Odisha news

ଭଞ୍ଜନଗର : ବାରୁଡା ଗ୍ରାମକୁ ସିଲ୍ କଲା ପ୍ରଶାସନ , ବିଲିପଡା ଓ ଅନ୍ଧାରିକୋଟ ଗ୍ରାମ ବଫର୍ ଜୋନ୍ ଘୋଷିତ

0

ଭଞ୍ଜନଗର : ଭଞ୍ଜନଗର ବ୍ଲକର ବାରୁଡା ଗ୍ରାମକୁ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ସିଲ କରାଯାଇଛି । ଗ୍ରାମର ସମସ୍ତ ପ୍ରବେଶ ପଥରେ ବାଉଁଶ ବାନ୍ଧି ଲୋକଙ୍କୁ ଲକ୍ଷ୍ମଣରେଖା ପାର ନକରିବାକୁ ପରାମର୍ଶ ଦେଇଛି ବ୍ଲକ୍ ପ୍ରଶାସନ । ଏଥିସହ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବାକୁ ଜିଲ୍ଲା ପ୍ରଶାସନକୁ ସୁପାରିଶ କରାଯାଇଛି ।

ସେହିପରି ଏହି ବାରୁଡା ପଞ୍ଚାୟତର ବିଲିପଡା ଓ  ଅନ୍ଧାରିକୋଟ ଗ୍ରାମକୁ ବଫର ଜୋନ୍ ଘୋଷଣା କରାଯିବାକୁ ମଧ୍ୟ ସୁପାରିଶ କରାଯାଇଛି । କରୋନା ଏବେ ଭଞ୍ଜନଗର ଇଲାକାର ଗାଆଁ ଗଣ୍ଡାରେ ପଶିଥିବା ସ୍ପଷ୍ଟ ହୋଇଯାଇଛି । ତେବେ ଏହା ଏବେବି ଗୋଷ୍ଟୀ ସଂକ୍ରମଣ ଆଡକୁ ଯାଇନଥିବା ଜିଲ୍ଲା ପ୍ରଶାସନ ସୂଚୀତ କରିଛି । ଲୋକମାନେ ଜିଲ୍ଲା ପ୍ରଶାସନର ଗାଇଡ ଲାଇନ୍ ମାନି କୋଭିଡ ନିୟମକୁ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ସୁଚନାଯୋଗ୍ୟଯେ ପୂର୍ବରୁ ଭଞ୍ଜନଗର ବ୍ଲକର ବ୍ରାହ୍ମଣପଦର ପଞ୍ଚାୟତର ଝାଲିଆଗୋଛା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ଏବେ ଏଥିରେ ବାରୁଡା ଗ୍ରାମ ସାମିଲ ହୋଇଛି । ଝାଲିଆଗୋଛା ଗ୍ରାମର ୬ଜଣ ଦୋକାନୀ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏବେ ବାରୁଡା ଗ୍ରାମର ୨ଜଣ ଦୋକାନୀ ପଜିଟିଭ୍ ଚିହ୍ନଟ ହେବା ପ୍ରଶାସନର ଚିନ୍ତାକୁ ବଢାଇ ଦେଇଛି । ଝାଲିଆଗୋଛା ଗ୍ରାମର ୨ଜଣ ସେଲୁନବାଲା ଗାଲେରୀରେ ଦୋକାନ ଚଳାଇଥିବାରୁ ଏମାନେ କାଳେ ସୁପର ସ୍ପେଡର ହେବେ ଏହି ଆଶଙ୍କା ଏବେ ପ୍ରଶାସନକୁ ଘାରିଛି । ସେହପରି ବାରୁଡା ଗ୍ରାମରୁ ଶତାଧିକ ଯୁବକ ଗୁଜୁରାଟର ସୁରାଟରୁ ଫେରି ସଂଗରୋଧ କେନ୍ଦ୍ରରେ ରହିବାପରେ ଗାଆଁକୁ ଫେରିଛନ୍ତି ।

କାଳେ ଏହିମାନଙ୍କ ଭିତରୁ ଏବେ କିଛି ସଂକ୍ରମିତ ଥାଇପାରନ୍ତି ଓ ଦୋକାନୀମାନେ ସେମାନଙ୍କ ସଂସ୍ପର୍ଶରେ ଆସି ଏଥିରେ ଆକ୍ରାନ୍ତ ହୋଇଥାଇପାରନ୍ତିବୋଲି ଆଶଙ୍କା କରାଯାଇଛି । ଏଥିପାଇଁ ଦୋକାନୀମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଭଞ୍ଜନଗର ବିଡିଓ ଅନୀଲ କୁମାର ସେଠୀ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ବାରୁଡା ସରପଞ୍ଚ ହରପ୍ରସାଦ ଗୌଡ ପ୍ରମୁଖ ପୁଲିସ ବଳଙ୍କ ଉପସ୍ଥିତିରେ ବାରୁଡାରେ ପହଞ୍ଚି ଗ୍ରାମର ବିଭିନ୍ନ ପ୍ରବେଶ ପଥକୁ ସିଲ କରିଛନ୍ତି । କେବଳ ବାରୁଡା ନୁହଁ ବିଲିପଡା ଓ ଅନ୍ଧାରିକୋଟ ଗ୍ରାମକୁ ମଧ୍ୟ ବଫର୍ ଜୋନ ଘୋଷଣା କରାଯିବାକୁ ସୁପାରିଶ କରି ସିଲ କରିଛି ପ୍ରଶାସନ ।

ଏଠାରେ ପୁଲିସ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଡା ପହରା ଦିଆଯିବବୋଲି ଥାନା ଅଧିକାରୀ ସୁଦୀପ୍ତ କୁାମର ସାହୁ ସୁଚନା ଦେଇଛନ୍ତି । ଲୋକଙ୍କୁ ବିନା କାରଣରେ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ସାମାଜିକ ଦୂରତା ବଜାୟ ରଖିବାସହ ଘରୁ ପଦାକୁ ବାହାରିଲେ ନିଶ୍ଚିତଭାବେ ମାସ୍କ ପିନ୍ଧିବାକୁ ବିଡିଓ ସେଠୀ ପରାମର୍ଶ ଦେଇଛନ୍ତି । ଏହି ଗ୍ରାମରେ ସର୍ବାଧିକ ସୁରାଟ ଫେରନ୍ତା ରହିଥିବାରୁ କାଳେ ସାରା ଗ୍ରାମକୁ ଏହା ସଂକ୍ରମିତ କରିବ ସେହି ଆଶଙ୍କାରେ ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ଖୁବଶୀଘ୍ର ଉକ୍ତ ଗ୍ରାମରେ ଜିଲ୍ଲାସ୍ତରୀୟ ମେଡିକାଲ ଟିମ୍ ଆସି ଗ୍ରାମକୁ ସଂପୂର୍ଣ୍ଣ ବିଶୋଧନ କରିବାସହ ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଅନପକ୍ଷରେ ବ୍ରାହ୍ମଣପଦର ପଞ୍ଚାୟତର ଝାଲିଆଗୋଛା ଗ୍ରାମକୁ ଶନିବାର ଜିଲ୍ଲାରୁ ଆସିଥିବା ମେଡିକାଲ ଟିମ୍ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗର ଟିମ୍ କରୋନା ମୁକାବିଲା ପାଇଁ ସଚେତନ ମଧ୍ୟ କରିଛନ୍ତି । ସୁଚନାଯୋଗ୍ୟଯେ ଗୁରୁବାର ଭଞ୍ଜନଗର ବ୍ଲକର ବ୍ରାହ୍ମଣପଦର ପଞ୍ଚାୟତର ଝାଲିଆଗୋଛା ଗ୍ରାମରୁ ୬ଜଣ ପଜିଟିଭ୍ ଓ ବେଡିଗୋବା ଗ୍ରାମରୁ ଜଣେ ପଜିଟିଭ୍ ଚିହ୍ନଟ ହେବାପରେ ଝାଲିଆଗୋଛା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ଗ୍ରାମକୁ ସଂପୂର୍ଣ୍ଣ ସିଲ କରି ସାରିଛି ବ୍ଲକ ପ୍ରଶାସନ ।  ସେହିପରି ବିଲୁଆପଡା, ଗାଲେରୀ ଓ ବ୍ରାହ୍ମଣପଦର ଗ୍ରାମକୁ ବଫର ଜୋନ୍ ଘୋଷଣା କରି ପରିସ୍ଥିତି ଉପରେ ବ୍ଲକ ପ୍ରଶାସନ ନଜର ରଖିଛି ।

Leave A Reply