ଡକ୍ଟର ଲକ୍ଷ୍ମଣ ସାହୁ : ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାନଙ୍କ ଦ୍ଵାରା ଗଣତନ୍ତ୍ର ବଞ୍ଚି ରହେ । ଆଦିମ କାଳର ମଣିଷ ବନ ଜଙ୍ଗଲ ଭିତରେ ଜୀବନ ବିତାଉଥିବା ବେଳେ ସ୍ୱାଧୀନ ଭାବରେ ବିଚରଣ କରୁଥିଲେ । ପରେ ଗୋଷ୍ଠୀ , ଗୋଷ୍ଠୀରୁ ଦଳପତି , ଦଳପତିରୁ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବସତି ସ୍ଥାପନ କରି ବଞ୍ଚି ଶିଖିବା ଆରମ୍ଭ କଲା । ଏହି ଗୋଷ୍ଠୀ ବା ସଂଘବଦ୍ଧ ଜୀବନ ଗଣଚେତନାର ଆଦ୍ୟ ପରିପ୍ରକାଶ । ନିଜର ଅଭାବ, ଅସୁବିଧାର ଦୂରିକରଣ କରିବା ପାଇଁ ଅଭିନବ ପ୍ରୟାସ । ହୁଏତ ପ୍ରାଚୀନ ଇତିହାସରେ ଆଦି ମାନବର ମାର୍ମିକ ଚିତ୍ର ଘଟି ନାହିଁ , ଅର୍ଥାତ୍ ଗୋଷ୍ଠୀ ସଂଘର୍ଷ ଘଟି ନାହିଁ ।
ଗଣଚେତନାର ସ୍ୱର ଗଣ ହୃଦୟରେ ଜୀବନର ସ୍ପନ୍ଦନ ଖେଳାଇ ନାହିଁ , ଗଣକୁ ବିପ୍ଳବ ମୁଖର କରି ନାହିଁ , ଗଣ ହୃଦୟରେ ଅଗ୍ନି ସଂଯୋଗ କରି ଅଗ୍ନିମୁଖା କରି ନାହିଁ । ବରଂ ତାହା ଗଣକୁ ଶୀତଳ ଚନ୍ଦନ କରିଥିଲାବେଳେ , ସମୟର ପରିବର୍ତ୍ତନରେ ଧୀରେ ଧୀରେ ସେଥିରେ ଗଣ ସ୍ୱରରେ ପରିବର୍ତ୍ତନ ଦେଖାଦେଲା । ସେହି ଗଣଚେତନା ହୋଇପାରେ ଜୀବନ ଭିତ୍ତିକ , ସମସ୍ୟା କୈନ୍ଦ୍ରିକ ବା ସର୍ବୋପରି ଧର୍ମକୈନ୍ଦ୍ରିକ । ତଳେଇ ଦେଖିଲେ ବଞ୍ଚିବାର ସମସ୍ୟା ଯେତିକି ନୁହେଁ , ଧର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ଆସନ ପାଇବାର ସମସ୍ୟା ଅଧିକ ଯେପରି ଗଣଚେତନାକୁ ପ୍ରଭାବିତ କରିଥିଲା । ଦଳପତିରୁ ରାଜତନ୍ତ୍ର ଓ ରାଜତନ୍ତ୍ର ଭିତରେ ଜନଗଣ ଗୈାଣ ପାଲଟେ । ସେଠାରେ ରାଜ ବିଳାସ ବ୍ୟସନ ମୁଖ୍ୟ ପାଲଟି ଯାଇଛି ।
ରାଜତନ୍ତ୍ରର ପରିପୋଷକ ସାମନ୍ତ ସମାଜର ପ୍ରାଧାନ୍ୟ ଅଧିକ ଉଗ୍ର ତାହା ଇତିହାସରୁ ସ୍ପଷ୍ଟ । ଏଥିରେ କୈାଣସି ପ୍ରକାର ଗଣର ସାମଗ୍ରୀକ ସ୍ୱାର୍ଥ ଦେଖାଯାଏ ନାହିଁ । ବରଂ ଅତ୍ୟଧିକ ମାତ୍ରାରେ ରାଜତନ୍ତ୍ରର ସ୍ୱେଚ୍ଛାଚାରିତା ଓ ଅନ୍ୟାୟ ଅବିଚାର ନିରୀହ ନିରନ୍ନ ଜନ ଉପରେ ପଡ଼ିଲା ସେତିକିବେଳେ ଧୀରେ ଧୀରେ ଗଣ ଆନ୍ଦୋଳନ ମୁଣ୍ଡ ଟେକିଲା । କାରଣ ରାଜତନ୍ତ୍ରର ଅନ୍ଧାରୀ ଶାସନ ବିରୁଦ୍ଧରେ ପଦୁଟିଏ କହିବାକୁ ମୁହଁ ଖୋଲୁନଥିବା ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ଶେଷରେ ଅସହ୍ୟର ଚରମ ସୀମାକୁ ସ୍ପର୍ଶ କରି ଦେଇଥିଲା ।
ଜନ ସମୂହର ଅସହ୍ୟ ବୋଧରୁ ଗଣ ହେଲା ଜାଗ୍ରତ । ଅତୃପ୍ତ ସୁପ୍ତ ମନ ଜାଗ୍ରତ ହୋଇ ସମୂହ ଗଣ ଆନ୍ଦୋଳନରେ ଧିରେ ଧିରେ ସାମିଲ ହେଲା । ବିଶ୍ୱ ଇତିହାସରେ ଦେଖାଯାଇଥିବା ଫରାସୀ ବିପ୍ଳବ ବା ଋଷିଆର ସମାଜବାଦୀ ଆନ୍ଦୋଳନ ଏହାର ଜ୍ୱଳନ୍ତ ପ୍ରମାଣ । ଏହି ଦୁଇ ବିପ୍ଳବ ବିପରୀତ ମୁଖି ପ୍ରତିକ୍ରିୟା ଦର୍ଶାଇଲା । ଅର୍ଥାତ୍ ଫରାସୀ ବିପ୍ଳବ ସାମନ୍ତବାଦୀ ସମ୍ପତ୍ତି ମୋହକୁ ବିଲୋପ କରିଥିବା ବେଳେ , ଋଷୀୟ ଗଣ ବିପ୍ଳବ ବିଲୋପ କଲା ବୁର୍ଜୁଆ ସମ୍ପତ୍ତି ବଣ୍ଟନ । ଏସବୁ ସମ୍ପତ୍ତି କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ , ବରଂ ଏହା ଜନସାଧାରଣଙ୍କ ସମ୍ପତ୍ତି , ଯାହା ସମାଜର ଏକ ବିରାଟ ଶକ୍ତି ।
କିନ୍ତୁ ଦେଖାଯାଉଛି ସାଧାରଣ ମଣିଷ ସେହି ସମ୍ପତ୍ତିରୁ ବଞ୍ଚିତ ହୋଇ ଅସହାୟ ଅବସ୍ଥାରେ ଦିନ କାଟୁଥିବା ବେଳେ ବୁର୍ଜ୍ଜୃଆ ଶ୍ରେଣୀ ସମାଜରେ ତାର ଆଧିପତ୍ୟ ଓ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥାଏ । ଏକଥା ସତ ସ୍ୱାଧୀନତାର ସ୍ୱାଦ ଧନୀକ ଗୋଷ୍ଠୀଙ୍କ ପାଇଁ । କିନ୍ତୁ ସାଧାରଣତ ମଣିଷ ପରାଧୀନ ଭାବରେ ଜୀବନ କାଟେ, ଯାହାର କୈାଣସି ବ୍ୟକ୍ତିତ୍ଵ ନାହିଁ । ଯାହା କେବଳ ସମାଜର ଗଣନିର୍ବେଦ । ତେଣୁ ଗଣଜୀବନର ସମସ୍ୟା ସଚେତନ କଳାକାର , କବି , ଲେଖକ ନିଜର ସୃଷ୍ଟି ମାଧ୍ୟମରେ ସେହି ନିର୍ବେଦତାରେ ସୃଷ୍ଟି କରେ , ଚମତ୍କାର ଗଣଜୀବନର ବାସ୍ତବ ଚିତ୍ର । ସୁପ୍ତ ଜନତାର ନିଦ୍ରା ଭଙ୍ଗ କରେ । ତା’ର ହୃଦୟରେ ସୃଷ୍ଟି କରେ ଜନଗଣ ଜୀବନର କାରୁଣ୍ୟର ଇତିକଥା ।
ସାଧାରଣ ମଣିଷର ଦୁଃଖ , ଅଭାବ , ସମସ୍ୟାକୁ ସେ ସମାଜ ଆଗରେ ଉପସ୍ଥାପନ କରେ । କେବେ ସେ ଆଭିଜାତ୍ୟର ସ୍ତବଗାନ କରେନାହିଁ , କି କ୍ଷମତାଶାଳୀ ବ୍ୟକ୍ତି ବିଶେଷଙ୍କ ଜୟଗାନ କରେ ନାହିଁ । କେବଳ ଜନସମାଜର ସମୂହ ସମସ୍ୟା ଗୁଡ଼ିକୁ ସାମାଜିକ କରଣ କରିବା ପାଇଁ ପ୍ରୟାସ ଜାରି ରଖେ । ସେସବୁ ସମସ୍ୟା କେବେ ଶୀତତାପ ନିୟନ୍ତ୍ରିତ ପଞ୍ଚତାରକା ହୋଟେଲ ଉପଭୋକ୍ତା ବ୍ୟକ୍ତି ବିଶେଷଙ୍କ ନୁହେଁ , ବରଂ ଅବହେଳିତ , ଖଟିଖିଆ , ଶ୍ରମିକମାନଙ୍କ ଜୀବନର ଅକୁହା କଥା । ଶ୍ରେଣୀ ସମାଜରେ ଥାଏ ରାଜନୀତିକ କଳାତ୍ମକ ଦିଗ , ଯେଉଁଥିରେ ନିରୀହ ସାଧାରଣ ମଣିଷର କୈାଣସି ପ୍ରକାର ସ୍ଥାନ ନଥାଏ । ସାମନ୍ତ-ବାଦୀ ସମାଜର ବଡ଼ପଣ୍ଡା ବୋଲାଉଥିବା ଗଣପତିମାନେ ସର୍ବହରା ଶ୍ରମିକ , ମଳିମୁଣ୍ତିଆ ଖଟିଖିଆ , ଦିନ ମଜୁରିଆମାନଙ୍କ ସାହିତ୍ୟିକ ଓ କଳାତ୍ମକ କୃତି ଯେତେ ଜୀବନ୍ତ ଓ ମହତ୍ ହେଲେ ମଧ୍ୟ ତାକୁ ସ୍ଥାନ ଦିଏ ନାହିଁ ।
କେବଳ ବିପ୍ଳବୀ ଲେଖକ ଓ କଳାକାର ଗଣ ସମସ୍ୟାକୁ ସଠିକ୍ ଭାବରେ ପ୍ରକାଶ କରିବାରେ ସମର୍ଥ ହୋଇଥାଏ । ବିପ୍ଳବୀ ଲେଖକମାନଙ୍କ ମୈାଳିକ ଲକ୍ଷ୍ୟ ହେଉଛି ନିର୍ଯ୍ୟାତିତ ମଣିଷକୁ ଶକ୍ତି ଯୋଗାଇଦେବା , ଅନ୍ଧକାର ମଧ୍ୟରୁ ଆଲୋକକୁ ଆଣିବା , ସଂଗ୍ରାମର ବୀଜ ରୋପଣ କରି ସଂଗ୍ରାମୀ କରାଇବା । ସମାଜରେ ଯେପର୍ଯ୍ୟନ୍ତ ବୈପ୍ଳବିକ ଝଡ ତୋଫାନ ନଉଠିଛି , ମଣିଷ ମଣିଷ ଭିତରେ ପାରସ୍ପାରିକ ପ୍ରେମ ଭାବ ଦେଖା ନଦେଇଛି , ସେପର୍ଯ୍ୟନ୍ତ ସମାଜରୁ ଶ୍ରେଣୀ-ବୈଷମ୍ୟ ପୃଥିବୀରୂ ଲୋପ ପାଇବା ସମ୍ଭବ ହୋଇପାରିବ ନାହିଁ । ଯେଉଁ ସ୍ରଷ୍ଟା ନିଜକୁ ଭଗବାନ ମନେକରି ବା କେବଳ ଉଚ୍ଚବର୍ଗ ମାନଂକୁ ପ୍ରଶଂସା କରି ବା ସୁହାଇଲା ଭଳି ତା’ର ସୃଷ୍ଟି ସର୍ଜନା କରେ ଓ ନିମ୍ନବର୍ଗର ଲୋକଂକ ଉପରେ ପ୍ରଭୁତ୍ୱ ଜାହିର କରେ , ସେଭଳି ଲେଖା ସାଧାରଣ ମଣିଷ ପାଖରେ ଆଦର ପାଏ ନାହଁ କି କାହା ଉପରେ ତାର କୋୖଣସି ପ୍ରଭାବ ପଡିପାରେ ନାହିଁ । ଏପରିକି ସେଭଳି ଲେଖକର ଓ ଲେଖାର କୋୖଣସି ଭବିଷ୍ୟତ ନଥାଏ ।
ସାହିତ୍ୟର ସୃଷ୍ଟି ସାଧାରଣ ମଣିଷର ହିତ ପାଇଁ । ସାହିତ୍ୟ କେବେ ଅଶୋଭନୀୟ ନୁହେଁ । ସତ୍ୟକୁ ଉପସ୍ଥାପନା କରିବା ସାହିତ୍ୟର ଧର୍ମ । ସାଧାରଣ ମଣିଷର ଜୀବନ ମରଣର କଥାକୁ ପ୍ରକାଶ କରି ମଣିଷକୁ ବଞ୍ଚିବା ଶିଖାଇବାର ମହନୀୟ ପ୍ରେରଣା ଦିଏ । ଯେଉଁ ସାହିତ୍ୟ ଅତୀତ , ବର୍ତ୍ତମାର ବାସ୍ତବତାକୁ ପୁଞ୍ଜି କରି ସର୍ଜନା ହୁଏ ଓ ଆଗାମୀର ବାର୍ତ୍ତା ଦିଏ ସେଭଳି ସାହିତ୍ୟ କାଳଜୟୀ ପାଲଟେ । ଯେଉଁ ସାହିତ୍ୟ ସାଧାରଣ ମଣିଷର ଭୂମି , ଶିଳ୍ପ , ସଂସ୍କୃତି , କଳା , ବାଣିଜ୍ୟ , ପରମ୍ପରା ସହ ସମସ୍ୟାକୁ ଭିତ୍ତି କରି ଲେଖାଯାଇଥାଏ ସେହି ସାହିତ୍ୟ ହଁ ସମାଜରେ ତିଷ୍ଠି ରହେ । ଐତିହାସିକ ଦୃଷ୍ଟିରୁ ଦେଖିଲେ କ୍ରୀତଦାସ ପ୍ରଥା ଓ ସାମନ୍ତବାଦୀ ଯୁଗର ବା ରାଜା ମହାରାଜାଙ୍କ ଦରବାର ସାହିତ୍ୟ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ହସ୍ତରେ ନ୍ୟସ୍ତ ଥିବା ଦ୍ଵାରା ତାହା କେବଳ ସେ ସମୟରେ କିଛି ସୁଖଭୋଗୀ ବା ଉପଭୋଗୀଙ୍କ ଗୋଷ୍ଠୀଙ୍କର ହୋଇ ରହିଥିଲା । କେବଳ ତାହା ପଣ୍ଡିତ ବର୍ଗର , ଦରବାରରେ ପରିବେଶିତ ଆଲୋଚନାର ବାହ୍ୟାଡମ୍ବର ପାଲଟି ରାଜନ୍ ବର୍ଗଙ୍କୁ ଆମୋଦପ୍ରମୋଦରେ ବିହ୍ୱଳ କରୁଥିଲା ।
ସମୟର ପରିବର୍ତ୍ତନ ସତ୍ତ୍ଵେ ବି ଖଟିଖିଆ ଶ୍ରମିକ , କୃଷକ ଓ ସାଧାରଣ ମଣିଷର ପ୍ରଚେଷ୍ଟାରେ ମୁଣ୍ଡ ଟେକିଲା କଳା , ସଂସ୍କୃତି , ପରମ୍ପରାକୁ ଭିତ୍ତି କରି ସାହିତ୍ୟ । ତଥାପି ଏମାନଙ୍କ ସଂପର୍କରେ କିଛି କୁହାଗଲା ନାହିଁ । ସେମାନଙ୍କ ଶ୍ରମ ଦାନରେ ମୂଲ୍ୟବୋଧ ପ୍ରତି ଦୃଷ୍ଟି ଦିଆନଯାଇ ଅଧିକ ଭାବରେ ଉପେକ୍ଷା କରାଯାଉଥିଲା । ଯୁଗ ଚେତନାର ବିପ୍ଳବୀ ଲେନିନ୍ ଏକଦା କହିଥିଲେ କଳା ହେଉଛି ଜନ ସାଧାରଣଙ୍କ ସଂପତ୍ତି । ତେଣୁ ଏହାର ସୁବିସ୍ତୁତ ଚେର ଏବିରାଟ ଜନସାଧାରଣଙ୍କ ଗଭୀରତମ ହୃଦୟରେ ପ୍ରବେଶ କଲେ ହୁଏତ ସାଧାରଣ ମଣିଷର ଭାଗ୍ୟ ଖୋଲିବ । ଯେ ପର୍ଯ୍ୟନ୍ତ ସମାଜବାଦର ଭାବନା ଓ ଦିନ ମଜୁରିଆ ଖଟିଖିଆ ଶ୍ରମିକମାନଙ୍କ ଶ୍ରମ ମୂଲ୍ୟକୁ ଅନୁଭବ କରି ନାହିଁ ସେ ପର୍ଯ୍ୟନ୍ତ ତାହା ସତ୍ ସାହିତ୍ୟ ହୋଇପାରିବ ନାହିଁ । ସତ୍ ସାହିତ୍ୟ ହଁ ସ୍ୱାଧୀନ , ମୁକ୍ତ ସାହିତ୍ୟ । ମଣିଷ ଜାତିର ବୈପ୍ଳବିକ ମୂଲ୍ୟବୋଧକୁ ନେଇ ଗଢ଼ିଉଠିଥିବା ସାହିତ୍ୟହିଁ ସର୍ବାଗ୍ରେ ଆଦରଣୀୟ , ହୃଦୟସ୍ପର୍ଶୀ ସାହିତ୍ୟ ।
ଯେପର୍ଯ୍ୟନ୍ତ ମଣିଷ ମଣିଷ ଭିତରେ ଥିବା ଶ୍ରେଣୀ ପାଚେରିକୁ ଭାଙ୍ଗି ମାନବିକତାର ସ୍ୱର ଉତ୍ତୋଳନ କରାଯାଇ ନାହିଁ , ବିଶ୍ବାସକୁ ବିଶ୍ବାସ ସହିତ , ହୃଦୟକୁ ହୃଦୟ ସହିତ , ପ୍ରେମକୁ ପ୍ରେମ ସହିତ ଯୋଡାଯାଇ ନାହିଁ , ସେପର୍ଯ୍ୟନ୍ତ ସମାଜରେ ପରିବର୍ତ୍ତନ ଆଣିବା ସମ୍ଭବ ନୁହେଁ । ଜଣେ ଦକ୍ଷ ସଚ୍ଚା ସାହିତ୍ୟିକର କଲମର ଦାମ୍ଭିକ ସର୍ଜନା ଜନ ସାଧାରଣଙ୍କ ହୃଦୟରେ ପ୍ରବେଶ କରି ଉଦ୍ଦୀପିତ ଓ ପ୍ରୋତ୍ସାହିତ କରେ ତାକୁ ଜନ ଉନ୍ମେଷକାରୀ ସାହିତ୍ୟ କୁହାଯାଇପାରେ ।
ଗଣ ସମାଜ ହିଁ ପ୍ରଗତିଶୀଳ ଓ ସୃଜନଶୀଳ କଳା ଓ ସାହିତ୍ୟର ସ୍ରଷ୍ଟା , ରକ୍ଷକ ଓ ପରିପୋଷକ । ଗଣ ସଂସ୍କୃତି ସାହିତ୍ୟକୁ ପ୍ରେରଣା ଦିଏ , ଗଣ ଜୀବନ ହିଁ ସାହିତ୍ୟର ପୁଞ୍ଜି ପାଲଟେ । ସାହିତ୍ୟ କେବେ କୈାଣସି ସମ୍ରାଟ ବଂଶୀୟ , ଆଭିଜାତ୍ୟ ଶ୍ରେଣୀୟ ବ୍ୟକ୍ତି ବିଶେଷଙ୍କ ମନୋରଞ୍ଜନର କାଠ କଣ୍ଢେଇ ନୁହେଁ ଯେ ତାକୁ ନେଇ ଖେଳାଯାଇ ଶେଷରେ ପରିତ୍ୟକ୍ତ କରାଯାଇ ପାରିବ ! ଏହା ସକଳ ଜଣଗଣଙ୍କ ଆତ୍ମଲିପି , ଜୀବନ ଯନ୍ତ୍ରଣାର ଇସ୍ତାହାର ।
ଯେଉଁ ସ୍ରଷ୍ଟାମାନେ ସାଧାରଣ ମଣିଷର ସୁଖ ଦୁଃଖ , ଭଲ ମନ୍ଦ , ହାନି ଲାଭ , ଜୟ ପରାଜୟ ସହିତ ସେମାନଙ୍କର ଜୀବନ ଜୀବିକାର୍ଜନରେ ସକ୍ରୀୟ ହୁଅନ୍ତି ବାସ୍ତବ ପକ୍ଷରେ ସେମାନେ ଉଚ୍ଚକୋଟୀର ସର୍ଜନା ସୃଷ୍ଟି କରିବାରେ ସଫଳ ହୁଅନ୍ତି ଓ ସୁଲେଖକ ଭାବରେ ଗଣ୍ୟ ହୁଅନ୍ତି । ଜନଗଣ ସମାଜର ଜୀବନ ଯାତ୍ରା ଓ କଥାବସ୍ତୁ ଯେଉଁ ସାହିତ୍ୟରେ ସ୍ଥାନ ପାଇଥାଏ , ତାହାହିଁ ପ୍ରକୃତ ସାହିତ୍ୟ ପଦବାଚ୍ୟ ହୂଏ । ଏହା କେବେ ସୈାଖୀନ ମନୋରଞ୍ଜନପୂର୍ଣ୍ଣ ବିଳାସର ସାହିତ୍ୟ ନୁହେଁ , ବରଂ ଏହାକୁ ଜୀବନ ରୂପକ ସାହିତ୍ୟ କୁହାଯାଏ । ଏପରିକି ଏହା ରାଜକୀୟ ଛଟା ଓ ଇଚ୍ଛାର ସାହିତ୍ୟ ନୁହେଁ , ବରଂ ଏହା ଗଣ ଜୀବନର ସଂଘର୍ଷ , ସମସ୍ୟାର ସାହିତ୍ୟ । ତେଣୁ ସାହିତ୍ୟ ଦ୍ଵାରା ବିଶ୍ୱରେ ଗଣ ଚେତନାର ଉନ୍ମେଷ ଘଟିଛି ।
ବିଶେଷକରି ଫରାସୀ ରାଷ୍ଟ୍ର ବିପ୍ଳବ ଓ ରୁଷିଆରେ ଜାର ଶାସକଙ୍କ ବିପକ୍ଷରେ ମାର୍କସୀୟ ଚେତନାର ସମାଜବାଦୀ ବିପ୍ଳବ ଦ୍ୱୟ ଗଣଚେତନାର ଯଥାର୍ଥ ଜନ୍ମଦାତା ଭାବେ ପରିଚିତ । ଫରାସୀ ବିପ୍ଳବରେ ରାଜତନ୍ତ୍ରର ବିଲୋପ ଓ ରୁଷିଆର ସମାଜବାଦୀ ବିପ୍ଳବରେ ଗୀର୍ଜା ବା ଚର୍ଚ୍ଚାର ପ୍ରଭୃତ୍ୱ ବିଲୋପ ଗଣ ଚେତନାକୁ ଅଧିକ ଶାଣିତ କରିଥିଲା । ସାହିତ୍ୟର ପ୍ରଧାନ ଅମୋଘ ଅସ୍ତ୍ର ଗଣ ଚେତନା । ସମସ୍ୟା ଚିତ୍ରଣ ଭିତରେ ଫୁଟି ଉଠିଲା ମାନବିକତାର ସମ୍ବେଦନଶୀଳ । ଜନଗଣର ବ୍ୟଥା ଓ ବିଫଳତା , ନୈରାଶ୍ୟ ଓ ଶୋଚନୀୟତା ପାଲଟିଗଲା ସାହିତ୍ୟର ପୁଞ୍ଜି। । ଉଚ୍ଚ ଶ୍ରେଣୀର ହୃଦୟରେ ସୃଷ୍ଟି ହେଲା ସହାନୁଭୂତି । ମହାତ୍ମା ଗାନ୍ଧୀଜୀଙ୍କ ସ୍ୱାଧୀନତା ଡାକରା ଗଣଚେତନାର ପ୍ରତିଫଳନ । ଗାନ୍ଧୀଜୀ ଜନଗଣକୁ ଭଲ ପାଉଥିଲେ , ସେମାନଙ୍କ ସହ ମିଶୁଥିଲେ ।
ଫଳରେ ତାଙ୍କ ଡାକରାରେ ସମସ୍ତ ଭାରତ ବର୍ଷର ଜନତା ଦେଶମାତୃକାର ସେବା କରିବା ପାଇଁ ଆଗେଇ ଆସିଥିଲେ । ଗାନ୍ଧୀଜୀ ଜନଗଣକୁ କେବଳ ଆନ୍ଦୋଳନ ଦିଗରେ ନୁହେଁ ରାଜନୀତିକ , ସାମାଜିକ , ସାଂସ୍କୃତିକ ଓ ଅର୍ଥନୀତିକ ଦିଗରେ ସାମିଲ କରିଥିଲେ । ଧର୍ମ ନାମରେ ରହିଥିବା ସଂକୀର୍ଣ୍ଣ ମନୋଭାବକୁ ଦୂର କରିବା ପାଇଁ ଆଗେଇ ଆସିଥିଲେ । ସମାଜରୁ ଅସ୍ପୃଶ୍ୟତା ଦୂରେଇ ଦେବା ପାଇଁ ନିମ୍ନ ଜାତିକୁ ହରିଜନ ବୋଲି ଆଖ୍ୟା ଦେଉଥିଲେ । ଅବହେଳିତ ସର୍ବହରା ମଣିଷ ସମାଜରେ କିଭଳି ମୁଣ୍ଡ ଟେକି ରହିବ ସେଥିପାଇଁ ମାନବ ପ୍ରେମର ବାର୍ତ୍ତା ଦେଉଥିଲେ ।
ଭାରତ ସ୍ୱାଧୀନତା ପାଇବା ପରେ ଗାନ୍ଧିଜୀଙ୍କ ଆଦର୍ଶନୀତି ଆଉ ରହିନାହିଁ । ଅବହେଳିତ ନିଷ୍ପେସିତ ସର୍ବହରା ଗୋଷ୍ଠୀ ଉପଭୋଗୀ ଉଚ୍ଚପଦସ୍ଥ ଗୋଷ୍ଠୀର ଦୟାର ପାତ୍ର ହୋଇଛି । ଗଣତନ୍ତ୍ରର ପୋଷାକ ଭିତରେ ଉପଭୋଗୀ ଉଚ୍ଚପଦସ୍ଥ ନେତା , ନେତ୍ରୀ , ଅମଲାତନ୍ତ୍ରର ମୋହର । ସ୍ୱାଧୀନତା ପୂର୍ବବର୍ତ୍ତୀ ଶୋଷଣ , ସ୍ୱାଧୀନତା ପରବର୍ତ୍ତୀ ଶୋଷଣ କେବଳ ଭିନ୍ନ ରୂପ ନେଇଛି । କୁହାଯାଇପାରେ ପୂର୍ବବର୍ତ୍ତୀ ଶୋଷଣ ପ୍ରତ୍ୟକ୍ଷ ଓ ପରବର୍ତ୍ତୀ ଶୋଷଣ ପରୋକ୍ଷ ରୂପ ହେଇଛି । ବିଶେଷ କରି ଦୁର୍ନୀତିର ଚେର ଏତେ ଗଭୀର ଭିତରକୁ ପ୍ରବେଶ କରିଛି , ଫଳତଃ ସାଧାରଣ ଲୋକଙ୍କ କଥା ବୁଝିବାକୁ କେହି ନାହାନ୍ତି । ସବୁ ବଡ଼ ବଡ଼ିଆଙ୍କ ଭିତରେ ଦିଆନିଆ ଭାବ । ରାଜନୀତି , ଚାକିରି , ଶିଳ୍ପ ବ୍ୟବସାୟ ଭିତରେ ଖଟିଖିଆ , ମଜୁରିଆ , ଶ୍ରମିକ ମଳି ମୁଣ୍ତିଆଙ୍କ କଥାକୁ ପଚାରେ କିଏ । ଏହାହିଁ ସ୍ୱାଧୀନତା ପରର ଗଣଜୀବନର କଥା ।
ନାନା ସମସ୍ୟା ଭିତରେ ଗତି କରୁଥିବା ସମାଜର ବାସ୍ତବ ସ୍ଥିତି । ଗଣ ପାଇଁ ପ୍ରସାଶନିକ , ସାମ୍ବିଧାନିକ , ରାଜନୀତିକ ବ୍ୟବସ୍ଥା ଥାଇ ମଧ୍ୟ ଗଣ ହୋଇଯାଇଛି କକ୍ଷ-ଚ୍ୟୁତ ଅସହାୟ ଗ୍ରହ । କେବଳ ବନ୍ୟା , ମରୁଡି ବା କୈାଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ତଥା ନିର୍ବାଚନ ବେଳେ କିଛି ସ୍ୱର୍ଗରୁ ପଡ଼ିଗଲା ଭଳି ବିନା ଶ୍ରମରେ ମିଳିଗଲେ ସେମାନେ କୃତାର୍ଥ ହୋଇ ପଡନ୍ତି । ସେତକ ସରିଗଲେ ପୁଣି ଶେଷରେ ଭାଗ୍ୟ ଆଦରି ପଡିଥାନ୍ତି । ଏକଥା ସତ ଯେ ଜନ ହୃଦୟର ଅସନ୍ତୋଷ କେବେ ପୂରଣ ହୋଇପାରିବ ନାହିଁ । ତଥାପି ଜନ ସମୂହର ସ୍ୱାର୍ଥ ନିମନ୍ତେ ଗଣ-ଚେତନାର ଆବଶ୍ୟକ ରହିଛି..! ଜନ ସଚେତନତା ପାଇଁ ନିରୋଳା ସାହିତ୍ୟର ଭୂମିକା ଯଥେଷ୍ଟ ଆବଶ୍ୟକ ରହିଛି । ସାଂପ୍ରତିକ ସମସ୍ୟାକୁ ନେଇ ସତ୍ ସାହିତ୍ୟ ସୃଷ୍ଟି ହେଲେ ସମାଜରେ ଘୂରି ବୁଲୁଥିବା ରାକ୍ଷସର ପତନ ଘଟିବ , ଏ ଅଭାବନୀୟ ପରିସ୍ଥିତି ଧୀରେ ଧୀରେ ଦୂରେଇ ଯିବ.. ଓ ସ୍ୱାଧୀନତାର ସ୍ୱାଦ ଚାଖିହେବ..