ଡ଼ ପ୍ରତିଭା ମହାରଥୀ : ଏ ସୃଷ୍ଟିରେ ସୃଷ୍ଟିକର୍ତ୍ତା ପରମାତ୍ମା ହିଁ ସବୁଠୁ ବଡ଼, ସବୁଠୁ ଉପରେ ଅଛନ୍ତି । ମନୁଷ୍ୟ ପଞ୍ଚବିକାରର ବଶବର୍ତ୍ତୀ ହୋଇ ନିଜକୁ ବେଳେବେଳେ ବଡ଼ ବୋଲି ଭାବି ଗର୍ବ କରିଥାଏ । କିନ୍ତୁ ସୃଷ୍ଟିକର୍ତ୍ତା ଭଗବାନ ଏହି ସୃଷ୍ଟିର ରଚନା କଲାବେଳେ ଏଥିରେ ଏତେ ଚମକ୍ରାରିତା ଭରିଦେଇଛନ୍ତି ଯେ, ଏହାକୁ ବିଶ୍ଳେଷଣ କଲେ ଆମେ ଜାଣିପାରିବା ଏଠାରେ ଜଡ଼ ଠାରୁ ଚେତନ ଯାଏଁ ପ୍ରତ୍ୟେକଟି ଭିତରେ କିଛି ନା କିଛି ଭଲ ଗୁଣ ଲୁକ୍କାୟିତ ହୋଇ ରହିଛି । ତା ଛଡ଼ା ଆମେ ସଭିଏଁ ଜନ୍ମଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଆମର ଯାବତୀୟ ଆବଶ୍ୟକତା ପାଇଁ ଅଗଣିତ ଦ୍ରବ୍ୟ ଉପରେ ନିର୍ଭରଶୀଳ ହୋଇଥାଉ । ତେଣୁ ଏଠାରେ ସମସ୍ତେ ନିଜ ନିଜ ସ୍ଥାନରେ ଶ୍ରେଷ୍ଠ । ଉଦାହରଣ ସ୍ୱରୂପ ଆପଣ ସକାଳୁ ଉଠିବା ବେଳକୁ ଯଦି ପୂର୍ବ ଦିନଠୁ ସରିଥିବା ଟୁଥ୍ପେଷ୍ଟ୍ଟିକୁ ହଟାଇ ନୂଆଟିଏ ନ ଆଣିଥିବେ ତେବେ ସେଦିନ ସକାଳୁ ସକାଳୁ ଟିକେ ବ୍ୟସ୍ତ ହେବେ ।
ପୁନଃଶ୍ଚ ଟୁଥ୍ପେଷ୍ଟ୍ ଥାଇ ଯଦି ଟୁଥ୍ବ୍ରସ୍ଟି ନଥିବ ତେବେ ମଧ୍ୟ ଆପଣ ଅସୁବିଧାର ସମ୍ମୁଖୀନ ହେବେ । ଯଦି ଟୁଥ୍ପେଷ୍ଟ ଓ ଟୁଥ୍ବ୍ରସ୍ ଥାଇ ଆପଣଙ୍କ ବେସିନ୍ରେ ପାଣି ଆସୁ ନଥିବ, ତେବେ ମଧ୍ୟ ଯୋଉ ହଇରାଣ କୁ ସେଇ ହଇରାଣ । ଏଥିରୁ ଜଣାପଡ଼ୁଛି ଆମେ ସମସ୍ତେ ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ଏ ପୃଥିବୀର ଅଗଣିତ ବସ୍ତୁ ଉପରେ ନିର୍ଭର କରିଚାଲିଛେ ଜନ୍ମଠାରୁ ମୃତୁ୍ୟଯାଏଁ । ନିଜକୁ କର୍ତ୍ତା ନ ଭାବି ଏ ମଧୁର ସୃଷ୍ଟିରେ କେବଳ “ନିମିତ୍ତ’ ବୋଲି ଚିନ୍ତା କରି ପରସ୍ପରକୁ ସ୍ନେହ, ଶ୍ରଦ୍ଧା ତଥା ସମ୍ମାନ ଜଣାଇ ଆସନ୍ତୁ ନୂଆ ବର୍ଷ ପ୍ରାରମ୍ଭରୁ ସମସ୍ତଙ୍କର ମହତ୍ତ୍ୱକୁ ଉପଲବ୍ଧି କରିବା, କାରଣ ଏହି ସୃଷ୍ଟି ରଙ୍ଗମଞ୍ଚରେ ଦୁବଠାରୁ ଦାରୁ ପର୍ଯ୍ୟନ୍ତ ସମସ୍ତଙ୍କର କିଛି ନା କିଛି ଭୂମିକା ରହିଛି । ଏହାକୁ ହୃଦୟଙ୍ଗମ କରିପାରିଲେ ଆମ ଭିତରୁ ବଡ଼ପଣର ଅହମିକାଟି ନିଶ୍ଚିତ ଉତ୍ପାଟିତ ହୋଇପାରିବ । ଏ ସମ୍ବନ୍ଧରେ ଗପଟିଏ ଶୁଣିଥିଲି ।
ଥରେ ଜଣେ ରାଜା ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ଶୁଣିଲେ ଯେ ଅଗନାଅଗନି ଜଙ୍ଗଲ ଭିତରୁ ଭାସି ଆସୁଛି ନିଷ୍ପ୍ରଭ ଠକ୍ ଠକ୍ ଶବ୍ଦ । ଏ ଶବ୍ଦ କାହାର ବୋଲି ଠଉରାଇବାକୁ ରାଜା କିଛି ସୈନିକଙ୍କୁ ପଠାଇଲେ । ସୈନିକମାନେ ସେଇ ଶବ୍ଦକୁ ଲକ୍ଷ୍ୟ ରଖି ଆଗେଇଲେ । କିଛି ଭିତରକୁ ଗଲାପରେ ସେମାନେ ଦେଖିଲେ ଯେ ବୃଦ୍ଧ ଶିଳ୍ପୀ ମୂର୍ତ୍ତି ଗଢ଼ିବାରେ ମଗ୍ନ । ସେ ଅଞ୍ଚଳର ଚାରିଆଡ଼େ ଅତି ସୁନ୍ଦର ଅସଂଖ୍ୟ ମୂର୍ତ୍ତି ଛିଡ଼ା ହୋଇଥିବା ଦେଖି ସେମାନେ ଚମକ୍ରୃତ ହେଲେ । ସୈନିକମାନେ ଶିଳ୍ପୀଙ୍କୁ ଆପଣା ପରିଚୟ ଦେଇ ସେମାନଙ୍କ ସହିତ ରାଜାଙ୍କ ପାଖକୁ ଯିବାକୁ ଅନୁରୋଧ କଲେ । ଶିଳ୍ପୀ ପ୍ରଥମେ ତ ସେଠାରେ ସୈନିକମାନଙ୍କୁ ଦେଖି ବିସ୍ମିତ ହେଲେ । କିନ୍ତୁ ସବୁ ଶୁଣିବା ପରେ ସେ ରାଜାଙ୍କ ପାଖକୁ ଯିବାକୁ ମଙ୍ଗିଲେ ନାହିଁ, ନମ୍ର ଭାବରେ ମନା କରିଦେଲେ ।
ସୈନିକମାନେ ଏହି ଖବର ରାଜାଙ୍କୁ ଦେଲେ । ରାଜା ସ୍ୱୟଂ ଶିଳ୍ପୀଙ୍କ ପାଖକୁ ଆସି ଯାହା ଦେଖିଲେ ସେଥିରେ ସ୍ତମ୍ଭୀଭୂତ ହୋଇଗଲେ । ଏଭଳି ଜଣେ ଶିଳ୍ପୀ ଜଙ୍ଗଲ ଭିତରେ ସାଧନା କରୁଛନ୍ତି । ରାଜା ବିଶ୍ୱାସ କରିପାରିଲେ ନାହିଁ । ତେଣୁ ସେ କହିଲେ, ହେ ମହାତ୍ମା, ମୋ ରାଜପଣକୁ ଧିକ୍ । ମୁଁ ରାଜା ଥାଉ ଥାଉ ଆପଣଙ୍କ ଭଳି ଜଣେ ମହାନ୍ ଶିଳ୍ପୀ ଜଙ୍ଗଲ ଭିତରେ ସମସ୍ତଙ୍ଗ ଅଗୋଚରରେ ମୂର୍ତ୍ତି ଗଢ଼ୁଛନ୍ତି । ଏଣେ ଆପଣଙ୍କ ତୁଳନାରେ ଅକିଞ୍ଚନମାନଙ୍କୁ ମୁଁ ରାଜଶିଳ୍ପୀ ଭାବେ ସମ୍ମାନ ଦେଇଆସୁଛି । ଆପଣ ମୋ ସହିତ ଚାଲନ୍ତୁ । ଏତେ ସୁନ୍ଦର ଜୀବନ୍ତ ମୂର୍ତ୍ତିର ସ୍ରଷ୍ଟା ଭାବେ ମୁଁ ଆପଣଙ୍କ ମୁଣ୍ଡରେ ଶିରପା ବାନ୍ଧିବି ।
ଶିଳ୍ପୀ ଏହା ଶୁଣି କହିଲେ, ମହାରାଜ ଏ କଥାଟି ଯଦି ଆପଣ ଆଉ ତିରିଶି ବର୍ଷ ଆଗରୁ କହିଥାନ୍ତେ, ତେବେ ହୁଏତ ମୁଁ ଯାଇଥାନ୍ତି, କିନ୍ତୁ ଏବେ ନୁହେଁ । ରାଜା ବିସ୍ମିତ ହୋଇ ପଚାରିଲେ, କାହିଁକି? ଶିଳ୍ପୀ କହିଲେ, ତରୁଣ ଅବସ୍ଥାରେ ଜଣେ ଶିଳ୍ପୀ ଭାବେ ମୋ ମନରେ ଭାରି ଅହଂକାର ଥିଲା । ଦିନକର କଥା ମୋ ଗୁରୁ ମୋତେ ପ୍ରଶ୍ନଟିଏ ପଚାରିଲେ । ସେ ପ୍ରଶ୍ନଟି ହେତୁ ମୁଁ ସବୁ ଛାଡ଼ି ନୀରବରେ ଏ ଜଙ୍ଗଲରେ ଅଜ୍ଞାତବାସରେ ସାଧନା କରୁଛି ।
ରାଜା ପଚାରିଲେ – କଣ ଥିଲା ସେ ପ୍ରଶ୍ନ? ଶିଳ୍ପୀ କହିଲେ, ପ୍ରଶ୍ନଟି ହେଉଛି, ତୁମେ ଏ ମୂର୍ତ୍ତିର ସ୍ରଷ୍ଟା ନା ମୂର୍ତ୍ତିଗୁଡ଼ିକ ତୁମ ଭଳି ଜଣେ ଶିଳ୍ପୀର ସ୍ରଷ୍ଟା? ଶ୍ରେୟ କାହାର? ବାସ୍ ସେତିକିରେ ମୋ ମନରୁ ପରସ୍ତ ପରସ୍ତ ଅହଂ ଛାଡ଼ିଗଲା । ମୁଁ ଜାଣେ ମୁଁ ବି ଜଣେ ଅକିଞ୍ଚନ । ଏ ମୂର୍ତ୍ତିମାନେ ମୋତେ ଗଢ଼ିଛନ୍ତି । ସବୁ ଶ୍ରେୟ ଏମାନଙ୍କର ।
ସେହିପରି ଅତୀତକୁ ଦୃଷ୍ଟିନିକ୍ଷେପ କଲେ ଜଣାଯାଏ ଭଲ ଗୁରୁମାନେ କେବଳ ଭଲ ଛାତ୍ର ତିଆରି କରିନଥାନ୍ତି, ବେଳେବେଳେ ଛାତ୍ରମାନେ ମଧ୍ୟ ଭଲ ଗୁରୁ ତିଆରି କରିବାରେ ସମର୍ଥ ହୋଇଥାନ୍ତି, କାହିଁକି ନା ଗୁରୁ-ଶିଷ୍ୟ, ଶିକ୍ଷକ-ଛାତ୍ର, ସ୍ୱାମୀ-ସ୍ତ୍ରୀ, ପିତାମାତା-ସନ୍ତାନସନ୍ତତି, ଏମାନେ ପରସ୍ପର ପରିପୂରକ । ଏକଦା ଦ୍ରୋଣାଚାର୍ଯ୍ୟ ସୃଷ୍ଟି କରିପାରିଥିଲେ ଅର୍ଜୁନ ଭଳି ଧନୁର୍ଦ୍ଧାରୀକୁ ଓ ଆରିଷ୍ଟୋଟଲ୍ ସୃଷ୍ଟି କରିଥିଲେ ଗ୍ରୀକ୍ବୀର ଆଲେକ୍ଜାଣ୍ଡାରକୁ । ଆରିଷ୍ଟୋଟଲ୍ ମଧ୍ୟ ତିଆରି କରିଥିଲେ ପ୍ଲାଟୋଙ୍କୁ ଓ ପ୍ଲାଟୋ ଆରିଷ୍ଟୋଟଲଙ୍କୁ ।
ଦିନେ ଶ୍ରେଣୀ ଗୃହରେ ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ମଣିଷର ସଂଜ୍ଞା ଦେବାକୁ ଯାଇ କହିଥିଲେ, “ମଣିଷ ହେଉଛି ଦ୍ୱିପାଦ ବିଶିଷ୍ଟ ପକ୍ଷହୀନ ଏକ ପ୍ରାଣୀ ।” ମାତ୍ର ତାଙ୍କ ଶିଷ୍ୟ ଆରିଷ୍ଟୋଟଲ ଜୈବିକ ତ୍ରୁଟିରୁ ପକ୍ଷ ନଥିବା ଏକ କୁକୁଡ଼ାକୁ ଦେଖାଇ ପଚାରିଲେ, “ମହାଶୟ, ଆପଣଙ୍କ ସଂଜ୍ଞା ଅନୁସାରେ ଏହି ପକ୍ଷହୀନ କୁକୁଡ଼ାକୁ ମଣିଷ କୁହାଯାଇ ପାରିବ?” ସେତେବେଳେ ପ୍ଲାଟୋଙ୍କୁ ତାଙ୍କ ସଂଜ୍ଞାକୁ ବଦଳାଇବାକୁ ପଡ଼ିଥିଲା । ସେ କହିଲେ, “ମଣିଷ ହେଉଛି ହସି ପାରୁଥିବା ଏକ ପ୍ରାଣୀ ।” ପରଦିନ ଆରିଷ୍ଟୋଟଲ ଏକ ତାଲିମପ୍ରାପ୍ତ ଘୋଡ଼ାକୁ ହ୍ରେଷାରାବ କରାଇ ପ୍ଲାଟୋଙ୍କୁ ପଚାରିଲେ, “ମହାଶୟ, ଏହି ହସି ପାରୁଥିବା ଘୋଡ଼ାକୁ ମଣିଷ କହି ହେବକି?” ପ୍ଲାଟୋ ବାଧ୍ୟ ହୋଇ ପୁଣି ଥରେ ସଂଜ୍ଞା ବଦଳାଇ କହିଲେ, “ମଣିଷ ହେଉଛି ଏକ ବିଚାରଶୀଳ ପ୍ରାଣୀ ।” ପ୍ଲାଟୋଙ୍କ ଏହି ସଂଜ୍ଞା ଆଜି ପର୍ଯ୍ୟନ୍ତ ଠିକ୍ ବୋଲି ଗ୍ରହଣ କରାଯାଇଛି ।
କାରଣ ଭଲମନ୍ଦ ବିଚାର କରିବାର ଶକ୍ତି କେବଳ ମଣିଷର ରହିଛି । ଏଯାଏଁ ମଧ୍ୟ ଆମେ କେହି ସ୍ଥିର କରି କହିପାରିବା ନାହିଁ ଯେ ଏ ସୃଷ୍ଟିର ମଞ୍ଜିଟିଏ ଆଗ ନା ବୃକ୍ଷ, ଜନ୍ମ ଆଗ ନା ମୃତୁ୍ୟ, ଅଣ୍ଡା ଆଗ ନା କୁକୁଡ଼ା… । କାରଣ ଏ ସବୁ ବଡ଼ ଗହନ ପ୍ରଶ୍ନ । ମଞ୍ଜିଟିଏରୁ ତ ଗଛଟିଏ ଉଦ୍ଭବ ହୁଏ, ପୁଣି ଗଛଟିଏ ହିଁ ମଞ୍ଜିର କାରଣ । ଜନ୍ମ ଥିଲେ ତ ମୃତୁ୍ୟ ହୁଏ ପୁଣି ମୃତୁ୍ୟ ପରେ ପୁର୍ନଜନ୍ମ । ସେହିପରି ଅଣ୍ଡାଟିରୁ କୁକୁଡ଼ା ଛୁଆଟିଏ ଫୁଟିଥାଏ ପୁଣି କୁକୁଡ଼ାଟିଏ ହିଁ ଅଣ୍ଡା ସୃଷ୍ଟିକରେ ।
ଅନେକ ଓହଳ ଲମ୍ବିଥିବା ବରଗଛଟିରେ କେତେ ପକ୍ଷୀ ଆଶ୍ରୟ ନିଅନ୍ତି, ତଳେ କେତେ ପଶୁ, ମନୁଷ୍ୟ ମଧ୍ୟ ବିଶ୍ରାମ ନିଅନ୍ତି । କିନ୍ତୁ ଟିକିଏ ନିରୀକ୍ଷଣ କଲେ ଦେଖିପାରିବା ବରଗଛଟିକୁ ଠିଆ କରି ରଖିବାରେ, ସେଥିରୁ ବାହାରିଥିବା ଓହଳମାନେ କିପରି ସ୍ତମ୍ଭ ଭଳି କାମ କରିଥାନ୍ତି । ସୃଷ୍ଟି ଅନନ୍ତ ଓ ଅନାଦି । ଏହା ଭିତରକୁ ଯିବା ପୂର୍ବରୁ ଆସନ୍ତୁ ପରମାତ୍ମାଙ୍କର ଏହି ସତ୍ୟ ଶିବ ସୁନ୍ଦର ତଥା ମଧୁର ସୃଷ୍ଟିର ପ୍ରତ୍ୟେକ ବସ୍ତୁରୁ ଯଥା – ଫୁଲ, ଫଳ, ଘାସ, ଦୁବ, ଆକାଶ, ପର୍ବତ, ଝରଣା, ପଶୁ, ପକ୍ଷୀ, ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ, ଉପଗ୍ରହ ଇତ୍ୟାଦି ମଧ୍ୟରୁ ଅମୃତତ୍ୱକୁ ସାଉଁଟି ନେବା । ପ୍ରତି ମୁହୂର୍ତ୍ତରେ ବିଶ୍ୱ ନିୟନ୍ତାଙ୍କ ଚମକ୍ରାରିତାରେ ମନ ପ୍ରାଣ ହୃଦୟକୁ ଭରିଦେଇ ଏକ ସକରାତ୍ମକ ଦୃଷ୍ଟି ନିବଦ୍ଧ କରିବା । ଭାଗବତରେ ବର୍ଣ୍ଣିତ “ଏ ମନ ଖୋଜୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା ।ା” ତେଣୁ ମନ ଭିତରେ ଅତୁଟ ବିଶ୍ୱାସ ରଖି ପ୍ରଭୁଙ୍କୁ ସ୍ମରଣ କଲେ ସଂଶୟର ଆବରଣଟି ଧୀରେ ଧୀରେ ଖୋଲିଯିବ ।