‘ଆମ୍ ଆଦ୍ମୀ ପାର୍ଟି’ର ମୁଖ୍ୟ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ଙ୍କ ଦୁଇଦିନିଆ ଅହମଦାବାଦ ଗସ୍ତ
ଅରବିନ୍ଦ କେଜ୍ରିୱାଲ୍ ଓ ଭଗୱନ୍ତ ମାନ୍ ସାବରମତୀ ଆଶ୍ରମ ପରିଦର୍ଶନ କଲେ
ଅହମଦାବାଦ: ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦ୍ମୀ ପାର୍ଟି’ର ମୁଖ୍ୟ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଦୁଇଦିନିଆ ଅହମଦାବାଦ ଗସ୍ତରେ ଯାଇ ସାବରମତୀ ଆଶ୍ରମ ପରିଦର୍ଶନ କରିଛନ୍ତି।
ଉଭୟ ‘ଆପ୍’ ନେତା ଶୁକ୍ରବାର ରାତିରେ ଅହମଦାବାଦ ସହରରେ ପହଞ୍ଚିଥିଲେ।
ଚଳିତ ବର୍ଷ ଶେଷ ଆଡ଼କୁ ‘ବିଜେପି’ ଶାସନାଧୀନ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବାରୁ ସେଠାରେ କ୍ଷେତ୍ର ପ୍ରସ୍ତୁତି ନିମନ୍ତେ ଉଦ୍ୟମ କରିବା ଲାଗି ଦୁହେଁ ଅହମଦାବାଦ ଯାଇଥିବା କୁହାଯାଉଛି। ଦୁହେଁ ସାବରମତୀ ଆଶ୍ରମ ପରିସରସ୍ଥିତ ମହାତ୍ମା ଗାନ୍ଧୀ ରହୁଥିବା ସ୍ଥାନ ‘ହୃଦୟକୁଞ୍ଜ’କୁ ଯାଇ ଯାଦୁଘର ବୁଲିବା ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ନତମସ୍ତକ ହୋଇ ପ୍ରଣାମ ଜଣାଇଥିଲେ। ଦୁଇ ନେତା ଆଶ୍ରମରେ ଥିବା ଅରଟରେ ସୂତା ମଧ୍ୟ କାଟିଥିଲେ।
ଏହାପରେ ଆଶ୍ରମରେ ଥିବା ପରିଦର୍ଶକ ଖାତାରେ ସେମାନେ ନିଜ ନିଜର ମତାମତ ଲେଖିଥିଲେ। ସେଠାରେ ଉପସ୍ଥିତ ଥିବା କର୍ତ୍ତୃପକ୍ଷମାନେ ଉଭୟଙ୍କୁ ଗୋଟାଏ କ୍ଷୁଦ୍ର ଅରଟ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନ ଆଧାରିତ ପୁସ୍ତକ ଉପହାର ଦେଇଥିଲେ।
ସାମ୍ବାଦିକମାନଙ୍କୁ କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ସାବରମତୀ ଆଶ୍ରମକୁ ମୋର ପ୍ରଥମ ଗସ୍ତ। ପୂର୍ବରୁ ମୁଁ ସାମାଜିକକର୍ମୀ ଥିବା ବେଳେ କେତେ ଥର ଏଠାକୁ ଆସିଥିଲି। ଯେତେବେଳେ ଏଠାକୁ ଆସେ ଅନ୍ତରରେ ଶାନ୍ତି ପାଏ।
ଆଜି ସନ୍ଧ୍ୟାରେ କେଜ୍ରିୱାଲ୍ ଓ ମାନ୍ ଅହମଦାବାଦର ପୂର୍ବାଞ୍ଚଳରେ ୨ କିଲୋମିଟର୍ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ଥାନୀୟ ‘ଆପ୍’ କର୍ମକର୍ତ୍ତାମାନେ କହିଛନ୍ତି।
