Odisha news

ମୁକ୍ତି ସଂଗ୍ରାମର ଅଲିଭା ସ୍ୱାକ୍ଷର ଅଗଷ୍ଟ ନଅ : କ୍ରାନ୍ତି ଦିବସ ଉପଲକ୍ଷେ …..

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଭାରତର ମୁକ୍ତି ସଂଗ୍ରାମ ଅନେକ ତ୍ୟାଗ, ବଳିଦାନ ଓ ବୀରତ୍ୱର କଥା କହେ । ଦେଶ ମାତୃକାର ସ୍ୱାଧୀନତା ପାଇଁ ବହୁ ସଂଗ୍ରାମୀ ଲାଠିମାଡ଼ ଖାଇଛନ୍ତି, କାରାବରଣ କରିଛନ୍ତି ଓ ସହିଦ୍ ହୋଇଛନ୍ତି । ୧୮୫୭ ମସିହା ସିପାହୀ ବିଦ୍ରୋହ ଠାରୁ ୧୯୪୨ ମସିହା ଭାରତ ଛାଡ଼ ଆନେ୍ଦାଳନ ପର୍ଯ୍ୟନ୍ତ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ବହୁ ବିପ୍ଳବୀ ଅଭୁତପୂର୍ବ ଆତ୍ମୋତ୍ସର୍ଗ ଓ ଦେଶପ୍ରେମର ବିରଳ ଦୃଷ୍ଟାନ୍ତ ରଖି ଯାଇଛନ୍ତି । ସେମାନଙ୍କ ସେହି ତ୍ୟାଗ ଚିରଦିନ ସ୍ମରଣୀୟ ହୋଇ ରହିବ ।

ଭାରତର ମୁକ୍ତି ସଂଗ୍ରାମରେ ୧୯୪୨ ମସିହା ‘ଭାରତ ଛାଡ’ ଆନେ୍ଦାଳନ ଏକ ସ୍ୱତନ୍ତ୍ର ସ୍ମାରକୀ ବହନ କରେ ଯାହାକି ଅଗଷ୍ଟ ବିପ୍ଳବ ନାମରେ ଖ୍ୟାତ । ଏହି ଅନେ୍ଦାଳନ ଥିଲା ବ୍ରିଟିଶ ଶାସନ ବିରୋଧରେ ଶେଷ ଆନେ୍ଦାଳନ । ଏହି ଜାତୀୟ ଆନେ୍ଦାଳନ ଆରମ୍ଭ ହୋଇଥିଲା ୧୯୪୨ ମସିହା ଅଗଷ୍ଟ ୯ତାରିଖରେ । ଏହାର ପୂର୍ବଦିନ ବମ୍ବେଠାରେ ସର୍ବଭାରତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟି ଦ୍ୱାରା “କର ବା ମର” ନୀତି କୁ ଆପଣେଇ “ଭାରତଛାଡ” ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ଓଡିଶାରୁ କଂଗ୍ରେସର ତୁଙ୍ଗ ନେତା ହରେକୃଷ୍ଣ ମହତାବ ,ସୁରେନ୍ଦ୍ର ଦ୍ୱିବେଦୀ, ମାଳତୀ ଚୌଧୁରୀ,ପ୍ରହ୍ଲାଦ ରାୟ ଓ ଲକ୍ଷ୍ମୀନାରାୟଣ ମିଶ୍ର ଯୋଗ ଦେଇଥିଲେ । ଠିକ୍ ତା ପରଦିନ ପ୍ରତ୍ୟୁଷରୁ ଗାନ୍ଧିଜୀଙ୍କ ସମେତ ଭାରତର ଅନ୍ୟାନ୍ୟ ତୁଙ୍ଗ ନେତାଙ୍କୁ ଗିରଫ କରାଗଲା । ସେହିପରି ଓଡିଶାରୁ ହରେକୃଷ୍ଣ ମହତାବଙ୍କୁ ବମ୍ବେରୁ ଗିରଫ କରାଯାଇ ଅହମଦାବାଦ ଜେଲ୍ରେ ରଖାଗଲା । ଏଥିସହିତ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ୨୪ଜଣ କଂଗ୍ରେସ ନେତାଙ୍କୁ ଗିରଫ କରାଗଲା ।

ସାରା ଦେଶରେ ଜନତାଙ୍କ ମଧ୍ୟରେ ସୃଷ୍ଟି ହେଲା ଅପୂର୍ବ ଆଲୋଡନ । ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସର୍ବତ୍ର ପ୍ରକମ୍ପିତ ହେଲା “ଭାରତ ଛାଡ” ଧ୍ୱନିରେ । କି ସହର କି ବଜାର ବା ଗଳିକନ୍ଦି ସବୁଠି ଆରମ୍ଭ ହୋଇଗଲା ହରତାଳ ଓ ଶୋଭାଯାତ୍ରା । ସେପଟେ ଏହାକୁ ଦମନ କରିବା ପାଇଁ ·ଲିଲା ଗୁଳି, ଲାଠିଚାଳନା ଓ ଅମାନୁଷିକ କାର୍ଯ୍ୟ । ଏହାଥିଲା ଭାରତୀୟମାନଙ୍କ ପ୍ରତି ବ୍ରିଟିଶ ସରକାରଙ୍କର ବର୍ବର୍ରୋଚିତ ଆକ୍ରମଣର ନଗ୍ନ ନମୁନା । ଏହାର ଅନ୍ତ ହେଲା ୧୯୪୫ ମସିହା ମଧ୍ୟଭାଗରେ । ଏହି ଆନେ୍ଦାଳନ ଗଣ ଆନେ୍ଦାଳନର ରୁପ ନେଇଥିଲେ ମଧ୍ୟ ଏହା ଆମକୁ ଆମ ଇପ୍ସିତ ସ୍ୱାଧୀନତା ଦେଇପାରିନଥିଲା । ତଥାପି ଏହା ପ୍ରମାଣିତ କରିଥିଲା ଯେ, ଭାରତପାଇଁ ସ୍ୱାଧୀନତା ହାସଲ ଆଉ ବେଶି ଦୂର ନୁହେଁ । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ବହୁ ପ୍ରତିକ୍ଷୀତ ସ୍ୱାଧୀନତା ପାଇଲେ ।

ଅଗଷ୍ଟ ୯ ତାରିଖ ଦିନ ସକାଳୁ ତୁଙ୍ଗ ନେତାମାନଙ୍କ ସହ କଂଗ୍ରେସର କାର୍ଯ୍ୟକାରୀ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଗିରଫ କରାଗଲା । ଏମାନଙ୍କ ମଧ୍ୟରେ ଥିଲେ ହରେକୃଷ୍ଣ ମହତାବ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କରବା ମର ଡାକରା ଥିଲା ସେ ସମୟର ଆହା୍ୱନ । ଏହି ଡାକରା ଜନସାଧାରଣଙ୍କ ମନରେ ଗଭୀର ଅଲୋଡନ ସୃଷ୍ଟି କରିଥିଲା । ଏହା କେବଳ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଆନେ୍ଦାଳନ ନଥିଲା ବରଂ ମକ୍ତିକାମୀ ଭାରତୀୟମାନଙ୍କ ପାଇଁ ନୂତନ ଆଶା ସଂଚାର କରିଥିଲା । ଫଳରେ ସାରା ଦେଶରେ ବଡଧରରଣ ଆନେ୍ଦାଳନ ମୁଣ୍ଡ ଟେକିଥିଲା । ଫଳସ୍ୱରୂପ ସରକାରୀ କାର୍ଯ୍ୟାଳୟରେ କାମ ବନ୍ଦ ହୋଇଯାଇଥିଲା ଏବଂ ସରକାରୀ ଦପ୍ତର ଉପରେ ତିରଙ୍ଗା ଉଡିଲା । ମୋଟାମୋଟି ଭାବେ କହିଲେ ୧୯୪୨ର ଭାରତ ଛାଡ ଆନେ୍ଦାଳନ ଦେଶର ସ୍ୱାଧୀନତା ହାସଲ ପାଇଁ ଏକ ଦୃଢ ଭିତ୍ତି ଭୂମି ପ୍ରସ୍ତୁତ କରିଥିଲା
ଏହ ଆନେ୍ଦାଳନରେ ମହିଳା ମାନଙ୍କର ଅବଦାନ ମଧ୍ୟ କୋଣସି ଗୁଣରେ କମ୍ ନଥିଲା । ‘ବୀର ମାରେ ଅବା ମରେ କରି ରଣ’ ନ୍ୟାୟରେ ସେମାନେ ଗାନ୍ଧିଙ୍କ କର ବା ମର ଡାକରାରେ ସାମିଲ୍ ହୋଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ସୁଚେତା କୃପାଳିନୀ,ମାଳତୀ ଚୋ÷ଧୁରୀ, ରମା ଦେବୀ, ମାତଙ୍ଗିନୀ ହାଜରା, କନକଲତା ବରୁଆ, କାହୁଳି ଦେବୀ, ନଳିନୀ ଦେବୀ , ଶଶିକଳା ଦେବୀ, ଉଷା ମେହେଟା ଓ ଆହୁରି ଅନେକ । ମାତଙ୍ଗିନୀ ହାଜରା, କନକଲତା ବରୁଆ,କାହୁଳି ଦେବୀ ,ଶଶିକଳା ଦେବୀ,ନଳିନୀ ଦେବୀ ଅନେ୍ଦାଳନରେ ଝାସ ଦେଇ ପୋଲିସ୍ ଗୁଳିରେ ଶିକାର ହୋଇ ସହିଦ ହେବା ସହ ଏହି ବିପ୍ଲବକୁ ଆହୁରି ତେଜିୟାନ କରିଥିଲେ । ଅନେକ ସ୍ଥାନରେ ଲୋକେ ନେତୃତକୁ ନିଜ ହାତକୁ ନେଇ ଅନେକ ଅଘଟଣ ଘଟାଇ ଥିଲେ ।

ସାର ଦେଶ ଶହ ଓଡିଶାରେ ମଧ୍ୟ ଆନେ୍ଦାଳନ ଜୋରଦାର ଚାଲିଥିଲା । କୋରାପୁଟ ମାଥାଲି ଠାରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିିବା ବେଳେ ପାଞ୍ଚଜଣ ସଂଗ୍ରାମୀ ସହିଦ୍ ହୋଇଥିଲେ । ସେହିପରି ୧୯୪୨ ସେପ୍ଟମ୍ବର ୨୮ ତାରିଖରେ ବାଲେଶ୍ୱର ଜିଲ୍ଲା ଅର୍ନ୍ତଗତ ଇରମ୍ ଠାରେ ଏକ ସଭା ଉପରେ ପୁଲିସ୍ର ଗୁଳି ବର୍ଷଣରେ ଜଣେ ମହିଳାଙ୍କ ସହିତ ୨୯ ଜଣ ସହିଦ ହୋଇଥିଲେ । ସେଦିନ ଇରମ ମାଟି ରକ୍ତ ରଂଜିତ ହୋଇଥିଲା । ସେହିପରି ୧୯୪୨ ଅଗଷ୍ଟ ୨୪ ତାରିଖରେ କୋରାପୁଟ ଜିଲ୍ଲାର ପାପଡାହାଣ୍ଡି ସ୍ଥିତ ତୁରି ନଦୀ କୂଳରେ ସତ୍ୟାଗ୍ରହୀଙ୍କ ଉପରେ ପୁଲିସ୍ ର ଆଖିବୁଜା ଗୁଳିଚାଳନାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହି ଆନେ୍ଦାଳନ ସମୟରେ ବ୍ରିଟିଶ୍ ସରକାର ଗାନ୍ଧିଜୀଙ୍କୁ ଆଗାଖାଁ ପ୍ୟାଲେସ୍ ଜେଲ୍ରେ ରଖିଥିଲେ । ଜେଲ୍ରେ ଥାଇ ବି ଗାନ୍ଧିଜୀ ଚୁପ୍ ହୋଇ ବସିନଥିଲେ । ୭୪ ବର୍ଷ ବୟସରେ ମୁକ୍ତି ସଂଗ୍ରାମ ର କର୍ଣ୍ଣଧାର ମହାତ୍ମା ଗାନ୍ଧି ୨୧ ଦିନିଆ ଅନଶନ କରିଥିଲେ । ଏହି କାରାବାସ ସମୟରେ ତାଙ୍କର ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇଙ୍କର ଦେହାନ୍ତ ହୋଇଗଲା । ୧୯୨୦ ଅସହଯୋଗ ଆନେ୍ଦାଳନ, ୧୯୩୦ ଆଇନ୍ ଅମାନ୍ୟ ଆନେ୍ଦାଳନ ଓ ପରେ ୧୯୪୨ କର ବା ମର ଆନେ୍ଦାଳନ ଗାନ୍ଧିଙ୍କ ପାଇଁ ଗୋଟିଏ ଗୋଟିଏ ଅଗ୍ନି ପରୀକ୍ଷା ଥିଲା । ବିଶେଷ କରି ଅଗଷ୍ଟ ୯ ର କର ବା ମର ଡାକରାକୁ ବଜ୍ରଶପଥ ନେଇ ସତ୍ୟାଗ୍ରହୀମାନେ ଏହି ଆନେ୍ଦାଳନରେ ସାମିଲ୍ ହୋଇଥିଲେ । ବ୍ରଟିଶ୍ ସରକାରଙ୍କ ତଥ୍ୟ ଅନୁଯାୟୀ ଏହି ଆନେ୍ଦାଳନରେ ସହାସା୍ରଧିକ ଲୋକ ସହିଦ ହୋଇଥିବା ବେଳେ ୩ ହଜାରରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କ ବଳିଦାନ ପରବର୍ତ୍ତି ପର୍ଯ୍ୟାୟରେ ସ୍ୱାଧୀନତା ପାଇଁ ବାଟ ଫିଟାଇ ଥିଲା ।ତେଣୁ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଏହି ସହିଦ ମାନଙ୍କ ନିକଟରେ ଏ ଦେଶ ସର୍ବଦା ଋଣୀ ।

ଗାନ୍ଧିଜୀଙ୍କ ସ୍ୱାଧୀନତା ସଂଗ୍ରାମର ଶେଷ ଲଢେଇକୁ ଇତି ମଧ୍ୟରେ ୭୮ ବର୍ଷ ବତିଗଲାଣାି ସେଦିନର ସେହି ତ୍ୟାଗ, ବଳିଦା. ତିତିକ୍ଷା, ମନେ ପଡିଲେ ଦେହ ମନରେ ଶିହରଣ ଆସେ । ଲୋମ ଟାଙ୍କୁରି ଉଠେ । ଆଣ୍ଠୁ ଲୁଚୁନଥିବା ସେହି ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଙ୍କ କର ବା ମର ଆହ୍ୱାନ ଏବେବି ସ୍ମୃତିର ଅଲିଭା ସ୍ୱାକ୍ଷର ହୋଇ ରହିଛି ଓ ରହିଥିବ ମଧ୍ୟ । ଏବେ ଆମ ଆଗରେ ବିରାଟ ଆହ୍ୱାନ ।ଦେଶର ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ,ଲାଠିମାଡ ଖାଇଥିବା, କାରାବରଣ କରିଥିବା ଓ ସହିଦ ହୋଇଥିବା ଅଗଣିତ ଦେଶପ୍ରେମୀଙ୍କ ତ୍ୟାଗ ଓ ବଳିଦାନକୁ ଆମେ ବ୍ୟର୍ଥ ହେବାକୁ ଦେବାନାହିଁ ।ଏହାହିଁ ଅଗଷ୍ଟ ନଅର ଅନୁଚିନ୍ତା ।

Leave A Reply