Odisha news

ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଅରୁଣ କୁମାର ସ୍ୱର୍ଣ୍ଣକାର ପିଏମଆଇଟିର ବାର୍ଷିକ ଉତ୍ସବ ଓ ପବିତ୍ର ମୋହନ ପ୍ରଧାନଙ୍କ ଜୟନ୍ତୀ ପାଳିତ

ତାଳଚେର : ସମାଜ ଏବଂ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ    ଭୂମିକା ରହିଛି ବୋଲି ଏମସିଏଲ ଜଗନ୍ନାଥ କୋଇଲାଖଣି କ୍ଷେତ୍ରର ମୂଖ୍ୟ ମହାପ୍ରବନ୍ଧକ ଏ.କେ.ସ୍ୱର୍ଣ୍ଣକାର ତାଳଚେର ପବିତ୍ର ମୋହନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ବାର୍ଷିକ ଉତ୍ସବ ତଥା ପବିତ୍ର ମୋହନ ଜୟନ୍ତୀ ପାଳନ ଉତ୍ସବରେ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି । ଆଜି ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ତାଳଚେର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ପିଏମଆଇଟିର ବାର୍ଷିକ ଉତ୍ସବ ତଥା ପବିତ୍ର ମୋହନ ପ୍ରଧାନଙ୍କ ଜୟନ୍ତୀ ପାଳନ ଉତ୍ସବକୁ ଆନୁଷ୍ଠାନିକ ଭାବେ ତାଳଚେର ଏମସିଏଲ ଜଗନ୍ନାଥ କୋଇଲାଖଣି କ୍ଷେତ୍ରର ମୂଖ୍ୟ ମହାପ୍ରବନ୍ଧକ ଅରୁଣ କୁମାର ସ୍ୱର୍ଣ୍ଣକାର ମୂଖ୍ୟ ଅତିଥିଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ ଏବଂ ସେହିମାନଙ୍କୁ ଉତମ ରୂପେ ଗଢ଼ି ତୋଳିବା ହେଉଛି ଆମର ଗୁରୁଦାୟିତ୍ୱ । ସମାଜ ତଥା ରାଷ୍ଟ୍ର ଗଠନରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୂଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ । ଶିକ୍ଷାଦାନ ସହ ବୈାଦ୍ଧିକ ଶିକ୍ଷା,ଧାର୍ମିକ ଶିକ୍ଷା,ସୂଚନା ଓ ପ୍ରଯୁକ୍ତି ଶିକ୍ଷା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭବିଷ୍ୟତ ଗଢ଼ିବା ଏବଂ ଅଗ୍ରସର ହେବାରେ ଯଥେଷ୍ଟ ସହାୟକ ହୋଇଥାଏ ବୋଲି ମୂଖ୍ୟବକ୍ତା ପଣ୍ଡିତ ମହେଶ ସାହୁ ମତବ୍ୟକ୍ତ କରିଥିଲେ । ତାଳଚେର ହେଉଛି ଏକ ଗଡ଼ଜାତ ଅଂଚଳ । ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ମୂଖ୍ୟ ପୁରୋଧା ତଥା ଓଡ଼ିଶାର ପୂର୍ବତନ ଉପମୂଖ୍ୟମନ୍ତ୍ରୀ ଏ ତାଳଚେର ମାଟିର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଅବଦାନ,ବାସ୍ତବରେ ଆମପାଇଁ ଗର୍ବ ଓ ଗୈାରବର ବିଷୟ ବୋଲି ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷା ମ୍ରିଦୁଳା ଟି. ଠାକୁର ତାଙ୍କ ଅଭିଭାଷଣରେ କହିଥିଲେ । ପ୍ରାରମ୍ଭରେ ପିଏମଆଇଟିର ପଦାର୍ଥ ବିଜ୍ଞାନ ଅଧ୍ୟାପିକା  ସସ୍ମିତା ପଣ୍ଡା ଅତିଥିଗଣଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ଅଧ୍ୟାପକ ଇଂ ରାଜେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ତଥା ପବିତ୍ର ମୋହନ ଜୟନ୍ତୀ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପିଏମଆଇଟି ର ଉପାଧ୍ୟକ୍ଷ ତୁଷାରକାନ୍ତ ସାହୁ,ସୁଧୀର କୁମାର ମିଶ୍ର,ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରଛାତ୍ରୀ,ଅନୁଷ୍ଠାନର କର୍ମକର୍ତା ଏବଂ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Comments are closed.