ଡ଼ଃ.ଅରୁନ୍ଧତୀ ଦେବୀ : ଚଳିତ ବର୍ଷ କରୋନା ପାଇଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ ହୋଇଯାଇଛି । ପତିତ ମାନଙ୍କୁ ପାବନ କରିବା ପାଇଁ ମହାପ୍ରଭୁ ବଡ଼ଦାଣ୍ଡ ଆଉ ଆସୁନାହାନ୍ତି । ଏହା ଅନେକ ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁଙ୍କୁ କଷ୍ଟ ଦେଇଛି । ତେବେ ଯେତେ ଦୂରରେ ଥିଲେ ବି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଭୋଗ ଓ ସେଦିନର ମିଠାକୁ ମନେପକାଉଛନ୍ତି । କେହି କେହି ଅନ୍ଲାଇନରେ ବି ମଗାଉଛନ୍ତି ବା ନିଜର ଓଡ଼ିଆ ବନ୍ଧୁମାନଙ୍କ ଦ୍ୱାରା ନେବାର ବ୍ୟବସ୍ଥା କରୁଛନ୍ତି । ହିନ୍ଦୁମାନଙ୍କ ଚାରିଧାମରୁ ପୁରୁଷୋତ୍ତମ କ୍ଷେତ୍ର ହେଉଛି ଅନ୍ୟତମ । ତକ୍ରାଳୀନ ଅଖଣ୍ଡ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ପୁରୀକୁ ତୀର୍ଥରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ । ସେଠାକାର ରାଜାମାନେ ତାଙ୍କ ଦେଶର ତୀର୍ଥଯାତ୍ରୀଙ୍କ ସୁବିଧା ନିମନ୍ତେ ଏଠାରେ ତୀର୍ଥ ଗୁରୁ ମାନଙ୍କୁ ନିୟୋଜିତ କରୁଥିଲେ ।
ତୀର୍ଥଯାତ୍ରୀମାନେ ତୀର୍ଥଗୁରୁଙ୍କ ଘରେ ଅଥବା ଡେରା (ତୀର୍ଥଯାତ୍ରୀ ରହିବା ପାଇଁ ପ୍ରସ୍ତୁତ ଘର)ରେ ରହୁଥିଲେ । ତୀର୍ଥ ଗୁରୁମାନେ ସେମାନଙ୍କ ଦର୍ଶନ, ରହଣି ଏବଂ ଖାଦ୍ୟପେୟର ବନେ୍ଦାବସ୍ତ କରୁଥିଲେ । ନିଜ ଦେଶକୁ ଫେରିବା ବେଳେ ପ୍ରତୀକ ସ୍ୱରୂପ ପୁରୀରୁ ୨ଟି ଛଡ଼ି ଏବଂ ଜଗନ୍ନାଥଙ୍କ ଶୁଖିଲା ମହାପ୍ରସାଦ ସାଙ୍ଗରେ ନେଇଯାଉଥିଲେ । ତୀର୍ଥଯାତ୍ରୀ ଫେରିବା ବେଳେ ଅଳ୍ପ କିଛି ଦକ୍ଷିଣା ଦେଇ ଘରକୁ ଆସିଲେ ସମ୍ପୂର୍ଣ୍ଣ ଦକ୍ଷିଣା ଦେବେ ବୋଲି ତୀର୍ଥଗୁରୁଙ୍କୁ କହିଯାଉଥିଲେ । ପଣ୍ଡା ମାନେ ଗୁମାସ୍ତାଙ୍କ ସହ ଜଗନ୍ନାଥଙ୍କ ଶୁଖିଲା ଭୋଗ ଧରି ସେହି ଦେଶକୁ ଯାଇ ବଣ୍ଟନ କରୁଥିଲେ ।
ଏଥିସହ ଜଗନ୍ନାଥ ଧର୍ମ ଓ ମହିମା ପ୍ରଚାର ପ୍ରସାର କରି ପୁରୀକୁ ଆସିବା ନିମନ୍ତେ ପ୍ରବର୍ତ୍ତାଉଥିଲେ । ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲି ଆସିଥିବା ପଣ୍ଡାମାନଙ୍କ ଘରେ ଥିବା ଯାତ୍ରୀ ପୁସ୍ତିକାରୁ ଜଣାପଡ଼େ । ବର୍ତ୍ତମାନ ଯୁଗରେ ସେହି ଯାତ୍ରୀମାନଙ୍କୁ ପଣ୍ଡାମାନେ ଆଶୀର୍ବାଦ ସ୍ୱରୂପ ତୁଳସୀ ଏବଂ ଜଗନ୍ନାଥଙ୍କ ଶୁଖିଲା ଭୋଗ ଯାହାକି ଏକମାସ ପର୍ଯ୍ୟନ୍ତ ସଂରକ୍ଷିତ ରହିଥାଏ ଡାକ ଯୋଗେ ପଠାଇ ଆସୁଛନ୍ତି । ଏହିଭୋଗ ପୃଥିବୀର ବିଭିନ୍ନ ଦେଶକୁ ଯାଉଥିଲେ ମଧ୍ୟ ନେପାଳ, ଶ୍ରୀଲଙ୍କା ଓ ସାଉଦିଆରବକୁ ନିୟମିତ ଭାବେ ଯାଉଛି । ଏହାଛଡ଼ା ଭାରତର ପ୍ରତ୍ୟେକ ସହରକୁ ପ୍ରଭୁ ଜଗନ୍ନାଥଙ୍କର ଶୁଖିଲା ଭୋଗ ପଠାଯାଉଛି ।
ମହାପ୍ରଭୁ ଯେଭଳି ମିଠା ପ୍ରିୟ ପୁରୀବାସୀ ମଧ୍ୟ ସେହିଭଳି ମିଠା ପ୍ରିୟ । ମହାପ୍ରଭୁଙ୍କୁ ଭୋଗ ଲାଗୁ ନଥିବା ଅନେକ ମିଠା ମଧ୍ୟ ସାହି, ଗଳି କନ୍ଦିରେ ପ୍ରସ୍ତୁତ ହୋଇତାଏ । ଏହି ମିଠାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ପିଷ୍ଟାନ୍ନ ଓ ମିଷ୍ଟାନ୍ନ ଅର୍ଥାତ୍ କେତେକ ପିଠା ଭଳି ଆଉ ତ କେତେକ ସାଧାରଣ ମିଠା ଭଳି । ପୁରୀ ମିଠାର ଆଉ ଏକ ସ୍ୱତନ୍ତ୍ରତା ହେଉଛି ଏଠାରେ ଏପରି କିଛି ମିଠା ରହିଛି ଯେଉଁଥିରେ ମିଠା ଅଂଶ ନଥାଏ । କିନ୍ତୁ ଏହା ମିଠା ଭିତରେ ଗଣାଯାଇଥାଏ । ପୁରୀର ଜାଗା, ଆଖଡ଼ାର ପହିଲିମାନ ମାନେ ଯେଉଁ ମିଠା ଖାଆନ୍ତି ସେଥିରେ ମିଠା ଅଂଶ ନଥାଏ କିନ୍ତୁ ପାଟିକୁ ମଧୁର ଲାଗେ । ଯଥା ସର, ଲବଣୀ, ପାପୁଡ଼ି ଇତ୍ୟାଦି । ତେବେ ପୂର୍ବରୁ ପୁରୀରେ ମିଳୁଥିବା ଅନେକ ମିଠା ଏବେ ହଜିଗଲାଣି । ସେଥିମଧ୍ୟରୁ ଲବଙ୍ଗଲତା, ବାଲୁସାଇ, ଖାସ୍ତାଗଜା ଅନ୍ୟତମ ।
ଲୋକଙ୍କ ରୁଚି ବଦଳିଲା । ତେଣୁ ଏହି ମିଠା ପ୍ରତି ଜନସାଧାରଣ ଆଉ ଆଗ୍ରହ ଦେଖାଇଲେ ନାହିଁ । ଫଳରେ ଧୀରେ ଧୀରେ ଏହିସବୁ ମିଠା ପ୍ରାୟ ବନ୍ଦ ହୋଇଗଲା । ଏଗୁଡ଼ିକର ସ୍ଥାନ ନେଲା ସନେ୍ଦଶ ବୋଲି କୁହନ୍ତି ପୁରୀର ପୁରାତନ ମିଠା ବ୍ୟବସାୟୀମାନେ । ଆଜି ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେଉଛି । ଅନେକ ବାହାରେ ରହୁଥିବା ଓଡ଼ିଆ ଆଧ୍ୟାତ୍ମିକ ଶ୍ରଦ୍ଧାଳୁମାନେ ମଧ୍ୟ ନିଜସ୍ୱ ଉଦ୍ୟମରେ ମନ୍ଦିର ନିର୍ମାଣ କରୁଛନ୍ତି । ସେମାନେ ସେଠାରେ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି ଓ ବର୍ଷର ବିଭିନ୍ନ ସମୟରେ ମହାପ୍ରଭୁଙ୍କ ପର୍ବପର୍ବାଣୀ ପାଳନ ମଧ୍ୟ କରୁଛନ୍ତି । ଗୋଟିଏ ଗୋଟିଏ ସ୍ଥାନରେ ପୁରୀ ପରମ୍ପରାକୁ ଗୁରୁତ୍ୱ ଦେଇ ଅନ୍ୟାନ୍ୟ ମିଠା ଓ ଶ୍ରୀଜଗନ୍ନାଥଙ୍କ ଭୋଗ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।