ଆନନ୍ଦପୁର : ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଗତକାଲି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଥିଲେ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥାକୁ ନେଇ ଡାକ୍ତରଖାନା ଅଧିକ୍ଷକଙ୍କୁ ତାଗିଦ୍ କରିଥିଲେ। ଏହି ଘଟଣା ପରେ ଆଜି ଆନନ୍ଦପୁର ବିଧାୟକ, କେନ୍ଦୁଝର ଜିଲ୍ଲାପାଳ ଓ ସିଡିଏମଓ ଡାକ୍ତରଖାନା ଆସି ସ୍ବାସ୍ଥ୍ୟସେବା ର ଅନୁଧ୍ୟାନ କରିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ୬ଜଣ ସଫେଇ କର୍ମଚାରୀଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ସେହିପରି ସଫେଇ ଦାୟିତ୍ବରେ ଠିକା ସଂସ୍ଥାକୁ କାରଣଦର୍ଶାଅ ନୋଟିସ ଜାରୀ କରାଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଠାକରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଗତକାଲି ଦୁଇଦିନିଆ ମୟୁରଭଞ୍ଜ ଗସ୍ତରେ ଯାଉଥିବା ବେଳେ ସଚିବ ଅଚାନକ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଥିଲେ। ମା ଓ ଶିଶୁ ୱାର୍ଡ, ପୁରୁଷ ଓ ମହିଳା ୱାର୍ଡରେ ଭର୍ତି ହୋଇଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଚିକିତ୍ସା ସେବା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଡାକ୍ତରଖାନାର ପରିମଳ ବ୍ୟବସ୍ଥାକୁ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଅଧୀକ୍ଷକ ଡାକ୍ତର ଧନେଶ୍ଵର ସେଠୀଙ୍କୁ ତାଗିଦ୍ କରିଥିଲେ। ସଚିବଙ୍କ ତାଗିଦ୍ ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଥିଲା। ଡ଼ାକ୍ତରଖାନା ପରିସରରେ ସିଡିଏମଓ ଡାକ୍ତର କିଶୋର ପୃଷ୍ଟି, ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ଅଧିକ୍ଷକ ଡାକ୍ତର ଧନେଶ୍ଵର ସେଠୀ କର୍ମଚାରୀଙ୍କୁ ନେଇ ରୁଦ୍ଧଦ୍ବାର ବୈଠକ କରିଥିଲେ। ଏହାପରେ ସକାଳେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଡାକ୍ତରଖାନାରେ ପହଞ୍ଚି ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ସମସ୍ୟା ଦୂର କରିବା ପାଇଁ ଅଧିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ସିଡିଏମଓ ଡାକ୍ତର କିଶୋର ପୃଷ୍ଟି ଡାକ୍ତରଖାନା ଆସି ବିଧାୟକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ସ୍ବାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ଏହି ସମୟରେ ଆନନ୍ଦପୁର ଡାକ୍ତରଖାନାରେ ତୁରନ୍ତ ଭେଷଜ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିବା ସହ ଜିଲ୍ଲାପାଳଙ୍କୁ ଏନେଇ ଲିଖିତ ଭାବେ ଜଣାଇଥିଲେ। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ କାର୍ଯ୍ୟରେ ଅବହେଳା ପାଇଁ ସଫେଇ ଦାୟିତ୍ବରେ ଥିବା ଠିକା ସଂସ୍ଥାକୁ କାରଣଦର୍ଶାଅ ନୋଟିସ ଜାରୀ କରିବା ସହ ୬ଜଣ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।