ସୁଧାଂଶୁ ଶେଖର ଦ୍ବିବେଦୀ : ଗୋଟେ ଜଙ୍ଗଲରେ ଦିନେ ଗଧଟିଏ ବହୁତ କ୍ରୋଧିତ ହୋଇ ଯାଇଥାଏ।ଗଧ ତା ପ୍ରକୃତି ଅନୁସାରେ ଚରମ ସୀମାରେ ପହଞ୍ଚି ଖୁବ ଜୋର ଚିତ୍କାର କରି ଘୋଷଣା କଲା ମୁଁ ବାଘ ସହଲଢ଼ିବି।ହାସ୍ୟାସ୍ପଦ କଥା।ଗଧ ପୁଣି ମହାବଳ ବାଘ ସହିତ ଲଢେଇ କରିବ!ଅସମ୍ଭବ ଭିତରେ ସମ୍ଭବକୁ ଖୋଜିହେଲେ ତା ବନ୍ଧୁ ବାନ୍ଧବ ଓ ପରିଜନ।କାହାରି କଥା ଶୁଣିବାକୁ ସେ ନାରାଜ ଯେତେ ବୁଝାଇଲେ ବି ଗଧ ତା ସ୍ୱଭାବରେ ଅଟଳ।କଣ୍ଠ ଫଟାଇ କହୁଥାଏ ବାଘକୁ ମୋ ସହ ଲଢ଼ିବାକୁ ହେବ।ସୁଯୋଗ ଯେମିତି ହାତଛଡା ନହୁଏ ଚତୁର ଶୃଗାଳ ଓ ହେଟାବାଘ ଆଶା ଭରା ନେତ୍ରରେ ଜଙ୍ଗଲ ସାମ୍ରାଟଙ୍କୁ ଦେଖୁଥାନ୍ତି।କିନ୍ତୁ ସମ୍ରାଟ ବ୍ୟାଘ୍ର କାହାରିକୁ କିଛି ନକହି ଚୁପଚାପ ସେଠାରୁ ଚାଲିଗଲେ। ହେଲେ ଶୃଗାଳ ବାଘ ପଛେ ପଛେ ନୁଙ୍ଗୁ ପୁଙ୍ଗୁ ହୋଇପାଖରେ ପହଞ୍ଚି କହିଲା, ମଣିମା ଗଧ ଆପଣଙ୍କ ସହ ଲଢ଼ିବାପାଇଁ ଆହ୍ବାନ କରୁଛି।ଏତେ ସହଜରେ ଆସିଥିବା ସୁଯୋଗକୁ ଛାଡ଼ିଦେବା କଥା ନୁହେଁ।ଆପଣଙ୍କୁ ତା ସହ ଲଢେଇ କରିବା ନିହାତି ଜରୁରୀ।ମୁଁ ଓ ହେଟା ଆପଣଙ୍କୁ ସାହାଯ୍ୟ କରିବାକୁ ପଛେ ପଛେ ଅଛୁ।
ଶୃଗାଳର ତେଲ ମାଲିସରେ ବାଘ କିଛି ସମୟ ସ୍ତବ୍ଧ ହୋଇ ଗଲା।ପରେ ପରେ କହିଲା,ଦେଖ ଶୃଗାଳ ଗଧ ସହିତ ଲଢେଇ କରି ମୋତେ କଣ ମିଳିବ?ଯଦିବି ମୁଁ ତାକୁ ମାରିଦେବି (ଯାହା ବହୁ ପୂର୍ବରୁ ସ୍ଥିରୀକୃତ)ଏ ଜଙ୍ଗଲର ସମସ୍ତ ପ୍ରାଣୀ ଏଇୟା କହିବେ ଏଇଟା କୋଉ ବଡ଼କଥା।ବାଘ ତ ମହା ବଳଶାଳୀ ପୁଣି ଜଙ୍ଗଲର ସମ୍ରାଟ।ତା ହାତରେ ତ ଗଧ ମରିବ ହିଁ ମରିବ।ତେବେ ଯଦି ତାଠାରୁ ଦୁଇ ଚାରି ପାହାର ମୋ ଉପରେ ବସିଗଲା ଅନ୍ୟମାନେ କହିବେ ଗଧ ବଡ଼ ସାହସୀ।ବାଘ ଭଳି ପ୍ରାଣୀକୁ ଆୟତ୍ତ କରିଦେଉଛି।ସେଭଳି ପରିସ୍ଥିତିରେ ଯଦି ଗଧ ମୋଠାରୁ ଜିତିଗଲା (ସମ୍ଭାବନା ନଥିବା ସତ୍ତ୍ୱେ)ତାହେଲେ ମୋର ଜୀବିତ ରହିବା ଆପମାନ ହୋଇଯିବ।ତାପରେ ଗଧ ହିଁ ଜଙ୍ଗଲର ରାଜା ହେବ।ତାଠାରୁ ପରାଜିତ ହୋଇ ଜଙ୍ଗଲରେ ରହିବା ମୋର ଆବଶ୍ୟକତା ପଡିବନି।ତେଣୁ ଗଧ ସହିତ ଲଢେଇ କରିବା ପାଇଁ ମୁଁ କୌଣସି ଆଶା ରଖିନାହିଁ।ସମୟ ଆସିଲେ କୌଣସି ଦିନ ତାକୁ ଉଚିତ ଶିକ୍ଷା ଦେଇ ବୁଝେଇ ଦେବି।ବ୍ୟାଘ୍ର ସାମ୍ରାଟଙ୍କ କଥା ଶୁଣି ଶୃଗାଳ ପାଟିରେ ଯେଉଁ ଲାଳ ଜକେଇଥିଲା ତାହା ଆପେ ଆପେ ଶୁଖିଗଲା।
ଏ ସମୟରେ ଏହା କେବଳ ଗଧ ଓ ବାଘର କାହାଣୀ ନୁହେଁ।ଆମେମାନେ ପ୍ରାୟତଃ ପ୍ରତ୍ୟକ କଥାରେ ନିଜକୁ ନିୟନ୍ତ୍ରଣ କରିନପାରି ଅନ୍ୟ କାହା ସହ ଲଢ଼ିବାକୁ ପ୍ରସ୍ତୁତ ହୋଇଯାଉ। ମନଟା ଶୃଗାଳ ପରି ଆପଣଙ୍କୁ ଧକ୍କା ମାରୁଥାଏ ପ୍ରତିଟି କଥାର ହିଶାବ ଦେବାପାଇଁ।ସେ ସେମିତି କାହିଁକି କହିଲା?ସେମାନେ ସେଇଟା କାହିଁକି କଲେ?ମୁଁ ତ ଜଣେ ଅଫିସର। ମୋର ଏଭଳି ମାନ ସମ୍ମାନରେ ଊଣା ହେଉଛି କାହିଁକି? ଏଇଭଳି ବ୍ୟର୍ଥ ବିଚାରଧାରା ବାରମ୍ବାର ଆମମାନଙ୍କ ମନ ମଧ୍ୟରେ ଅନ୍ୟମାନଙ୍କ ପ୍ରତି ଫିଙ୍ଗି ଚାଲିଥାଏ।ସେ ଆମକୁ ପ୍ରସ୍ତୁତ କରେଇବାକୁ ଚାହୁଁଥାଏ କି ଆମେମାନେ ଅଚିରେ ତା ଜାଲ ମଧ୍ୟରେ ଫସି ଯାଉ,କିନ୍ତୁ ସେଇମାନେ ସମ୍ଭାଳି ଯାଆନ୍ତି ଯେଉଁମାନଙ୍କ ଠାରେ ବିବେକ(ବାଘ)ଥାଏ। ଏ କାହାଣୀରେ ବାଘ ନିକଟରେ ସବୁକିଛି ଅଛି।
ତାପରେବି ସ୍ୱୟଂ ବ୍ୟର୍ଥ ପ୍ରୋତ୍ସାହନ ଦେଉଥିବା ଅହଂକାର ଲଢେଇରୁ ବଞ୍ଚିତ ହେଉଛି।ଆମମାନଙ୍କୁ ମଧ୍ୟ ଆମମାନଙ୍କ ମନ ଉପରେ
ସେହିପରି କତ୍ତୃତ୍ୱ ରଖିବାକୁ ହେବ।ଯେଭଳି କାହାଣୀରେ ବାଘ ନିଜ ମନକୁ ନିୟନ୍ତ୍ରଣରେ ରଖି ପାରିଥିଲା। ଆମେ ପ୍ରତ୍ୟକ୍ଷ ରୂପେ କାହା ସହିତ ନଲଢ଼ିଲେ ବି ମାନସିକ ରୂପେ ଅବିରତ ଲଢେଇରେ ଲିପ୍ତ ଥାଉ।ସେଥିପାଇଁ ଅନେକ କିଛି ଅସୁବିଧାର ସମ୍ମୁଖୀନ ହେବାଲୁ ପଡ଼ିଥାଏ।ପତି ପତ୍ନୀଙ୍କ ମଧ୍ୟରେ ସଙ୍କଟ ଉପୁଜେ,ପିତା-ପୁତ୍ର, ବୋହୂ-ଶାଶୁ,ଭାଇ-ଭାଇ ମଧ୍ୟରେ ସଂଘର୍ଷ ହୁଏ।ଅଫିସରେ ରାଜନୈତିକ ରୂପରେଖ ଯେତେ ଅସୁବିଧା କରେନାହିଁ ତାଠାରୁ ଅଧିକ ମାନସିକ ଭୟକୁ ଆପଣେଇ ଅସ୍ୱାଭାବିକ ପ୍ରତିକ୍ରିୟା ସୃଷ୍ଟି କରୁ।
ଆମର ଯେତେ ଜୀବନୀ ଶକ୍ତି କୌଣସି ଶାରୀରିକ,ପ୍ରତ୍ୟକ୍ଷ ବାଦ ବିବାଦରେ ଖର୍ଚ୍ଚ ହୁଏନାହିଁ ତାଠାରୁ ଅଧିକ ପରିମାଣରେ ମାନସିକ ବିବାଦରେ ଖର୍ଚ୍ଚ ହୋଇଥାଏ।ତେଣୁ ମନ ଓ ବିଚାର ଧାରାକୁ ପ୍ରତି ମୁହୂର୍ତ୍ତରେ ବ୍ୟର୍ଥ ମାନସିକ ଚିନ୍ତାରୁ ଓହରାଇ ବାକୁ ହେବ।କାରଣ ଆମର ଜୀବନୀ ଶକ୍ତି ସିମିତ ମାତ୍ର।ଯଦି ତାକୁ ବ୍ୟର୍ଥ ଚିନ୍ତାରେ ଏଭଳି ଅପବ୍ୟୟ କରିବା ତାହେଲେ ଅଳ୍ପ ଦିନରେ ନଷ୍ଟ ହୋଇଯିବ ଯାହାକି ଜୀବନର ସବୁଠାରୁ ଅଧିକ କ୍ଷତି ଘଟିବ।ଯେତେବେଳେ ସବୁଠାରୁ ଅଧିକ ଜୀବନୀ ଶକ୍ତି ଆବଶ୍ୟକତା ହେବ ସେତେବେଳେ ଆମେମାନେ ଥକି ହାରି ନିରାଶ ହୋଇଯାଇଥିବା।