ଯଦୁମଣି ପାଣିଗ୍ରାହୀ : ଆମ ଗାଁର ନରହରି ବାବୁଙ୍କର ଗତ ପ୍ରାୟ ଦୁଇମାସ ପୂର୍ବେ ସ୍ୱର୍ଗବାସ ହୋଇଗଲା । ୭୫ ବର୍ଷିୟ ନରହରି ବାବୁ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ପରଲୋକ ଜନିତ ସମ୍ବାଦ ଗାଁର ପ୍ରାୟ ସମସ୍ତଙ୍କୁ ଦୁଃଖରେ ମ୍ରିୟମାଣ କରିଥିଲା । ନରହରି ବାବୁ ଗାଁର ପାଞ୍ଚ ଜଣରେ ଜଣେ ଥିଲେ । ଗାଁର ନ୍ୟାୟ ନିଶାପରେ ସେ ଆଗ ଡକା ଥିଲେ । ଜମିଜମା ବାଦବିବାଦ, ମାର୍ପିଟ ଓ ଗଣ୍ଡଗୋଳ ଆଦି ସମସ୍ୟାରେ ସେ ଭଦ୍ରଲୋକି କରି ସେସବୁର ଅତି ସରଳ ଓ ସହଜ ସମାଧାନ କରିବାରେ ବେଶ୍ ପାରଙ୍ଗମ ଥିଲେ । ଆଉ ସେହି ଆଧାରରେ ସାରା ଗାଁରେ ତାଙ୍କର ଏକ ସ୍ୱତନ୍ତ୍ର ଖାତିର ଥିଲା କହିଲେ ସମୀଚୀନ ହେବ । ତେଣୁ ତାଙ୍କର ବିୟୋଗ ଜନିତ ଅନୁପସ୍ଥିତତାକୁ ସମସ୍ତେ ଅନୁଭବ କରିବା ସ୍ୱାଭାବିକ । ସେ ଯାହା ହେଉ ବାହାରେ ରହୁଥିବା ତାଙ୍କ ପୁଅ ମାନେ ଯଥା ସମୟରେ ଗାଁରେ ଉପସ୍ଥିତ ହୋଇ ହିନ୍ଦୁ ରୀତିନୀତି ଅନୁସାରେ ଯଥାବିଧି ବାପାଙ୍କ ଶୁଦ୍ଧିକ୍ରିୟାର ଆନୁଷଙ୍ଗିକ ବନେ୍ଦାବସ୍ତ କରିବାରେ ଲାଗିଲେ । ଯଥା ସମୟରେ ଏକାଦଶାହ କାର୍ଯ୍ୟ୍ରକ୍ରମର ଆୟୋଜନ ହେଲା । ନରହରି ବାବୁଙ୍କ ଫଟୋ ଛପା ଥାଇ ବଡ ବଡ ହୋଡିଂ ମାନ ଲଗାଗଲା । ଆମ ଗାଁ ସମେତ ଆଖପାଖ ଗାଁ ଲୋକଙ୍କୁ ବି ଏକାଦଶାହ ଭୋଜିକୁ ନିମନ୍ତ୍ରଣ କରାଗଲା । ତାଙ୍କ ସ୍ମୃତି ବଖାଣିବା ନିମନ୍ତେ ଏକ ସ୍ମୃତିଚାରଣ ସଭାର ବି ଆୟୋଜନ କରାଗଲା । ସଭାସ୍ଥଳରେ ତାଙ୍କର ଏକ ବିଶାଳକାୟ ତୈଳଚିତ୍ର ରଖାଯାଇ ଫୁଲରେ ସଜ୍ଜିତ କରାଗଲା । ପାଖଆଖ ଗାଁ ମାନ୍ୟଗଣ୍ୟ ଲୋକେ ତାଙ୍କ ସ୍ମୃତି ସଭାରେ ଉପସ୍ଥିତ ରହି ନରହରି ବାବୁଙ୍କ ଗୁଣକୀର୍ତ୍ତନ କଲେ । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କଲେ । ଶେଷରେ ନାନାଦି ବ୍ୟଞ୍ଜନରେ ଆପ୍ୟାୟିତ ହୋଇ ଘରକୁ ଫେରିଲେ । ନରହରି ବାବୁଙ୍କ ପିଲାମାନେ ବାପାଙ୍କ ସ୍ମୃତି ରକ୍ଷା ଦିଗରେ କରିଥିବା ଏତାଦୃଶ ପ୍ରୟାସକୁ କେତେକ ମୁକ୍ତ କଣ୍ଠରେ ପ୍ରଶଂସା କରିବାକୁ ବି ଭୁଲିଲେନି । ବାପାଙ୍କ ଶୁଦ୍ଧି କର୍ମ ଅନ୍ତେ ପିଲାମାନେ ସେମାନଙ୍କ କର୍ମସ୍ଥଳକୁ ଫେରିଗଲେ । ଝିଅ ଜ୍ୱାଇଁ ମାନେ ମଧ୍ୟ ସେମାନଙ୍କ ଘରକୁ ଚାଲିଗଲେ । ଆଉ ଗାଁ ଲୋକେ ବି ଦୈନନ୍ଦିନର କର୍ମ ଜଞ୍ଜାଳରେ ନିଜକୁ ସାମିଲ କରିନେଲେ । ସମୟ ଗତାନୁଗତିକ ଧାରାରେ ଆଗେଇ ଚାଲିଲା ।
ନରହରି ବାବୁଙ୍କ ସହିତ ମୋର ବ୍ୟକ୍ତିଗତ ସଂପର୍କ ଥିବାରୁ ତାଙ୍କ ମୃତୁ୍ୟ ମୋତେ ଗଭୀର ଭାବେ ଆଘାତ ଦେବା ସ୍ୱାଭାବିକ କଥା । ତେବେ ତାଙ୍କର ଶୁଦ୍ଧି କର୍ମକୁ ତାଙ୍କ ପିଲା ମାନେ ଠିକଣା ଭାବେ ମଥା ଧରାଇଥିବା ନେଇ ମୁଁ ଯେତିକି ଆତ୍ମ ସନ୍ତୋଷ ଲାଭ କରୁଥିଲି, ତାଙ୍କ ଅବର୍ତ୍ତମାନରେ ତାଙ୍କ ପିଲା ମାନଙ୍କ ଲୋକ ଦେଖାଣିଆ ଭାବ ମୋ ହୃଦୟକୁ ସେତିକି ଆନେ୍ଦାଳିତ କରୁଥିଲା । କାରଣ ସେଥିରେ କିଛି ଅଂଶରେ ଆକୁଳତା ଓ ଆନ୍ତରିକତାର ଭାବ ବଦଳରେ ବେଶି ଭାଗ ରହିଥିଲା ଛଳନା ଓ କପଟତା । କାରଣ ବଜାର ହାଟକୁ ଦୈନନ୍ଦିନର ଆ’ଆସ ମଧ୍ୟରେ ସେ ପିଣ୍ଡାରେ ବସିଥିବାର ମୁଁ ଦେଖିଥିଲି । ମୋତେ ଦେଖି ସେ ପାଖକୁ ଡାକି ନିଜ ଦୁଃଖ ବଖାଣୁଥିଲେ । ଏ ବୟସରେ ବୋହୂ ମାନଙ୍କ ଦ୍ୱାରା ସେ କେମିତି ନିର୍ଯାତିତ ଓ ପ୍ରତ୍ୟାଖ୍ୟାତ ହୋଇ ନିତି ନିତିି ଜୀଇଁ ଥାଉ ଥାଉ ମରୁଥିଲେ ସେ ସବୁ କଥା ମୋ ଆଗରେ ବର୍ଣ୍ଣନା କରୁଥିଲେ । ଅତି କରୁଣ ଥିଲା ସେ କାହାଣୀ । ତାଙ୍କର ସେବା ଯତ୍ନ ତ ଦୂରର କଥା ଖାଇବା ପିଇବା କଥା ବି ବୁଝିବାକୁ ବୋହୂମାନେ ପ୍ରସ୍ତୁତ ନଥିଲେ । ବୋହୂ ମାନଙ୍କ ବ୍ୟବହାର ତାଙ୍କୁ ବଡ କଷ୍ଟ ଦେଉଥିଲା । ବାହାରେ ରହିଲେ ବି ପୁଅ ମାନେ କିଛି ବୁଝୁନଥିଲେ । ନରହରି ବାବୁଙ୍କ ଦୁଃଖରେ ମୁଁ ସମଦୁଃଖି ଥିଲି । ତାଙ୍କ ଦୁଃଖ ମୋତେ ବ୍ୟଥିତ କରୁଥିଲା । କାରଣ ନରହରି ବାବୁଙ୍କ ସଂଘର୍ଷମୟ ଜୀବନର ପ୍ରତିଟି ମୁହୂର୍ତ୍ତକୁ ମୁଁ ଅତି ନିକଟରୁ ଦେଖିଛି ଓ ଅଙ୍ଗେ ନିଭେଇଛି ମଧ୍ୟ । ଚାଷବାସ କରି ପରିବାର ଚଳାଇବା, ପିଲା ମାନଙ୍କୁ ପାଠ ପଢାଇ ଠିକଣା ବାଟ ଧରେଇବା ଯାଏଁ ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ରହିଥିଲା । କିଛି କିଛି ପଇସା ସଞ୍ଚି ପିଲାଙ୍କ ଲାଗି ଘର ଖଣ୍ଡେ ତୋଳିବା ଓ ପୁଅଝିଅଙ୍କ ବିବାହ ସଂପନ୍ନ କରାଇବାରେ ସେ ସାମାନ୍ୟ ଅବହେଳା କରିନାହାନ୍ତି । ହେଲେ ଶେଷ ଜୀବନରେ ପାଇଲେ କ’ଣ? ଖଣ୍ଡେ ପିନ୍ଧିବା ଓ ଗଣ୍ଡେ ଭଲରେ ଖାଇବାକୁ ବି ତାଙ୍କ ଭାଗ୍ୟରେ ଜୁଟିଲାନି । ଶେଷରେ ଅଶାନ୍ତି ଓ ହା’ ହୁତାଶ ମଧ୍ୟରେ ତାଙ୍କ ଜୀବନ ଚାଲିଗଲା । ଦେଖିଛି ମରିଗଲା ପରେ ଲୋକଟାକୁ ପୋଡି ଦିଆଯାଏ କିମ୍ବା ପୋତି ଦିଆଯାଏ । ଆଉ ସେହିସ୍ଥାନରେ ଏକ ମାଟି ପିଣ୍ଡି କରି ଲିପି ଦିଆଯାଏ । ମୁଣ୍ଡ ପାଖକୁ ଏକ ବେଣା ଗଛ ଲଗାଇ ଶୁଦ୍ଧି କ୍ରିୟା ଶେଷ ଯାଏଁ ସେଇଟି ପତରରେ ଘରେ ରନ୍ଧା ଯାଇଥିବା ଖାଦ୍ୟରୁ ଟିକେ ମୃତକଙ୍କ ଉଦେ୍ଦଶ୍ୟରେ ପରଶି ଦିଆଯାଏ । ଏହା ଏକ ଶାସ୍ତ୍ରୀୟ ବିଧି ଓ ଚିରାଚରିତ ପରମ୍ପରାô । ତେବେ ଜୀବଦ୍ଦଶାରେ ନରହରି ବାବୁଙ୍କ ଭଳି ଦଶା ଭୋଗିଥିବା ଲୋକଙ୍କ ଉଦେ୍ଦଶ୍ୟରେ କେହି କେହି କହିବାର ଶୁଣାଯାଏ ଜୀଅଁନ୍ତା ନଦେଲୁ ତୁଣ୍ଡରେ, ମଲେ ଦେବୁ ବେଣା ମୁଣ୍ଡରେ । ଏହା ହିଁ ଆଜିର ସମାଜରେ ବିଡମ୍ବନା ।