ପୁରୀ: ବର୍ଷକରେ ଏଇ କିଛିଦିନ କୋଳାହଳମୟ ହୋଇଉଠେ ପ୍ରଭୁ ଅଲାରନାଥଙ୍କ ପୀଠ। ହେଲେ ଏଥର ଖାଁ ଖାଁ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିର। ଭକ୍ତଙ୍କ ଗହଳ ନାହିଁ। କେବଳ ଯାହା ଅଳ୍ପକିଛି ସେବକଙ୍କ ଗହଣରେ ଠାକୁରଙ୍କ ନୀତିକାନ୍ତି ଚାଲିଛି।
ଶ୍ରୀଜୀଉ ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରିବା ପରେ ଜ୍ୱରରେ ପଡ଼ନ୍ତି। ସ୍ନାନବେଦିରୁ ବାହୁଡନ୍ତି ଅଣସର ଘରକୁ। ୧୫ ଦିନ ଯାଏ ଅଣସର ଘରେ ଚାଲେ ମହାପ୍ରଭୁଙ୍କ ଗୁପ୍ତ ସେବା। ଏହି ୧୫ ଦିନ ଭକ୍ତଙ୍କୁ ଦର୍ଶନ ଦେଇ ନ ଥାନ୍ତି ଠାକୁର। ହେଲେ ଅଣସରରେ ଶ୍ରୀଜୀଉଙ୍କ ବଦଳରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ତେଣୁ ମହାପ୍ରଭୁ ଅଣସରରେ ରହିବା ପରେ ଆଜିଠୁ ଆରମ୍ଭ ହେଉଛି ଅଲାରନାଥ ଦର୍ଶନ। ଆଜି ଅନବସରର ପ୍ରଥମ ଦିନ। ପରମ୍ପରା ଅନୁଯାୟୀ ରାତି ୪ଟାରୁ ଦ୍ୱାର ଖୋଲାଯାଇ ମହାପ୍ରଭୁଙ୍କ ମଙ୍ଗଳଆଳତୀ ନୀତି କରାଯିବା ପରେ ତଡ଼ପଲାଗି, ଅବକାଶ ଓ ବଲ୍ଲଭ ନୀତି କରାଯାଇଥିଲାା
ପ୍ରତିବର୍ଷ ସକାଳୁ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହେଉଥିବବେଳେ ଚଳିତ ବର୍ଷ ସାଧାରଣ ଦର୍ଶନ ବନ୍ଦ ରହିଛି । ଚଳିତବର୍ଷ କରୋନା କଟକଣା ଯୋଗୁଁ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ପୀଠରେ ଭକ୍ତଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଜାରି କରାଯାଇଛି ୧୪୪ ଧାରା ।
ଚଳିତ ଥର ବିନା ଭକ୍ତ ଏବଂ ଶ୍ରଦ୍ଧାଳୁରେ ସମ୍ପନ୍ନ ହେବ ସମସ୍ତ ନୀତିକାନ୍ତି। ଆସନ୍ତା ୨୦ ତାରିଖ ରାତି ଯାଏଁ ଅଲାରନାଥଙ୍କ ପୀଠରେ ୧୪୪ ଧାରା ବଳବତ୍ତର ରହିବ। ସୀମିତ ସେବାୟତଙ୍କୁ ନେଇ କେବଳ ଠାକୁରଙ୍କ ନୀତିକାନ୍ତି ହେବ॥