Odisha news

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୨ ତମ ପିଏମ୍ କିଷାନ ଉତ୍ସବ ଦିବସରେ ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି

0
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  କହିଥିଲେ ଯେ ସିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କ ପିଲାମାନଙ୍କୁ କୃଷି ବିଦ୍ୟାନିଧି ଯୋଜନାରେ ରାଜ୍ୟ ଭିତରେ ଏବଂ ବାହାରେ ଥିବା  ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଏବଂ ଆନୁସଙ୍ଗିକ, ନର୍ସିଂ, ଡିପ୍ଲୋମା ଏବଂ ଆଇଟିଆଇ ଭଳି ବୃତ୍ତିଗତ ଏବଂ ବୈଷୟିକ ପାଠ୍ୟକ୍ରମ ଅଧ୍ୟୟନ କରିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଏହା ଫଳରେ ସିଏମ୍ କିଷାନ ଯୋଜନା ହିତାଧିକାରୀ ପରିବାରର  ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷରେ ୧୩,୯୨୩ ଜଣ ଛାତ୍ରଛାତ୍ରୀ କୃଷି ବିଦ୍ୟା ନିଧି ଯୋଜନା ଅଧୀନରେ ୫୩.୬୭ କୋଟି ଟଙ୍କାର ଛାତ୍ରବୃତ୍ତି ସହାୟତା ପାଇଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ ୫ ଗୁଣ ଅଧିକ ଥିଲା । ଚଳିତ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ କୃଷିବିଦ୍ୟାନିଧି ଯୋଜନାରେ ଆଜି ସୁଦ୍ଧା  ୬୮ ହଜାର ୯୧୫ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି  ପାଇଁ ଆବେଦନ କରିଛନ୍ତି I ଏଥିପାଇଁ ସେମାନଙ୍କୁ ୨୯୦ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ ଯାହାକି ଏକ ସର୍ବକାଳୀନ ରେକର୍ଡ।
ଚାଷୀ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଏବଂ ଆମ ଅର୍ଥନୀତିର ପ୍ରକୃତ ସାରଥି। ‘ଜୟ କିଷାନ’ର ନାରାକୁ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାର ଓ ଆମ ସରକାର ସଦାସର୍ବଦା ଚେଷ୍ଟିତ। ଚାଷୀମାନଙ୍କର ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ଅସମ୍ଭବ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୨ ତମ ପିଏମ୍ କିଷାନ ଉତ୍ସବ ଦିବସରେ କୃଷକ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ କୃଷକମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ଆସାମର ଗୌହାଟୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ୨୨ତମ କିସ୍ତିରେ ଦେଶର ୯. ୩୨ କୋଟି କୃଷକଙ୍କୁ ପ୍ରାୟ ୧୯ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ସବୁ ରାଜ୍ୟର ଜିଲ୍ଲା , ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର କୃଷକମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପିଏମ-କିଷାନ ଯୋଜନା ଚାଷୀଙ୍କୁ ବିହନ, ସାର ଏବଂ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ସାହାଯ୍ୟ କରୁଛି। ଏହି ୨୦୦୦ ଟଙ୍କାର କିସ୍ତି ଏବଂ ତିନୋଟି କିସ୍ତିରେ ବର୍ଷକୁ ସର୍ବମୋଟ ୬ ହଜାର ଟଙ୍କା ହୁଏତ ସାଧାରଣ ଲୋକଙ୍କ ପାଇଁ ଏକ ସାମାନ୍ୟ ଅର୍ଥ ହୋଇପାରେ, କିନ୍ତୁ ଜଣେ କ୍ଷୁଦ୍ର ଚାଷୀ ପାଇଁ ଏହା ତାର ପରିଶ୍ରମର ଏକ ବଡ଼ ସମ୍ମାନ। ଆଜିର ଦିନକୁ, ସାରା ଦେଶ ତଥା ରାଜ୍ୟରେ ପି.ଏମ୍ କିଷାନ ଉତ୍ସବ ଦିବସ ଭାବରେ ପାଳନ କରୁଛି।  ଏଥି  ସହିତ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ମଧ୍ୟ ପାଳନ କରାଯାଉଛି। ଏହି ଅବସରରେ କୃଷକମାନଙ୍କ ମଧ୍ୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ୟକୀୟ  ଯୋଗ୍ୟତା ମାନଦଣ୍ଡ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି । ଆମ ରାଜ୍ୟରେ, ୩୪ ଲକ୍ଷ ୨୪ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀ ଭାଇଭଉଣୀମାନଙ୍କୁ, ୨୨ତମ କିସ୍ତି ବାବଦକୁ ୨ ହଜାର ଟଙ୍କା  ହିସାବରେ ସମୁଦାୟ ୬୮୪  କୋଟି ଟଙ୍କାର ଆର୍ଥିକ ସହାୟତା ମୋଦୀ ଜୀ ଆଜି ପ୍ରଦାନ କରୁଛନ୍ତି ।
ପି.ଏମ୍ କିଷାନ ଯୋଜନାରେ ଦରକାର ହେଉଥିବା ସମସ୍ତ ବାଧ୍ୟତାମୂଳକ ମାନଦଣ୍ଡ ଯଥା e-KYC, ଜମିଜମାର ବିବରଣୀ, ଆଧାର -ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍, ଆଧାର ଅନୁଯାୟୀ ନାମ ସଂଶୋଧନ ଆଦି କାର୍ଯ୍ୟ ସମାପନ କରି ଏହି ଯୋଜନାର ସମସ୍ତ ସହାୟତା ଲାଭ  କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ କରିଥିଲେ।
ସେ କହିଥିଲେ ଯେ ପି.ଏମ୍ କିଷାନ୍ ସହିତ ଆମ ସରକାର ମଧ୍ୟ ରାଜ୍ୟରେ “ସିଏମ୍ କିଷାନ” ଯୋଜନାରେ ଯୋଗ୍ୟ ଚାଷୀ ଭାଇଭଉଣୀମାନଙ୍କୁ  ଅନ୍ତର୍ଭୁକ୍ତ କରି ଦୁଇଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ୬ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସିଏମ୍ କିଷାନ ଯୋଜନା  ଅଧୀନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀଙ୍କୁ ମୋଟ ୨୯୯୧ କୋଟିରୁ ଅଧିକ ଟଙ୍କାର ସହାୟତାରାଶି ପ୍ରଦାନ କରାଯାଇଛି, ଯେଉଁଥିରେ ୩୨୩୬ ଜଣ ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ (PVTG) ର  ଚାଷୀ ଏବଂ ୩୧ ହଜାର ୬୯୫ ଜଣ ସହରାଞ୍ଚଳର ଚାଷୀ ସାମିଲ ଅଛନ୍ତି I
Govt
Leave A Reply