ଦଶରଥପୁର : ଦଶରଥପୁର ବ୍ଲକ୍ରେ ଶାସକ ଦଳ କର୍ମୀଙ୍କ ଦ୍ୱାରା ଜବରଦସ୍ତ ବନ୍ଧ ହଣାଯାଇ ଘାଇ ସୃଷ୍ଟି କରାଯାଇଛି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି । ଏହି ଘାଇ ହଣାହେବା ସମ୍ପର୍କରେ କଂଗ୍ରେସ ପାଖରେ ସମସ୍ତ ତଥ୍ୟ ରହିଥିବାବେଳେ ଘାଇ ହଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ରାଜ୍ୟ ସରକାର କରନ୍ତୁ ବୋଲି ଦଳପକ୍ଷରୁ ଦାବୀ ହୋଇଛି ।

ଆବଶ୍ୟକ ପଡ଼ିଲେ ତଦନ୍ତ ସମୟରେ ଦଳପକ୍ଷରୁ ଘାଇ ହଣାଯାଉଥିବାର ଫଟୋ ଓ ଭିଜୁଆଲ ଉପସ୍ଥାପନ କରାଯିବ ବୋଲି ଦଳ କହିଛି । ଗୁରୁବାର ଦଶରଥପୁର ବ୍ଲକ୍ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଦଳପକ୍ଷରୁ ଆସିଥିବା ଟିମ୍ର ନେତୃତ୍ୱ ନେଇ ଶ୍ରୀ ରାଉତରାୟ ଏହା କହିଛନ୍ତି ।

ଶ୍ରୀ ରାଉତରାୟଙ୍କ ସହ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜିଲ୍ଲା ସଭାପତି ମନୋଜ ରାଉତ, ପୂର୍ବତନ ସାଂସଦ ଅଞ୍ଚଳ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଞ୍ଜିତା ରାଉତ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ, ଦେବେନ୍ଦ୍ର ପଣ୍ଡା, କନକଲତା ମଲ୍ଲିକ, ଶ୍ୟାମସୁନ୍ଦର କର, ସରପଞ୍ଚ ଇନ୍ଦ୍ରଜିତ ଦାସ, ପୂର୍ବତନ ଛାତ୍ର କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ, ସବ୍ୟସାଚୀ ଦାସ, ବିମଳ ମଲ୍ଲିକ, ଘନଶ୍ୟାମ ସାହୁ, ଏକାଦଶୀ ତ୍ରିପାଠୀ ପ୍ରମୁଖ ଏହି ବ୍ଲକ୍ର କାଣୀ ନଦୀର ନୂଆଶାସନ ଘାଇ ଓ ବୈତରଣୀ ନଦୀର ଦତ୍ତପୁର ଘାଇ ପରିଦର୍ଶନ କରିବା ସହ ଦୁଦୁରାଅଣ୍ଟା ଓ ଦତ୍ତପୁର ପଞ୍ଚାୟତର ବନ୍ୟା ପ୍ରଭାବିତ କିଛି ଗାଁକୁ ବୁଲି ଦେଖିଥିଲେ ।

ପରେ ବନ୍ୟାଞ୍ଚଳରୁ ଫେରି ଝୁମ୍ପୁରୀ ବଜାର ସାଇ ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଳସମ୍ପକ ଓ ଡ୍ରେନେଜ ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ବ୍ଲକ୍ରେ ବନ୍ଧ ନିର୍ମାଣ ନାମରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଥିବାବେଳେ ଲୋକଙ୍କ ସୁରକ୍ଷା ବଦଳରେ ଲୋକେ ଅଧିକ ବିପନ୍ନ ହେଉଛନ୍ତି ବୋଲି କହିଥିଲେ । ଏହି ଘାଇ ସମ୍ପର୍କରେ ଓଡ଼ିଶା ସରକାର ସିବିଆଇ ତଦନ୍ତ କରାନ୍ତୁ ବୋଲି ଦଳପକ୍ଷରୁ ଦାବୀ କରାଯିବା ସହ ଆଗାମୀ ବିଧାନସଭା ଅଧିବେଶନରେ ଏନେଇ ଦଳପକ୍ଷରୁ ପ୍ରସ୍ତାବ ଆଗତ ହେବବୋଲି ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here