ଭୁବନେଶ୍ୱର, ୩୦ ଜୁଲାଇ – ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଗତ ତିନି ଚାରି ମାସ ଧରି ଆଶା, ଅଙ୍ଗନବାଡିକର୍ମୀ, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୁଲିସ ଓ ସରକାରୀ କର୍ମଚାରୀମାନେ କରୋନା କବଳରୁ ଲୋକଙ୍କ ଜୀବନ ବଂଚାଇବାପାଇଁ ଦିନ ରାତି କାର୍ଯ୍ୟ କରୁଛନ୍ତି କିନ୍ତୁ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନଙ୍କ କାର୍ଯ୍ୟକୁ ତାତ୍ସଲ୍ୟ କରିବାରେ ଲାଗିଛନ୍ତି ।
କରୋନା ବିରୁଦ୍ଧ ଲଢେଇ ପାଇଁ ଗଞ୍ଜାମ ଜିଲ୍ଲାକୁ ଡେପୁଟେସନରେ ଯାଉଥିବା ଡାକ୍ତରମାନଙ୍କୁ କିଭଳି ବିରୋଧ ହେଉଛି ତାହା ସମସ୍ତେ ଦେଖୁଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ଗଞ୍ଜାମ ଜିଲ୍ଲାରେ ମହାମାରୀ ନିୟନ୍ତ୍ରଣ ଲାଗି ଅଧôବକ ଡାକ୍ତର ନିଯୁକ୍ତି ହେବା ସେମାନେ ଚାହାନ୍ତି ନାହିଁ । ଗତକାଲି ମଧ୍ୟ ବିରୋଧିଦଳ ନେତା କରୋନା ଯୁଦ୍ଧରେ ଗଞ୍ଜାମକୁ ସମର୍ଥନ କରିନଥିଲେ । ଏଥିରୁ ମଧ୍ୟ ବିଜେପିର ମନୋଭାବ ପଦାରେ ପଡିଯାଇଛି ।
ଦେଶରେ ପ୍ରତି ଦୁଇ ଦିନରେ ଲକ୍ଷେ ସଂକ୍ରମିତ କରୋନା ତାଲିକାରେ ଯୋଡିହୋଇ ଯାଉଛନ୍ତି । ଯେଉଁ ହାରରେ କରୋନା ରୋଗୀ ବଢୁଛନ୍ତି ସେଥିରୁ ବିଶ୍ୱ କରୋନା ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ପହଂଚିବାର ସମ୍ଭାବନା ଉପୁଜିଲାଣି । ଏଭଳି ସ୍ଥିତିରେ ଶ୍ରୀ ବକ୍ସିପାତ୍ର ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲାରେ ଲାଗିଥିବା ଯୋଦ୍ଧାମାନଙ୍କ ପ୍ରତି ତାତ୍ସଲ୍ୟ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡକ୍ଟର ପାତ୍ର କହିଛନ୍ତି । ସଫଳ କରୋନା ମୁକାବିଲା ପାଇଁ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହେଉଛି । ନିକଟରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ କରୋନା ପରିଚାଳନା ଓ ତଥ୍ୟ ପ୍ରଦାନ କ୍ଷେତ୍ରରେ ଓଡିଶା ଦେଶର ଶ୍ରେଷ୍ଠ ତିନିଟି ରାଜ୍ୟ ମଧ୍ୟରେ ରହିଛି ।
ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କ ପ୍ରତି ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଇ ସେମାନଙ୍କୁ ହତୋତ୍ସାହିତ ନ କରିବାକୁ ବିଜେଡି ପକ୍ଷରୁ ଶ୍ରୀ ବକ୍ସିପାତ୍ରଙ୍କୁ ପରାମର୍ଶ ଦିଆଯାଇଛି । ଏଥିରୁ ତାଙ୍କର ଗଞ୍ଜାମ ବିରୋଧି ମନୋଭାବ ପଦାରେ ପଡିଥିବାବେଳେ ଗଞ୍ଜାମବାସୀ କେବେହେଲେ ଏହାକୁ ଭୁଲିବେନାହିଁ ଏବଂ ଏଥିପାଇଁ ରାଜ୍ୟ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଡକ୍ଟର ପାତ୍ର ସତର୍କ କରାଇ ଦେଇଛନ୍ତି ।