ବିପିନ ବିହାରୀ ରାଉତ : ଆମ ଦେଶର ଲୋକସଂଖ୍ୟା ୧୦୦କୋଟି ଅତିକ୍ରମ କରିଯାଇଥିବା ବେଳେ ଏହାର ଏକଚତୁର୍ଥାଂଶ ବା ୨୫% ବୟସ୍କ ବ୍ୟକ୍ତି ନିଃସଙ୍ଗ ଜୀବନଯାପନ କରୁଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି । ନିକଟରେ ଦିଲ୍ଲୀଭିତ୍ତିକ ସ୍ୱେଚ୍ଛାସେବୀ ସଂଗଠନ ଏଜୱେଲ ଫାଉଣ୍ଡେସନ ଦ୍ୱାରା ୧୦,୦୦୦ ବୟସ୍କ ବ୍ୟକ୍ତିଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇ ଏହାକୁ ବିଶ୍ଲେଷଣ କରାଯାଇଥିଲା । ପ୍ରତି ୪ଜଣରେ ଜଣେ ଅର୍ଥାତ୍ ୨୩.୪୪% ବୟସ୍କ ବ୍ୟକ୍ତି ଏକାକୀ ବାସ କରୁଥିବା ପ୍ରକାଶ କରିଥିଲେ । ସେହିପରି ପ୍ରତି ୨ଜଣରେ ଜଣେ ବୟସ୍କ (୪୮.୮୮%) ସେମାନଙ୍କ ଜୀବନସାଥୀଙ୍କ ସହ ବାସ କରୁଥିôବାବେଳେ ୨୬.୫% ବୟସ୍କ ସେମାନଙ୍କ ପିଲା ତଥା ପରିବାର ସଦସ୍ୟଙ୍କ ସହ ବାସ କରୁଥିôବା ଉକ୍ତ ସର୍ବେକ୍ଷଣ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଏହି ପରିସ୍ଥିତି ସହରାଞ୍ଚଳରେ ଅତି ଦୟନୀୟ ।
ସହରାଞ୍ଚଳରେ ୨୫.୩% ବୟସ୍କ ଏକୁଟିଆ ରହୁଥିବା ବେଳେ ସେ ତୁଳନାରେ ଗ୍ରାମାଞ୍ଚଳରେ ୨୧.୩୮% ବୟସ୍କ ଏକଲା ବାସ କରୁଛନ୍ତି । ବହୁ ସଂଖ୍ୟକ ବୟସ୍କ ଏକୁଟିଆ ଅଥବା ସେମାନଙ୍କ ଜୀବନସାଥୀଙ୍କ ସହ ରହିବା ପାଇଁ ପସନ୍ଦ କରୁଥିବା ଜାଣିବାକୁ ମିଳିଛି । ଏଥିପାଇଁ ସେମାନେ ସ୍ୱାଧୀନ ଜୀବନଯାପନ କରୁଥିଲେ ହେଁ ଅର୍ଥ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେଉଥିବାରୁ ସମସ୍ୟାରେ ପଡ଼ିଥାଆନ୍ତି । କେବଳ ୩୬.୮୧% ଲୋକ ସେମାନଙ୍କ ବୟସର ଅପରାହ୍ନରେ ଆର୍ଥିକ ସ୍ୱଚ୍ଛଳ ଥିବା ବିଷୟ ଉକ୍ତ ସର୍ବେକ୍ଷଣରେ ପ୍ରକାଶ କରାଯାଇଛି । ଗତ ମେ ଓ ଜୁନରେ କରାଯାଇଥିବା ଏହି ସର୍ବେକ୍ଷଣରେ ଦେଶର ୨୦ଟି ରାଜ୍ୟର ବୟସ୍କ ପୁରୁଷ ଓ ମହିଳାଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା ।
ଦେଶରେ ବୃଦ୍ଧ ପିତାମାତା ଓ ବରିଷ୍ଠ ନାଗରିକମାନଙ୍କୁ ପରିବାର ଲୋକେ ଅବହେଳା କରୁଥିବା ସମସ୍ୟା ବଢ଼ୁଥିବା ଯୋଗୁଁ ଏହାର ମୁକାବିଲା ସକାଶେ କେନ୍ଦ୍ର ସରକାର ପୁରୁଣା ଆଇନର ସଂଶୋଧନ କରିବାକୁ ଯାଉଥିବା ଆଶ୍ୱସ୍ତିର ବିଷୟ । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଯେଉଁ ପିତାମାତା ଓ ବରିଷ୍ଠ ନାଗରିକଙ୍କର ରକ୍ଷଣାବେକ୍ଷଣ ତଥା କଲ୍ୟାଣ ସଂଶୋଧନ ବିଲ, ୨୦୨୦ର ଚିଠା ପ୍ରସ୍ତୁତ କରିଛନ୍ତି ତାହା ସଂସଦରେ ଉପସ୍ଥାପିତ ହେବାକୁ ଯାଉଛି । ସଂଶୋଧିତ ବିଲରେ ଏ ସଂକ୍ରାନ୍ତରେ ରହିଥିବା ୨୦୦୭ ଆଇନର ଦୁର୍ବଳ ଦିଗଗୁଡ଼ିକୁ ଦୂର କରିବାକୁ ଉଦ୍ୟମ କରାଯାଇଛି । ଯଦ୍ୱାରା ପରିବାରର ବୟବୃଦ୍ଧମାନଙ୍କର ରକ୍ଷଣାବେକ୍ଷଣ ବ୍ୟବସ୍ଥାରେ ଉନ୍ନତି ଘଟିବ ।
ପୃଥିବୀର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ସମସ୍ୟା ବଢ଼ୁଛି ଓ ଅଧିକାଂଶ ରାଷ୍ଟ୍ର ବୁଢ଼ାବୁଢ଼ୀଙ୍କ ଅବହେଳାକୁ ରୋକିବା ପାଇଁ ଆଇନ କଲେଣି । ଭାରତରେ ଗ୍ରାମାଞ୍ଚଳଭିତ୍ତିକ ପାରମ୍ପରିକ ଯୌଥ ପରିବାର ବ୍ୟବସ୍ଥା ଧୀରେ ଧୀରେ ଭାଙ୍ଗୁଥିବାରୁ ଓ ସହରଗୁଡ଼ିକରେ ଏକକ ପରିବାର ବଢ଼ୁଥିବା ଯୋଗୁଁ ବରିଷ୍ଠ ନାଗରିକଙ୍କର ସମସ୍ୟା ବଢ଼ିଯାଉଛି । ଯଦିଓ ଭାରତରେ ମୋଟ ଜନସଂଖ୍ୟାରେ ଯୁବ ବୟସର ଲୋକଙ୍କ ସଂଖ୍ୟା ବେଶୀ ତଥାପି ହାରାହାରି ଆୟୁ ବଢ଼ୁଥିବାରୁ ଆଗାମୀ ଦିନରେ ବୁଢ଼ାବୁଢ଼ୀଙ୍କ ସଂଖ୍ୟା ଅଧିକ ହେବ ଏବଂ ସେ ଦୃଷ୍ଟିରୁ ସେମାନଙ୍କ ସୁରକ୍ଷା ସକାଶେ ଏବେ ଠାରୁ ପଦକ୍ଷେପ ନିଆଯିବା ଦରକାର । ଏହି ପରିପ୍ରେକ୍ଷୀରେ ଏବେକାର ସରକାରଙ୍କର ଉଦ୍ୟମ ପ୍ରଶଂସାଯୋଗ୍ୟ ।
ସଂଶୋଧିତ ଆଇନର ବିଶେଷତ୍ୱ ହେଲା ଏଣିକି ଦେଶର ସବୁ ସବଡ଼ିଭିଜନରେ ବରିଷ୍ଠ ନାଗରିକଙ୍କ ଅଭିଯୋଗର ସମାଧାନ କରିବାକୁ ଟ୍ରିବୁ୍ୟନାଲ ଗଠନ କରାଯିବ । ମୁଖ୍ୟତଃ ଯେଉଁ ବୁଢ଼ାବୁଢ଼ୀଙ୍କୁ ଖାଦ୍ୟ, ଆଶ୍ରୟ, ଲୁଗାପଟା, ଚିକିତ୍ସା ଆଦି ମୌଳିକ ଆବଶ୍ୟକତା କ୍ଷେତ୍ରରେ ଆତ୍ମୀୟମାନେ ଅବହେଳା କରୁଛନ୍ତି ସେମାନଙ୍କ ସମସ୍ୟା ଉପରୋକ୍ତ ଟି୍ରବୁ୍ୟନାଲ ୯୦ ଦିନ ମଧ୍ୟରେ ତୁଟାଇବ ।
ଅର୍ଥାତ୍ ସେମାନଙ୍କୁ ପ୍ରଚଳିତ କୋର୍ଟ ବ୍ୟବସ୍ଥା ଦେଇ ଦୀର୍ଘଦିନ କେସ ପଛରେ ଦୌଡ଼ିବାକୁ ପଡ଼ିବ ନାହିଁ । ଯଦି ଅବହେଳିତ ବାପା-ମାଆ ବା ବରିଷ୍ଠ ନାଗରିକ ନିଜ ଆୟରେ ଅଥବା ସ୍ୱ ସମ୍ପତ୍ତିରୁ ଚଳିବାକୁ ଅକ୍ଷମ ସେମାନେ ଟ୍ରିବୁ୍ୟନାଲରେ ସନ୍ତାନସନ୍ତିତଙ୍କ ବିରୋଧରେ ଅଭିଯୋଗ କଲେ ତୁରନ୍ତ ସେମାନଙ୍କୁ ନ୍ୟାୟ ମିଳିବ । ଏହି ବ୍ୟବସ୍ଥାରେ ସନ୍ତାନସନ୍ତତି ବା ଆଇନଗତ ଉତ୍ତରାଧିକାରୀଙ୍କୁ ବାପ-ମାଆଙ୍କର ରକ୍ଷଣାବେକ୍ଷଣ ବାବଦରେ ୧୦ ହଜାର ଟଙ୍କା ଯାଏଁ ଦେବା ଲାଗି ଟ୍ରିବୁ୍ୟନାଲ ଆଦେଶ ଦେବେ ।
ଯେଉଁମାନେ ବାପ-ମାଆଙ୍କୁ ଅବହେଳା କରିବା ବା ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହେବେ ସେମାନଙ୍କୁ ୩ମାସ ଯାଏଁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ । ଚିଠା ସଂଶୋଧିତ ବିଲରେ ଯେଉଁସବୁ ନୂଆ ବ୍ୟବସ୍ଥା କରାଯାଇଛି ସେଥିରେ ବରିଷ୍ଠ ନାଗରିକମାନଙ୍କର ଅଧିକାରକୁ ଗୁରୁତ୍ୱ ଦେବାଲାଗି ଉଦ୍ୟମ ହୋଇଛି । ଉଦେ୍ଦଶ୍ୟ ହେଲା ପୁଅ-ଝିଅ ବା ନାତିନାତୁଣୀ ଯେପରି ବୟୋଜ୍ୟେଷ୍ଠମାନଙ୍କର ମୌଳିକ ଆବଶ୍ୟକତା ସୁରକ୍ଷା ଦାୟିତ୍ୱ ନେବେ । ବିଲରେ ମଧ୍ୟ ବୁଢ଼ାବୁଢ଼ୀଙ୍କର ଯତ୍ନ ନେବା ଲାଗି ଅନୁଷ୍ଠାନ ପ୍ରତିଷ୍ଠା ଓ ସେବା ଯୋଗାଇବା ସକାଶେ ପ୍ରସ୍ତାବ ଦିଆଯାଇଛି । ଯେପରି ବରିଷ୍ଠ ନାଗରିକମାନେ ସମ୍ମାନଜନକ ଜୀବନ କଟାଇପାରିବେ ସେଥିଲାଗି ବିଲରେ ବ୍ୟବସ୍ଥା ରହିଛି । ଏଥିରେ ଏକ ପ୍ରସ୍ତାବ ରହିଛି ଯେ ବରିଷ୍ଠ ନାଗରିକଙ୍କର ଯତ୍ନ ନେଉଥିବା ବ୍ୟକ୍ତି ତାଙ୍କ ସମ୍ପତିକୁ ବାପ-ମାଆ ବା ସମ୍ପୃକ୍ତ ବୁଢ଼ାବୁଢ଼ୀଙ୍କର ଅନୁମତି ବିନା ବିକି ପାରିବେ ନାହିଁ ।
ଯେପରି ଦୂର ସମ୍ପର୍କୀୟ ଆତ୍ମୀୟମାନେ ବରିଷ୍ଠ ନାଗରିକଙ୍କର ରକ୍ଷଣାବେକ୍ଷଣ ଓ ଯତ୍ନ ପାଇଁ ଦାୟୀ ରହିବେ ସେ ବ୍ୟବସ୍ଥା ମଧ୍ୟ ବିଲରେ ରହିଛି । ରକ୍ଷଣାବେକ୍ଷଣ ଖର୍ଚ୍ଚ ସର୍ବୋଚ୍ଚ ସୀମା ୧୦ ହଜାର ଟଙ୍କାରୁ ଅଧିକ କରିବା ପାଇଁ ମଧ୍ୟ ଏଥିରେ ସୁଯୋଗ ଦିଆଯାଇଛି । କାରଣ ଅନେକ ସ୍ଥାନରେ ଏହି ଅର୍ଥ ଯଥେଷ୍ଟ ନୁହେଁ । ଭାରତରେ ଦୁଇତୃତୀୟାଂଶ ବୁଢ଼ାବୁଢ଼ୀ ପରିବାର ଲୋକଙ୍କ ଦ୍ୱାରା ଅବହେଳିତ ହେଉଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି । ଏକ ତୃତୀୟାଂଶଙ୍କର ଅଭିଯୋଗ ହେଲା ସେମାନେ ଆତ୍ମୀୟମାନଙ୍କ ଦ୍ୱାରା ଶାରୀରିକ ଅତ୍ୟାଚାର ଓ ଗାଳିଗୁଲଜର ଶିକାର ହୁଅନ୍ତି । ଏଣୁ ସେମାନଙ୍କ ପାଇଁ କେନ୍ଦ୍ରର ଆଇନଗତ ସୁରକ୍ଷା ଅନେକାଂଶରେ ସହାୟକ ହେବ ବୋଲି ଆଶା ।
କେନ୍ଦ୍ର ଓ ରାଜ୍ୟ ଗୁଡ଼ିକ କେବଳ ଏତିକିରେ ସୀମିତ ନରହି ବରିଷ୍ଠ ନାଗରିକଙ୍କ ପାଇଁ ବେଶୀ ସରକାରୀ ସୁବିଧା ମଧ୍ୟ ଦେବା ଆବଶ୍ୟକ ହେଉଛି । ସେଥିରେ ପେନସନଠାରୁ ଆରମ୍ଭ କରି ସହରାଞ୍ଚଳରେ ସରକାରୀ ବୃଦ୍ଧ ନିବାସ ଗଠନକୁ ଗୁରୁତ୍ୱ ଦିଆଯିବା ଉଚିତ । ଆମ ସମାଜର ଓ ଆମ ସମୟର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଉଛନ୍ତି ଏହି ପରିଣତ ବୟସର ନାଗରିକମାନେ । ନିଜ ବ୍ୟକ୍ତିଗତ ଜୀବନ ହେଉ ବା କର୍ମମୟ ଜୀବନ ବା ନିଜ ନିଜ ପ୍ରତିଭାବାନ ଜୀବନର ଅନେକ ଅଭିଜ୍ଞତା ଏହି ବରିଷ୍ଠ ନାଗରିକମାନଙ୍କ ପାଖରେ ରହିଛି ସେମାନଙ୍କ ମୂଲ୍ୟବାନ ପରାମର୍ଷ, ହିତୋପଦେଶ ନିଶ୍ଚିନ୍ତ ଭାବରେ ଆମ ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହେବ । ଦେବ ମନ୍ଦିର ବା କୌଣସି ଦେବାଳୟରେ ଭଗବାନଙ୍କ ମୂର୍ତ୍ତିକୁ ନଖୋଜି ନିଜ ଘରେ ଥିବା ବାପା-ମାଆଙ୍କ ସେବାକରି ସେହି ମାନଙ୍କୁ ଦେବତୁଲ୍ୟ ଜ୍ଞାନ କଲେ ଆମ ସମସ୍ତଙ୍କର ମଙ୍ଗଳ ହେବ ।