ ସନ୍ତୋଷର କଥା । ଏଥିସହିତ ସବୁଜ ବିପ୍ଲବ ପରେ ଏଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରିଛି । ଶ୍ୱେତ ବିପ୍ଲବ ଯୋଗୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିଛି । ସ୍ୱାଧୀନତା ପୁର୍ବରୁ ଯେଉଁ ଦେଶରେ ପିନ୍କଣ୍ଟାଟିଏ ଉତ୍ପାଦନ ହୋଇପାରୁ ନଥିଲା ସେ ଦେଶ ଆଜି ବିଜ୍ଞାନ. ପ୍ରଯୁକ୍ତିବିଦ୍ୟା ଓ କାରିଗରିରେ ବିଶ୍ୱର ଗୋଟିଏ ଆଗ ଧାଡିର ଦେଶ । ଖାଲି ସେତିକିନୁହେଁ , ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି ।

ଅର୍ଥନୈତିକ ସସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା, ସଫ୍ଟଓୟାର ମହାଶକ୍ତି ଭାବେ ନୁଆ ପରିଚିତି ଆଜି ଏ ରାଷ୍ଟ୍ରକୁ ସଫଳ ଓ ସଶକ୍ତ ରାଷ୍ଟ୍ରର ମର୍ଯାଦା ଦେଇଛି । ଶିଳ୍ପ କ୍ଷେତ୍ରରେ ଆଶାନୁରୂପ ପ୍ରଗତି ହାସଲ ହୋଇଛି । ଦେଶର ଜନସଂଖ୍ୟା ୩୬ କୋଟିରୁ ଆସି ୧୩୪ କୋଟି ଟପିସାରିଲାଣି । ଏହି ସମୟ ମଧ୍ୟରେ ଆମର ସାକ୍ଷରତା ହାର ୧୮ ପ୍ରତିଶତରୁ ୭୪ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ଅଭିବୃଦ୍ଧିି ହାର ୩ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଭାରତୀୟଙ୍କ ହାରାହାରି ପରମାୟୁ ୩୩ବର୍ଷରୁ ୬୮ବର୍ଷକୁ ବୃଦ୍ଧି ପାଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ ।

ଏସବୁ ସଫଳତା ସତ୍ତ୍ୱେ ବାହାରେ ଯେଉଁ ଅନାଲୋଚିତ ଦିଗ ଅଛି ତାହାହେଉଛି ଏବେବି ଭାରତରେ ରହୁଛନ୍ତି ୨୮କୋଟି ନିରକ୍ଷର,୨୬କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଓ ଅପପୁଷ୍ଟିର ଶୀକାର ହେଉଥିବା ୪୨ପ୍ରତିଶତ ଶିଶୁ । ଏଥିସହିତ ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟସେବା, ବିଜୁଳି, ସଡକ, ଓ ପାନୀୟ ଜଳ ଯୋଗାଇବାରେ ମଧ୍ୟ ଆମେ ବିଫଳ ହୋଇଛୁ । ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ ପୂରଣ କରିବାରେ ଆମର ସ୍ଥିତି ସନ୍ତୋଷଜନକ ନୁହେଁ ।

ଏପରିକି ସମଗ୍ର ବିଶ୍ୱରେ ଭାରତରେ ଭୋକିଲା ଲୋକଙ୍କ ସଂଖ୍ୟା ଅଧିକ । ଏହାର ମୂଳ କାରଣ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର । ବିଡମ୍ବନା ହେଲାଯେ ଏହାର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୧୯୪୮ମସିହା ଜିପ୍ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ୧୯୯୬ ରେ ହ୍ୱାଓଲା ଓ ଗେଖାଦ୍ୟ ,୨୦୦୮ରେ ସେୟାର ବଜାର ,୨୦୧୦ରେ ଲଳିତ ମୋଦି ଦୁର୍ନୀତି ,୨୦୧୧ ମସିହା ଆଦର୍ଶ ହାଉସିଂ ଓ ୨୦୧୨ ରେ କୋଇଲା ଦୁର୍ନୀତି , ୨୦୧୬ରେ ବିଜୟ ମାଲ୍ୟାଙ୍କ ଦୁର୍ନୀତି, ୨୦୧୮ ରେ ପିଏନ୍ବି ରୋଟୋମ୍ୟାକ୍ ଦୁର୍ନୀତି ଏହାର ଗୋଟିଏ ଗୋଟିଏ ଉଦାହରଣ । ସ୍ୱିସ୍ ବ୍ୟାଙ୍କରେ ଥିବା କଳାଧନର ପରିମାଣ ୭ହଜାରକୋଟି ଟଙ୍କାକୁ ଟପିସାରିଲାଣି ।

ସ୍ୱାଧୀନତାର ଅର୍ଥ କେବଳ ଏକଛତ୍ରବାଦ ଶାସକ ବା ବିଦେଶୀଙ୍କ କବଳରୁ ମୁକ୍ତି ନୁହେଁ ବରଂ ଜନକଲ୍ୟାଣ ଶାସନ ପଦ୍ଧତି ଦ୍ୱାରା ସାଧାରଣ ଲୋକଙ୍କୁ ବଞ୍ଚିବାର ମୌଳିକ ଆବଶ୍ୟକତା ଯୋଗାଇ ଦେବା । ସେ ସ୍ୱପ୍ନ ଆଜି ସୁଦୂର ପରାହତ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ । ସମ୍ପ୍ରତି ପ୍ରାୟ ୧୩୮ କୋଟି ଲୋକଙ୍କ ମଧ୍ୟରୁ ୧୯ ପ୍ରତିଶତ ଲୋକ କ୍ଷୁଧାର୍ତ୍ତ ତାଲିକାରେ ଅଛନ୍ତି । ୪୨ ପ୍ରତିଶତ ଶିଶୁଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ । ୭ ପ୍ରତିଶତ ଶିଶୁ ଜନ୍ମର ୫ ବର୍ଷ ମଧ୍ୟରେ ମୃତୁ୍ୟବରଣ କରିଥାନ୍ତି ।

ଦିନକୁ ଦିନ ଆମ ମା-ଭଉଣୀ ମାନେ ଅସୁରକ୍ଷିତ ଅବସ୍ଥା ଭିତରକୁ ଠେଲି ହୋଇଯାଉଛନ୍ତି । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦୁଷ୍କର୍ମର ଏକ ଲମ୍ବା ତାଲିକା । ଏବେବି ବିଶ୍ୱର ଅର୍ଦ୍ଧାଧିକ ନିରକ୍ଷର ଲୋକ ସ୍ୱାଧୀନ ଭାରତରେ ଅଛନ୍ତି । ହଜାର ହଜାର ଲୋକ ଆଜିବି ଦାଦନ ଖଟୁଛନ୍ତି । କ୍ରମାଗତ ଚାଷୀ ଆତ୍ମହତ୍ୟା ଜାରି ରହିଛି । ୫୪ କୋଟି ଯୁବକ ମାନଙ୍କ ଦେଶ ଭାରତରେ ନିଯୁକ୍ତି ନପାଇ ଜନସଂଖ୍ୟାର ଏକ ବଡ ଭାଗ ବାହାରେ ଶୁଣ୍ଢିପିଣ୍ଡା ହେଉଛନ୍ତି । ଜାତି ଧର୍ମନାମରେ ସାଂପ୍ରଦାୟିକ ଦଙ୍ଗା ଦେଶର ବିଭିନ୍ନ ସ୍ଥାନରେ ଘଟୁଛି ।

ହେଲେ ବାସ୍ତବରେ ଆମେ କେତେ ସ୍ୱାଧୀନ ହୋଇଛୁ ତାହା ଚିନ୍ତା କରିବାର ଅଛି । କାରଣ ଅନେକ କ୍ଷେତ୍ରରେ ସ୍ୱାଧୀନତା ଏବେବି ଅପହଞ୍ଚ ହୋଇରହିଛି । ଗୋଟିଏ ପଟେ ସୁପରପାୱାର ସ୍ୱପ୍ନ ଆମେ ଦେଖୁଥିବା ବେଳେ ଅନ୍ୟପଟେ ଦୁର୍ନୀତି,ଭ୍ରଷ୍ଟାଚାର,ଦାରିଦ୍ର୍ୟ,ବେକାରୀ ଓ ନିରକ୍ଷରତା ଭଳି ସମସ୍ୟା ଆମ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଛି । ଅନ୍ୟପଟେ ସ୍ୱାଧୀନତାର ୭୪ ବର୍ଷ ଅତିକ୍ରାନ୍ତ ପରେ ବି ସବୁ ଲୋକଙ୍କୁ ଦୁଇ ଓଳି ପେଟପୁରା ଆହାର ମିଳିଲା ନାହିଁ କି ସବୁ ଶିଶୁ ବିଦ୍ୟାଳୟ ଦୁଆର ମୁହଁ ମାଡି ପାରିଲେନି ।ଏହାହିଁ କ୍ଷୋଭର ବିଷୟ ।ତେଣୁ ଦୃଢ ସଂକଳ୍ପ ନେଇ ଆମକୁ ଆମ ଲକ୍ଷ୍ୟ ପୂରଣ ନିମନ୍ତେ ଅଗ୍ରସର ହେବାକୁ ହେବ । ଏହାହିଁ ସମୟର ଆହ୍ୱାନ ।

Leave A Reply