ଭଞ୍ଜନଗର – କରୋନା ମୁକ୍ତ ଗଞ୍ଜାମ ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆହ୍ୱାନ ଦେଇଛନ୍ତି । ଭଞ୍ଜନଗର ସବଡିଭିଜନ୍ ଅନ୍ତର୍ଗତ ୮ଟି ବ୍ଲକକୁ ତୋଫାନୀ ଗ୍ରସ୍ତରେ ଆସି ସେ ମିଶନ୍ ଜିରୋ କୋଭିଡ୍ -୧୯ ଆକ୍ଟିଭ୍ କଣ୍ଟ୍ରାକ୍ଟ ଉପରେ ଗୁରୁତ୍ୱାରୋପ କରିବାସହ ପଞ୍ଚାୟତ ପ୍ରତିନିଧି, ସ୍ୱଚ୍ଛ ସାଥୀ, କୋଭିଡ୍ ମନିଟରଙ୍କ ସମେତ ବିଭିନ୍ନ ବ୍ଲକ ପ୍ରଶାସନ ଓ ତହସିଲଦାରଙ୍କୁ ନେଇ କୋଭିଡ୍ ନେଇ ସମୀକ୍ଷା କରିଥିଲେ । ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ମିଶନ ଜିରୋ କୋଭିଡ୍ -୧୯ ଆକ୍ଟିଭ୍ କେଶ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି, କୋଭିଡ୍ ମନିଟର, ସ୍ୱଚ୍ଛ ସାଥୀ, ଅଙ୍ଗନୱାର୍ଡି କର୍ମୀ ଆଦିଙ୍କୁ ସମ୍ବୋଧିତ କରିି ଜିଲ୍ଲାପାଳ କୁଲାଙ୍ଗେ ମିଶନ ଜିରୋ କୋଭିଡ୍-୧୯ ଆକ୍ଟିଭ୍ କେଶ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଆହ୍ୱାନ ଦେଇଥିଲେ ।
ଏବେ ପ୍ରତିଦିନ ୧୦ହଜାରରୁ ଉର୍ଦ୍ଧ କୋଭିଡ୍ ପରୀକ୍ଷା କରାଯାଉଥିବାବେଳେ ମାତ୍ର ୧୦୦ କିମ୍ବା ତାଠାରୁ ତଳକୁ ପଜିଟିଭ୍ଙ୍କ ସଂଖ୍ୟା ଖସିଛି । ଏହାର କାରଣ ହେଲା ଜିଲ୍ଲାରେ ଗାଆଁ ଗାଆଁରେ ସମୂହ କରୋନା ପରୀକ୍ଷା । ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ପରୀକ୍ଷା କରାଯାଇପାରିଲା । ଆଉ ପଜିଟିଭ୍ ଚିହ୍ନଟ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିଲେ । କିଛି କରୋନା ଯୋଦ୍ଧା ନିଜର ପ୍ରାଣବଳି ଦେଲେ । ତେବେ କରୋନା ଯୁଦ୍ଧରେ ଆମ ସମସ୍ତଙ୍କ କଠୋର ସଂଗ୍ରାମ ଶେଷରେ ଆମକୁ ସଫଳତା ଆଣିଦେଇଛି । ଏବେ ଜିଲ୍ଲାରେ ପଜିଟିଭ୍ ବାହାରୁଥିବା ସଂଖ୍ୟା ଅତି ନଗଣ୍ୟ । ଭଞ୍ଜନଗର ସବଡିଭିଜନ୍ରେ ମଧ୍ୟ ଏହା ଆଶାତୀତ ଭାବେ କମିଛି । ତେଣୁ ଆମକୁ ଏଥିପାଇଁ ସତର୍କ ରହିବାକୁ ହେବ । କାରଣ ପୁଣି ଲେଉଟି ପାରେ କରୋନା । ତେଣୁ ଆମକୁ ସର୍ବଦା ମାସ୍କ ଭିତରେ ରହିବାକୁ ହେବ । ଶେଷରେ ଜିଲ୍ଲାପାଳ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ପ୍ରତି ଦୋକାନୀ ମାସ୍କ ପିନ୍ଧିବା ଓ ବେରିକେଟ୍ ନିର୍ମାଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେବାସହ ଏଥିରେ ଖିଲାପ ହେଲେ ଦୋକାନୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ସ୍ୱତନ୍ତ୍ର କାର୍ଯକ୍ରମରେ ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା, ବିଡିଓ ଅନୀଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ମେଡିକାଲ ସୁପରିଟେଣ୍ଡଣ୍ଟ ଡାକ୍ତର ସିତାଂଶୁ ଶେଖର ଶତପଥୀ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ପ୍ରମୁଖ ମଞ୍ଚାସୀନ ରହିଥିବାବେଳେ ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଏନଏସିର ସମସ୍ତ ସ୍ୱଚ୍ଚସାଥୀ, କୋଭିଡ୍ ମନିଟର ଆଦି ଉପସ୍ଥିତ ରହିଥିଲେ ।