Odisha news

ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧୋତ୍ସବରେ କେନ୍ଦ୍ରମନ୍ତ୍ରୀ , ତ୍ୟାଗ ଓ ସେବାରେ ହିମାଳୟ ଠାରୁ ବହୁତ ବଡ଼ ଥିଲେ ପଣ୍ଡିତ ଗୋପବନ୍ଧୁ – ଧର୍ମେନ୍ଦ୍ର ପ୍ରଧାନ

0
• ପଣ୍ଡିତ ଗୋପବନ୍ଧୁ ଦାସ  ଏବଂ ସ୍ୱର୍ଗତ ନିରଞ୍ଜନ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଶାରେ ସେବାର ପର୍ଯ୍ୟାୟବାଚୀ ଶବ୍ଦ ହେଲା ଗୋପବନ୍ଧୁ ଦାସ
• ପଣ୍ଡିତ ଗୋପବନ୍ଧୁ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ଚେହେରା
• ଭାରତବର୍ଷରେ ଓଡ଼ିଶାକୁ ପରିଚୟ ଦେଇଥିବା ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ହେଉଛନ୍ତି ଗୋପବନ୍ଧୁ
• ଗୋପବନ୍ଧୁ ମଧ୍ୟ ଦେଶର ସଂଘର୍ଷମୟ ସ୍ଥିତିରେ ଆମ ରାଜ୍ୟରେ ସତ୍ୟବାଦୀ ବକୁଳବନ ବିଦ୍ୟାଳୟ ତିଆରି କରିଥିଲେ, ଯାହା ତାଙ୍କ ଦୂରଦୃଷ୍ଟିର ପ୍ରତିଫଳନ
• ସେ ନୀର୍ଭିକ ସାମ୍ବାଦିକତାକୁ ପେଶା କରିଥିଲେ,ତାଙ୍କ ଭଳି ମହାପୁରୁଷ ଯଦି ୭୦ରୁ ୮୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଥାନ୍ତେ ତେବେ ରାଷ୍ଟ୍ରୀୟ ଆନ୍ଦୋଳନର ଜନକ ହୋଇଥାନ୍ତେ
• ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଚାର ଅନୁସାରେ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରଣୟନ ହୋଇଛିକଟକ, ଜୁନ ୨୬ – ଓଡ଼ିଶାରେ ସେବାର ପର୍ଯ୍ୟାୟବାଚୀ ଶବ୍ଦ ହେଲା ଗୋପବନ୍ଧୁ ଦାସ । ପଣ୍ଡିତ ଗୋପବନ୍ଧୁ ତ୍ୟାଗ ଓ ସେବାରେ ହିମାଳୟ ଠାରୁ ବି ବହୁତ ବଡ ଥିଲେ ବୋଲି ଗୁରୁବାର କଟକ ସାରଳା ଭବନ ପରିସରରେ ଲୋକସେବକ ମଣ୍ଡଳ ଆନୁକୂଲ୍ୟରେ ଆୟୋଜିତ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧୋତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପଣ୍ଡିତ ଗୋପବନ୍ଧୁ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ଚେହେରା । ଭାରତବର୍ଷରେ ଓଡ଼ିଶାକୁ ପରିଚୟ ଦେଇଥିବା ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ହେଉଛନ୍ତି ଗୋପବନ୍ଧୁ । ପଣ୍ଡିତ ଗୋପବନ୍ଧୁ ବାଲ୍ୟକାଳରୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସର୍ବସ୍ୱ ସମାଜକୁ ସମର୍ପିତ କରିଥିଲେ । ମହାତ୍ମା ଗାନ୍ଧୀ, ରବୀନ୍ଦ୍ର ନାଥ ଟାଗୋର, ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦ, ମଦନ ମୋହନ ମାଲବୀୟ ଓ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଭଳି ମହାପୁରୁଷମାନେ ସାମଗ୍ରିକ ଏବଂ ବହୁଭାଷୀ ଶିକ୍ଷାର ପରିକଳ୍ପନା କରିଥିଲେ । ମୌଲାନା ଆଜାଦ ଏବଂ ଓଡ଼ିଶାର ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିବିଶେଷମାନେ ଜାତୀୟ ପ୍ରଗତିରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ଗୋପବନ୍ଧୁ ମଧ୍ୟ ଦେଶର ସଂଘର୍ଷମୟ ସ୍ଥିତିରେ ଆମ ରାଜ୍ୟରେ ସତ୍ୟବାଦୀ ବକୁଳବନ ବିଦ୍ୟାଳୟ ତିଆରି କରିଥିଲେ, ଯାହା ତାଙ୍କ ଦୂରଦୃଷ୍ଟିର ପ୍ରତିଫଳନ । ତାଙ୍କର ବିଚାର ଓ ଆଦର୍ଶ ଶତାବ୍ଦୀ ଶତାବ୍ଦୀ ଧରି ଯୁବ ସମାଜକୁ ଅନୁପ୍ରାଣିତ କରିବ ।

ପଣ୍ଡିତ ଗୋପବନ୍ଧୁ ଏକାଧାରରେ ବହୁବିଧ ବ୍ୟକ୍ତି ଥିଲେ । ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମକୁ ଆଗକୁ ନେବା ସହ ଗୋଟିଏ ସମୟରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ନେତୃତ୍ୱ ନେଉଥିଲେ । ଏହାସହ ଓଡ଼ିଶାକୁ ଭାଷା ଭିତ୍ତିରେ ଗଢିବା ପାଇଁ ଅଦମ୍ୟ ପ୍ରଚେଷ୍ଟା କରୁଥିଲେ । ଲୋକମାନଙ୍କ ମଧ୍ୟରେ ସ୍ୱାଧୀନତାର ନୂଆ ଜାଗରଣ ତିଆରି କରିଥିଲେ ।  ନିର୍ଭୀକ ସାମ୍ବାଦିକ ଭାବେ ଇଂରେଜମାନଙ୍କୁ ସମାଲୋଚନା ମଧ୍ୟ କରୁଥିଲେ । ନୀର୍ଭିକ ସାମ୍ବାଦିକତାକୁ ପେଶା କରିଥିଲେ । ଏକାଧାରରେ ବହୁ ଆୟାମୀ ବ୍ୟକ୍ତିତ୍ୱର ଧନୀକ ବ୍ୟକ୍ତି ଥିଲେ ଗୋପବନ୍ଧୁ । ମହାତ୍ମା ଗାନ୍ଧୀ ମଧ୍ୟ ଗୋପବନ୍ଧୁ ଜଣେ ଉଚ୍ଚକୋଟୀର ନେତୃତ୍ୱ ଥିଲେ ବୋଲି କହିଥିଲେ । ତାଙ୍କ ଭଳି ମହାପୁରୁଷ ଯଦି ୭୦ରୁ ୮୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଥାନ୍ତେ ତେବେ ସେ ରାଷ୍ଟ୍ରୀୟ ଆନ୍ଦୋଳନର ଜନକ ହୋଇଥାନ୍ତେ । ଓଡ଼ିଶା ଓ ଦେଶ ପ୍ରତି ତାଙ୍କର ଅବଦାନ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି ।

ଓଡ଼ିଶାର ସମ୍ଭାବନା ଉପରେ ଆଲୋକପାତ କରିବା ସହ ଶ୍ରୀ ପ୍ରଧାନ କହିଥିଲେ ଯେ ଆମ ଆଗରେ ୨୦୩୬ର ବିକଶିତ ଓଡ଼ିଶାର ଲକ୍ଷ୍ୟ ରହିଛି ।  ସମ୍ରାଟ ଖାରବେଳ, କପିଳେନ୍ଦ୍ର ଦେବ ଓଡ଼ିଶାକୁ ଗୌରବଶାଳୀ କରିଥିଲେ। କଳିଙ୍ଗ ଯୁଦ୍ଧରୁ ଅଶୋକଙ୍କ ସାମ୍ରାଜ୍ୟକୁ ଆମେ ପ୍ରତିହତ କରିଥିଲେ । ଆମ ମୂଳ ଆଧାରରେ ଅସ୍ମିତା ଅଛି । ଓଡ଼ିଆ ଅସ୍ମିତା କେବଳ ରାଜନୈତିକ ବିଷୟ ନୁହେଁ ।  ଓଡ଼ିଆ ଅସ୍ମିତା ହଜାର ହଜାର ବର୍ଷ ପୂର୍ବର ଓଡ଼ିଆ ଲୋକଙ୍କ ଦୃଢ଼ତାକୁ ପ୍ରତିପାଦନ କରିବା ହେଉଛି ଓଡ଼ିଆ ଅସ୍ମିତା । ଖାରବେଳ, କପିଳେନ୍ଦ୍ର ଦେବ, ଗୋପବନ୍ଧୁ, ମଧୁବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ ଥିଲେ । ସମାଜରେ ସାହିତ୍ୟ, ଭାଷା, ସଂସ୍କୃତି, ସମ୍ଭାବନା, ମୂଲ୍ୟବୋଧ କଣ ହେବ, ଆଧୁନିକତା କେଉଁ ଆଧାରରେ ହେବ ଆଜି ଆଲୋଚନାର ବିଷୟ। ଆମ ସରକାର ବକୁଳ ବନ ବିଦ୍ୟାଳୟର ପୁନଃ ଉଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି । ସମାଜ ଖବର କାଗଜ ନିଜକୁ ଓଡ଼ିଶାରେ ନବସୃଜନ ପାଇଁ,  ବିଚାର ସୃଷ୍ଟି ପାଇଁ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଚାରକୁ ପୁନର୍ଜୀବିତ କରିବା ପାଇଁ ଦାୟିତ୍ଵ ନେବା ଦରକାର । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଯେଉଁ ଲେଖାକୁ ଆମେ ପିଲା ଦିନେ ପଢ଼ିଥିଲେ ଯାହା ୧୦୦ ବର୍ଷ ପୂର୍ବରୁ ଲେଖା ହୋଇଥିଲା, ତାହାକୁ ନରେନ୍ଦ୍ର ମୋଦୀ ନୂତନ ଶିକ୍ଷାନୀତିରେ ଲାଗୁ କରିଛନ୍ତି । ଓଡ଼ିଶାକୁ ଆଉ ଥରେ ବୈଭବଶାଳୀ, ପୃଥିବୀର ପ୍ରୟୋଗଶାଳା, ବିକଶିତ ଭାରତ କରିବାକୁ ହେଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଚାରକୁ ପୁନର୍ଜୀବିତ କରିବାକୁ ହେବ। ଆଜି ସମାଜରେ ନିଜେ ନୁହେଁ ସମୂହର ବିଚାରକୁ ପ୍ରତିଷ୍ଠା କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧୋତ୍ସବରେ ଯୋଗଦେବା ଅବସରରେ ତାଙ୍କ ପ୍ରତିମୂର୍ତ୍ତି ଏବଂ ଲୋକସେବକ ମଣ୍ଡଳର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ, ପ୍ରବୀଣ ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିରଞ୍ଜନ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 

Leave A Reply