Odisha news

ଭାରତୀୟ ବଂଶୋଦ୍ଭବ ଓ ଆମେରିକା ନିର୍ବାଚନ

0

ନଗେନ୍ଦ୍ର ନାଥ ପଟ୍ଟନାୟକ  : ଦୁଇ ଶତାବ୍ଦୀ ଆଗରୁ ଏ ଦୁନିଆଟା ଏତେ ଛୋଟ ନ ଥିଲା । ତେବେ ଜାହାଜରେ ସମୁଦ୍ରଯାତ୍ରା କରିବାରେ ପାରଙ୍ଗମ ତଥା ପ୍ରତିଷ୍ଠିତ ଲୋକଙ୍କ ପାଇଁ ଜଗତଟା ସେତେବେଳେ ଅତି ଛୋଟ ମନେ ହେଉଥିଲା । କାହିଁକିନା ସେମାନେ କିଛିଦିନ ଓ ମାସ ଧରି ସମୁଦ୍ରଯାତ୍ରା ଦ୍ୱାରା ଜଗତର ପ୍ରତ୍ୟେକ ଜାଗାରେ ପହଁଚିପାରୁଥିଲେ, ଯାହାକି ସେମାନଙ୍କ ଆଶାନୁରୂପ ସମୃ୍ଦ୍ଧଶାଳୀ ଥିଲା । ପରନ୍ତୁ ସରଳ ଜୀବନଶୈଳୀ ଆପଣାଇ ଜିଇଁ ରହୁଥିବା ବିଶ୍ୱର ଅଧିକାଂଶ ଲୋକଙ୍କ ପାଇଁ ଏ ପୃଥିବୀର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ସମୃଦ୍ଧଶାଳୀ ସ୍ଥାନଗୁଡିକ ଥିଲା ଅପହଂଚ ।

ତେବେ ସମୟାବଧିରେ ଆମେରିକା ଥିଲା ଏଭଳି ଏକ ଦେଶ ଯାହାର ସମୃଦ୍ଧି,ବିଭବ,ଆଧୁନିକତା ଓ ଶାସନ-ପ୍ରଶାସନରେ ସର୍ବୋତମ ବ୍ୟବସ୍ଥା ସଂପର୍କରେ ପଛୁଆ ଅନଗ୍ରସର ଦେଶଗୁଡିକର ନାଗରିକ ରେଡିଓ ଓ ହାତଗଣତି ଖବରକାଗଜ ମାଧ୍ୟମରେ ହିଁ ଶୁଣୁଥିଲେ ଆଉ ପଢୁଥିଲେ । ବର୍ତମାନ ନଭ-ବିଜ୍ଞାନ,ପରିବହନ,ଗମନାଗମନ, ସୂଚନା ପ୍ରସାରଣ ଓ ପ୍ରଯୁକ୍ତିବିଦ୍ୟାର ଅତ୍ୟାଧୁନିକ ତଥା ଉନ୍ନତ ସୁବିଧା ଯୋଗୁଁ ବିଶ୍ୱର ଅନ୍ୟ ଯେକୌଣସି ଦେଶଠାରୁ ବି ବେଶ୍ ଆଗୁଆ ରହିଛି ଆମେରିକା । ଖାସ ଏହି କାରଣରୁ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଆମେରିକାର ଘଟୁଥିବା ସବୁ ଘଟଣାବଳୀ ସଂପର୍କରେ ଉଣାଧିକେ ଅବଗତ ହେବାଟା ସହଜ ଓ ସୁଗମ ହୋଇପାରୁଛି ।

ଆଗକୁ ଅର୍ଥାତ୍ ଆଗାମୀ ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପକ୍ଷ-ପ୍ରତିପକ୍ଷ ମଧ୍ୟରେ ରାଜନୈତିକ ଉଠା-ପକା ଖେଳ ସୁରୁ ହୋଇଗଲାଣି । ଏବେ ସେଠାରେ ନିର୍ବାଚନୀ ବାତାବରଣ ବେଶ୍ ସରଗରମ ଥିବା ବାରି ହୋଇପଡୁଛି । କ୍ଷମତାସୀନ ରିପବ୍ଲିକାନ ଦଳର ରାଷ୍ଟ୍ରପତି ତଥା ଆସନ୍ନ ନିର୍ବାଚନର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ବିପକ୍ଷ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ଲଢେଇ ଆମେରିକୀୟ ରାଜନୀତିରେ ଏକ ନୂତନ ସମୀକରଣ ସୃଷ୍ଟି କରିବାକୁ ଯାଉଛି ।

ଉଭୟ ଦୁଇ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଭୋଟରମାନଙ୍କ ମନ ଜିଣିବାପାଇଁ ନୂଆନୂଆ ନିର୍ବାଚନୀ ଇସ୍ତାହାର, ରଣନୀତି, ନୀତିପତ୍ର ଓ ପ୍ରତିଶ୍ରୁତି ସମ୍ବଳିତ ପତ୍ର ଇତ୍ୟାଦି ଖୁବ ସୁଚିନ୍ତିତ ଭାବେ ପ୍ରସ୍ତୁତ କରାଯାଉଛି । ଯେମିତି ମନେହେଉଛି ଏହି ନିର୍ବାଚନୀ ରଣାଙ୍ଗନରେ ଦୁଇ ପ୍ରମୁଖ ଦଳ ଭିତରେ ଘମାଘୋଟ ଲଢେଇ ହେବାକୁ ଯାଉଛି । ଜାତୀୟ ସ୍ତରରେ ବର୍ତମାନର କ୍ଷମତାସୀନ ଦଳର ଚାରିବର୍ଷ ଶାସନର ଉପଲବ୍ଧିତା ବିରୋଧୀଦଳ,ସଧାରଣ ଜନତା ବିଶେଷକରି ଦେଶବିଦେଶର ପ୍ରମୁଖ ତଥା ଦୃଢ ସମର୍ଥକଙ୍କ ପାଇଁ ନିଷ୍ପ୍ରଭ ହୋଇଥିବା ମନେହେଉଛି ।

ସେପଟ ପ୍ରେକ୍ଷାପଟ୍ଟରେ ଦେଖିଲେ ବିଗତ ଆଠ-ନଅ ମାସ ମଧ୍ୟରେ କେବଳ ଆମେରିକା ନୁହେଁ,ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ମଧ୍ୟ କରୋନା କବଳିତ ହୋଇଥିବା ଯୋଗୁଁ ଚରମ ଦୁର୍ଗତି ଓ ଦୁଃଖଦୁର୍ଦଷା ଭୋଗୁଛନ୍ତି ଏଥିସହ କରୋନା ପ୍ରଭାବିତ ଦେଶଗୁଡିକର ଅର୍ଥନୀତି ମଧ୍ୟ ବିପର୍ଯ୍ୟୟ ମଧ୍ୟ ଦେଇ ଗତି କରୁଛି । ଏଭଳି ବିଷମ ପରିସ୍ଥିତିରେ ଯିଏ ବି ଶାସକ ହେଉ ପଛକେ ଅଥବା ଯେକୌଣସି ଦଳର ସିଏ ହୁଅନ୍ତନା କାହିଁକି ତାଙ୍କ ସମ୍ମୁଖରେ ଜାତୀୟ ଅଥବା ଅନ୍ତର୍ଜାତୀୟ କ୍ଷେତ୍ରରେ ଯେଉଁସବୁ ଆହ୍ୱାନ ସୃଷ୍ଟି ହେଉଛି ସେଗୁଡିକୁ ସାହାସ ଓ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ହେଲେ ଏକାଧିକ କଠୋର ନିର୍ଣ୍ଣୟ ଗ୍ରହଣ କରିବାକୁ ପଡିବ, ଯଦିଓ ଏସବୁ ଚରମ ନିଷ୍ପତି ଦ୍ୱାରା ସ୍ୱଳ୍ପସଂଖ୍ୟକ ଲୋକ ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ ।

ତେଣେ ଆମେରିକା ପରିପ୍ରେକ୍ଷୀରେ ଆମେ ଯଦି ଦେଖିବା ତେବେ କରୋନାଜନିତ ସମସ୍ୟା କାରଣରୁ ରାଷ୍ଟ୍ରପତି ଟ୍ରମ୍ପ ଦେଶର କଲ୍ୟାଣପାଇଁ କେତେଗୁଡିଏ ଜନବିରୋଧୀ ନିର୍ଣ୍ଣୟ ନେଇଥିଲେ ସୁଦ୍ଧା ଆମେରିକାବାସୀଙ୍କ ସର୍ବାଙ୍ଗୀନ ତଥା ଦୀର୍ଘକାଳୀନ ବିକାଶ ,କଲ୍ୟ୍ାଣ ଓ ସୁଖ-ଶାନ୍ତିମୟ ଜୀବନ ସଂପର୍କରେ ସିଏ ବେଶ୍ ସଚେତନ । ଟ୍ରମ୍ପଙ୍କର ଏଭଳି ନିଷ୍ପତି ଫଳରେ ଆମେରିକା ଓ ସେଠିକାର ନାଗରିକ ସମ୍ମୁଖରେ ସମସ୍ୟା ସୃଷ୍ଟି ହେବା ନିହାତି ଅପରିହାର୍ଯ୍ୟ ହୋଇପଡିଛି ।

୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ବାମପନ୍ଥୀଙ୍କର ପସନ୍ଦଯୋଗ୍ୟ ଡେମୋକ୍ରାଟିକ ଦଳର ହିଲାରୀ କ୍ଲିଂଟନ ରିପବ୍ଲିକାନ ଦଳର ଟ୍ରମ୍ପଠାରୁ ପରାଜୟ ବରଣ କରିଥିଲେ । ସମଗ୍ର ବିଶ୍ୱରେ ବିଗତ ୩୦-୪୦ ବର୍ଷ ମଧ୍ୟରେ ବାମପନ୍ଥୀ ତଥା ଅନ୍ୟଦଳକୁ ଏହା ଥିଲା ଶକ୍ତ ଧକ୍କା ସଦୃଶ । ଆ୍େମରିକାରେ ବହୁବର୍ଷ ପରେ ଦକ୍ଷିଣପନ୍ଥୀ ଦଳ କ୍ଷମତାକୁ ପ୍ରତ୍ୟାବର୍ତନ କରିଥିଲା । ଏହାର ଲାଭ ଖାଲି ଆମେରିକାକୁ ନୁହେଁ, ଅଧିକିନ୍ତୁ ସେହିସବୁ ଦେଶକୁ ମିଳିଥିଲା ଯେଉଁମାନ କି ଆମେରିକୀୟ ବାମପନ୍ଥୀ ଶାସନର କୁଟୀଳ ଓ ଛଳକପଟ ନୀତିଦ୍ୱାରା ଅନାୟାସରେ ପ୍ରଭାବିତ ହୋଇଥିଲେ । ଏପରିକି ଭାରତ ମଧ୍ୟ ଏଥିରୁ ବାଦ ପଡିନଥିଲା ।

ଜର୍ଜ ଡବ୍ଲୁ ବୁଶ,ବିଲ୍ କ୍ଲିଂଟନଠାରୁ ଆରମ୍ଭ କରି ବାରାକ ଓବୋମା ପର୍ଯ୍ୟନ୍ତ ତିନୋଟି ଡୋମୋକ୍ରାଟିକ ଦଳର ଆମେରିକୀୟ ରାଷ୍ଟ୍ରପତିଙ୍କ ଦୋହରା ନୀତି ଆମେରିକାକୁ ବିଶ୍ୱର କୌଣସି ଦେଶକୁ ବିଶ୍ୱାସଭାଜନ କରାଇ ପାରିନଥିଲା । ଅନୁସୃତ ମାର୍କିନ ଶାସନତନ୍ତ୍ରର ଏଭଳି ଆତ୍ମଘାତୀ ସ୍ୱାର୍ଥୀ ଓ ପୁରାତନ ଚରିତ୍ରକୁ ବଦଳାଇବାର କାର୍ଯ୍ୟକୁ ଖିଆଲୀ ରାଷ୍ଟ୍ରପତି ଟ୍ରମ୍ପ ବେଶ୍ ଭଲଭାବରେ ସମ୍ପନ୍ନ କରିଥିଲେ । ସେ ଯାହାହେଉ, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଟ୍ରମ୍ପକୁ ଆମେରିକୀୟ ନାଗରିକଙ୍କ ସାମନାରେ ଅଯୋଗ୍ୟ ସିଦ୍ଧ କରିବା ଲାଗି ଉପାୟ ପାଂଚିଛନ୍ତି ବିରୋଧୀଦଳ । ତେବେ ଏଠି ପ୍ରଶ୍ନ ଉଠୁଛି,ସେମାନେ କଣ ସତରେ ଏସବୁ ଉପାୟକୁ ନିର୍ବାଚନୀ ବିଜୟରେ ପରିଣତ କରିପାରିବେ ? ଏଣେ ବିପକ୍ଷଦଳଗୁଡକ ଟ୍ରମ୍ପ ଉପରେ ବ୍ୟକ୍ତିଗତ ଚରିତ୍ରକୁ ନେଇ ଗୁରୁତର ଅଭିଯୋଗମାନ ନଉଠାଉଛନ୍ତି ।

ତେବେ ଟ୍ରମ୍ପଙ୍କ ମାର୍କିନ ପ୍ରଶାସନରେ ବିଦେଶ ତଥା ରକ୍ଷାମନ୍ତ୍ରୀ ଥିବା ରାଜନେତାଙ୍କୁ ଯଦି ଶାସନ ବ୍ୟବସ୍ଥାରୁ ହଟାଇ ଦିଆଯାଆନ୍ତା ଏହା ପଛରେ ଆମେରିକାର ହିତର ବ୍ୟାପକ ନିଃସ୍ୱାର୍ଥପର ଭାବନା ପ୍ରଛନ୍ନ ଭାବେ ନିହିତ ଥାନ୍ତା । ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ବିପକ୍ଷଦଳର ରାଜନେତାମାନେ କେବଳ ଟ୍ରମ୍ପ ବିରୁଦ୍ଧରେ ହିଁ ବ୍ୟକ୍ତିଗତ ଅଭିଯୋଗ କରୁଛନ୍ତି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସମୟରେ ଜଣେ କୃଷ୍ଣକାୟ ଆମେରିକାର ନାଗରିକଙ୍କ ହଠାତ ମୃତୁ୍ୟ ଘଟିଥିଲା । ଏହାକୁ ନେଇ ବିରୋଧୀ ବାମପନ୍ଥୀଦଳ ଆନେ୍ଦାଳନ ଚଲାଇ ଏକାଧିକ ସପ୍ତାହ ଏପରିକି ମାସାଧିକ କାଳ ପର୍ଯ୍ୟନ୍ତ ଆମେରିକାକୁ ଘୋର ଅରାଜକତା ଓ ଚରମ ବିଶୃଙ୍ଖଳିତ ସ୍ଥିତ ମଧ୍ୟକୁ ଠେଳିଦେଇଛନ୍ତି । କିନ୍ତୁ ମହାମାରୀଜନିତ ବୈଶ୍ୱିକ ଦୁର୍ଦଶା ମଧ୍ୟରେ ଏଭଳି ହୀନ ରାଜନୀତିର ଅଭିସନ୍ଧି ଯେ ଆମେରିକାର ସ୍ୱାର୍ଥର ପରିପନ୍ଥୀ ତାହା ସେମାନେ ମଗଜରେ ଭେଦିନଥିବା ଜଣାପଡିଛି ।

ଆମେରିକାରେ ବିଦେଶ ବଂଶୋଦ୍ଭବ ଯେତେ ନାଗରିକ ଅଛନ୍ତି ଆମେରିକା ରାଷ୍ପ୍ରପତି ନିର୍ବାଚନରେ ସେମାନଙ୍କ ସମର୍ଥନ ଜୁଟାଇବା ପାଇଁ ଦୁଇ ପ୍ରମୁଖ ଦଳର ପ୍ରାର୍ଥିଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଚାଲିଛି । ଭାରତର ମୂଳ ବିଦେଶୀ ନାଗରୀକଙ୍କ ସମର୍ଥନ ହାତେଇବା ଲାଳସାରେ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ କମଳା ହ୍ୟାରିସଙ୍କୁ ମନୋନୀତ କରିଛନ୍ତି ଡେମୋକ୍ରାଟିକ ଦଳ । କମଳାଙ୍କ ମାଆ ଭାରତୀୟ ବଂଶୋଦ୍ଭବ ଆଉ ଆଫ୍ରିକା ବଂଶୋଦ୍ଭବ ହେଉଛନ୍ତି ତାଙ୍କ ବାପା । ତେବେ ଭାରତର ମୂଳ ଆମେରିକୀୟ ମତଦାତାଙ୍କ ପସନ୍ଦ ଓ ପ୍ରବଳ ଆଗ୍ରହକୁ ଦୃଷ୍ଟିରେ ରଖି କମଳାକୁ ଭାରତର ବଂଶୋଦ୍ଭବ ବୋଲି ଉଲ୍ଲେଖ କରି ପ୍ରଚାର କରାଯାଉଛି ।

ଅପରପଟେ କମଳା ବାବଦରେ କଟୂ ସତ୍ୟ ହେଉଛି ସିଏ ବହୁ ସଂଖ୍ୟକ ଭାରତୀୟଙ୍କ ଦ୍ୱାରା ପୁଜ୍ୟ ହିନ୍ଦୁ ସଂସ୍କୃତି ,ଧର୍ମ ଓ ଜୀବନପଦ୍ଧତିର ଜଣେ ପ୍ରଖ୍ୟାତ ଆଲୋଚକ ସାଜିଛନ୍ତି । ମୂଳତଃ ବାମପନ୍ଥୀ ରାଜନୀତିରୁ ହିଁ ତାଙ୍କର ଆବିର୍ଭାବ । ଯଦିଓ ଭାବୀ ରାଷ୍ଟ୍ରପତି ରୂପେ ଜୋ ବିଜେନଙ୍କୁ ଆମେରିକାବାସୀ ପ୍ରଥମ ପସନ୍ଦ ବୋଲି କେତେକ ସର୍ବେକ୍ଷଣରୁ ଜଣାପଡିଛି ତଥାପି ଏ ପରିପ୍ରେକ୍ଷୀରେ ନିଛକ ସତକଥାଟି ହେଉଛି ଏଭଳି ସର୍ବେକ୍ଷଣ ସେହି କ୍ଷେତ୍ରଗୁଡିକରେ କରାଯାଇଛି ଯେଉଁଠି ଡେମୋକ୍ରାଟିକ ଦଳର ଜନପ୍ରତିନିଧି,ବିରୋଧୀ ରୂପେ ଆମେରିକାର କ୍ଷମତାର ଅଂଶବିଶେଷ ହୋଇ ରହିଛନ୍ତି । ସେପଟ କିନ୍ତୁ ବର୍ତମାନର ରାଷ୍ଠ୍ରପତି ଟ୍ରମ୍ପଙ୍କ ପୁରୁଖା ସମର୍ଥକଙ୍କ ତାଲିକା ସହିତ ଆଗାମୀ ଦିନରେ ନୂଆନୂଆ ସମର୍ଥକଙ୍କ ଯୋଡି ହୋଇଯାଉଥିବା ଲକ୍ଷ କରାଯାଉଛି । ମୋଟାମୋଟି ଭାରତର ମୂଳ ଅଧିବାସୀ ବହୁସଂଖ୍ୟକ ଆମେରିକା ନାଗରିକ ମଧ୍ୟ ଟ୍ରମ୍ପ ସପକ୍ଷବାଦୀ ପାଲଟିଛନ୍ତି ।

Leave A Reply