ଶେଖ୍ ଫରିଦ୍ଉଦ୍ଦିନ : ରାତି ପାହିଲେ କେବଳ ପାଠପଢ଼ୁଆ ନୁହଁନ୍ତି ସମସ୍ତଙ୍କର ଆଗ୍ରହ ରହିଥାଏ ସେ ଦିନର ଖବରକାଗଜରେ ଆଖି ଟିକିଏ ବୁଲାଇବା ପାଇଁ । ଇଲେକେଟ୍ରୋନିକ୍ସ ଗଣମାଧ୍ୟମ ଯେତେ ଆଗୁଆ ହେଉ ମଧ୍ୟ ବା ସୂଚନା ପ୍ରଯୁକ୍ତିର ଅତ୍ୟାଧୁନିକ ଇ-ଖବର କାଗଜ ମୋବାଇଲରେ ତକ୍ରାଳ ଉପଲବ୍ଧ ହେଉଥିଲେ ବି ଛପା ଖବରକାଗଜର ଶ୍ରଦ୍ଧା ଓ ଆଗ୍ରହ ଏଯାବତ୍ ଅତୁଟ ରହିଛି । ଆମେ ହାତରେ ଧରୁଥିବା ଖବରକାଗଜଟି ଅନେକ ବାଟ ଦେଇ ଶେଷରେ ଛପା ହୋଇ ଆମ ମାନଙ୍କ ପାଖରେ ପହଞ୍ଚେ । ନିୁ୍ୟଜ୍ ପ୍ରିଣ୍ଟ, ମୁଦ୍ରଣ ଶିଳ୍ପ ଏବଂ ରିପୋର୍ଟର ବା ସମ୍ପାଦକୀୟ ବିଭାଗର କାର୍ଯ୍ୟକର୍ତ୍ତାଙ୍କ ନିଖୁଣ ତଥ୍ୟର ପରିଶ୍ରମ ଶେଷକୁ ଖବରକାଗଜର ନାମ ନେଇଥାଏ । ଓଡ଼ିଶାରେ ଖବରକାଗଜ ଓ ସେମାନଙ୍କ ବିତରକ ମାନଙ୍କ ଅବସ୍ଥା ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି । ବାଦାମବାଡ଼ିର ଅଭୟ ବାବୁ, ହୃଷିଆ ଭାଇ, କାହ୍ନୁଭାଇ ଆଉ ଷଢ଼ଙ୍ଗୀ ଭାଇ ବ୍ରଦର୍ସ ଗ୍ରୁପ୍ର କର୍ମକର୍ତ୍ତାଙ୍କୁ ଏମିତି କିଛିଟା ଜାଣିଛି । ଚାଳିଶ ବର୍ଷରୁ ଉଦ୍ଧ୍ୱର୍ ହେବ ଖବରକାଗଜ ବିତରଣ କରୁଥିବା ହୃଷିଆ ଭାଇଙ୍କ ଦୁଃଖ ଅତ୍ୟନ୍ତ ଶୋଚନୀୟ । ନିଜ ଭାଇ ଓ ପତ୍ନୀଙ୍କୁ ହରାଇ ଏବେ ବି ସେ ଏହି ବୃତ୍ତିରେ ମମତା ରଖିଛନ୍ତି ।
ଅଭୟ ବାବୁ ଦୂରରୁ ଆସି ବାଦାମବାଡ଼ିରେ ଖବରକାଗଜର ବିତରଣ ବ୍ୟବସ୍ଥାକୁ ମୁହଁ ଅନ୍ଧାର ସମୟରୁ ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ ବ୍ୟସ୍ତ ରୁହନ୍ତି । ଏହି ଗତକାଲି ତାଙ୍କର ମୋବାଇଲ ଫୋନ୍ଟି ଚୋରି ହୋଇଯାଇଛି । ଏହା ପୂର୍ବରୁ ଦୁଇଟି ମଧ୍ୟ ଚୋରି ହୋଇଥିଲା । ଖବରକାଗଜ ବିତରଣର କଷ୍ଟକର ବୃତ୍ତି ଭିତରେ ଦି ପଇସା ପାଉଥିବା ଏମାନଙ୍କ ଦୁଃଖ କମ୍ ନୁହେଁ । ଷଢ଼ଙ୍ଗୀ ବ୍ରଦର୍ସ ଚାରିଭାଇ କେବଳ ବାଦାମବାଡ଼ିରେ ନୁହେଁ କଟକ ସହରର ଖବରକାଗଜ ବିତରଣର ପ୍ରମୁଖ ବ୍ୟକ୍ତିତ୍ୱ । ଅନେକ ଲୋକପ୍ରିୟ ଦୈନିକ ଖବରକାଗଜର ଏଜେନ୍ସି ଓ ଲୋକମାନଙ୍କୁ ସେମାନଙ୍କ ଅମାୟିକ ବ୍ୟବହାର ବହୁତ ବଡ଼କଥା । ପ୍ରାୟ ସବୁବେଳେ ଚୁପ୍ଚାପ ରହି ମଜାଳିଆ କଥା କହି ଖବରକାଗଜ ବିତରକ ମାନଙ୍କ ଦୁଃଖକୁ କିଛି ମୁହୂର୍ତ୍ତ ଭୁଲାଇପାରୁଥିବା ଲୋକଟି ହେଉଛନ୍ତି କାହ୍ନୁଭାଇ । ଜୀବନରେ ଅନେକ ଦୁଃଖକୁ ପେଟ ଭିତରେ ପୁରାଇ ଦିନ ତମାମ ଖବର କାଗଜ ନେଉଥିବା ବିତରକ ଭାଇମାନଙ୍କୁ ସେ ମଜା ହସକଥା ଭିତରେ ତାଙ୍କ ଦୁଃଖକୁ କମ କରିଦିଅନ୍ତି ।
ଖବରକାଗଜ ବିତରଣ ବ୍ୟବସ୍ଥା ଆଜିକାଲି ଅନେକ ସଂଗଠନରେ ତିଆରି ହେଲାଣି । କିଛି ବଡ଼ବଡ଼ିଆ ବା ରାଜନୀତିଆ ଲୋକମାନେ ଏହି ସଂଗଠନରେ ପଶି ମାମଲତକାର ସାଜନ୍ତି । କିନ୍ତୁ ଖବରକାଗଜ ବିକୁଥିବା ସେହି ଦୁଃଖି ଭାଇଟି ଦୁଃଖ ଯେଉଁ ପଥର ତଳେ କୁ ସେଇ ପଥର ତଳେ । ବର୍ଷା, ବନ୍ୟା, ଶୀତ, ଖରା, ପ୍ରାକୃତିକ ବିପର୍ଯ୍ୟୟ ଭିତରେ ବି ଘରେ ଘରେ ବୁଲି ନିତିଦିନ ଖବରକାଗଜ ପକାଉଥିବା ଏହି ଭାଇମାନଙ୍କ କଥା କେହି କେବେ ବୁଝିବା ପାଇଁ ଚେଷ୍ଟା କରିଛନ୍ତି? ଏ ବୃତ୍ତିରେ ଖଟଣି ଅଧିକ କିନ୍ତୁ ପଇସା ବେଶୀ ମିଳେନାହିଁ । ଯଦିଓ ଆଜିକାଲି କିଛି କିଛି ବଡ଼ ଖବରକାଗଜ ଅନୁଷ୍ଠାନ ଏମାନଙ୍କ ଦୁଃଖ ବୁଝି କିଛି ସହାୟତା ବା ସହଯୋଗର ହାତ ବଢ଼ାଇଥାନ୍ତି ତଥାପି ଏହା ସମୁଦ୍ରକୁ ଶଙ୍ଖେପରି । ଅନେକ ଖବରକାଗଜ ଭାଇଙ୍କ ସାଇକେଲ ହେଉ ବା ଗାଡ଼ି ଚୋରୀ ହୁଏ ।
ବ୍ୟାଗ ଭିତରେ ପେପର ଝୁଲାଇ ଉପର ମହଲାକୁ ପେପର ଦେଇ ତଳକୁ ଫେରିଲା ବେଳକୁ ବେଳେ ବେଳେ ତାଙ୍କ ପେପର ବି ଚୋରୀ ହୁଏ । ବିଳମ୍ବିତ ରାତିରେ ବୁଲୁଥିବାରୁ ବୁଲା କୁକୁରଙ୍କ ଆକ୍ରମଣର ଶିକାର ବି ହୁଅନ୍ତି । ତଥାପି ସେମାନେ ସମସ୍ତଙ୍କ ପାଖରେ ଏହାକୁ ପହଞ୍ଚାଇବା ପାଇଁ ତିଳେମାତ୍ର ହେଳା କରନ୍ତି ନାହିଁ । ଓଡ଼ିଶା ବାହାରେ ଖବରକାଗଜ ବିତର୍କ ମାନଙ୍କ ପାଇଁ ଅନେକ ରାଜ୍ୟରେ ସରକାରୀ ସ୍ତର ଓ ଖବରକାଗଜ ମାଲିକଙ୍କ ଯୌଥ ଉଦ୍ୟୋଗ ଭାବରେ ସେମାନଙ୍କ ପାଇଁ ଅନେକ ଲୋକପ୍ରିୟ ଯୋଜନା ଅଛି । ସେମାନଙ୍କୁ କ୍ଷତି ପୂରଣ, ବ୍ୟାଙ୍କ ସହାୟତା, ଏପରିକି ପରିଣତ ବୟସରେ ପେନ୍ସନ, ସ୍ୱାସ୍ଥ୍ୟବୀମା, ସେମାନଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ସହାୟତାର ବ୍ୟବସ୍ଥା ଅଛି ।
ଓଡ଼ିଶା ସରକାର ପିଲା ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ, ଛାତ୍ରଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ, କଳାକାରଙ୍କ ଠାରୁ କ୍ରୀଡ଼ାବିତ୍ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଏହି ଖବରକାଗଜ ବିତରକଙ୍କ ପାଇଁ କୌଣସି ଯୋଜନା ତ ଦିଶୁନି । ଜଣେ ସାମ୍ବାଦିକ ତଥ୍ୟ ସଂଗ୍ରହ ବେଳେ ଯେଭଳି ଅନେକ ପ୍ରତିବନ୍ଧକ ଓ ପ୍ରତିକୂଳତାକୁ ସାମ୍ନା କରେ ଠିକ୍ ସେହିପରି ଖବରକାଗଜ ବିିତରକଟି ଅନେକ କଷ୍ଟ ସହି ଲୋକମାନଙ୍କ ପାଖରେ ଏହାକୁ ପହଞ୍ଚାଇଥାଏ । ଏ ଭାବନାକୁ ଆମ୍ଭେମାନେ ମନେ ରଖିବା ଉଚିତ । ରାତି ପାହିଲେ ଆମ ମାନଙ୍କ ଦ୍ୱାରକୁ ଆସୁଥିବା ଏହି ଭାଇମାନଙ୍କୁ କେବଳ ଭଲପାଇବା ଆଉ ପ୍ରେରଣାର ସହଯୋଗ ଦରକାର । ରାଜ୍ୟ ସରକାର ଗଣମାଧ୍ୟମ ଅନୁଷ୍ଠାନର ସହଯୋଗ ନେଇ ଏମାନଙ୍କ ଦୁଃଖ ବୁଝିବାରେ କିଛିଟା ଦାୟିତ୍ୱବୋଧତା ରଖିଲେ ଖବରକାଗଜର ଲୋକପ୍ରିୟତା ଓ ପାଠକୀୟ ଆଦୃତି ଆହୁରି ବଢ଼ି ବଢ଼ି ଚାଲିବ । ଓଡ଼ିଶାରେ ପ୍ରକାଶିତ ଗଣମାଧ୍ୟମ ଗୁଡ଼ିକଙ୍କ ଯେଉଁ ସଫଳତାର ଶୀର୍ଷତାକୁ ଆମେ ଦେଖୁଛୁ ଏହା ପଛରେ ଦୁଃଖ ଓ କଷ୍ଟକୁ ସହ୍ୟ କରୁଥିବା ଏହି ବିତରକ ଭାଇମାନଙ୍କ ଅବଦାନ କମ୍ ନୁହେଁ । ଆଜି ଖବର କାଗଜ ବିତରକ ଦିବସ ଅବସରରେ ଆସନ୍ତୁ ଶପଥ ନେବା ସେମାନଙ୍କ ପ୍ରତି ଆମ ଭଲପାଇବା ଯେପରି ଅତୁଟ ରହେ ।