Odisha news

ଆମ ପୋଷାକ ଆମ ପରିଚୟ ଅଭିଯାନରେ ସାମିଲ ହେଲେ ଓଡ଼ିଶାବାସୀ

ସରକାରୀ, ବେସରକାରୀ କାର୍ଯ୍ୟାଳୟ ଠାରୁ ନେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ପାରମ୍ପରିକ ପୋଷାକରେ ପ୍ରଦର୍ଶିତ ହେଲା ଓଡ଼ିଆ ଅସ୍ମିତା ହସ୍ତତନ୍ତ ବସ୍ତ୍ର ପରିଧାନ କରିବା ଏବଂ ଏଥିରେ ସେଲ୍ଫି ନେଇ ସାମାଜିକ ଗଣମାଧ୍ୟମ ଓ ଓଡ଼ିଆ ପକ୍ଷ ୱେବସାଇଟରେ ଅପଲୋଡ଼ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ

0

ଭୁବନେଶ୍ୱର , ୩ ଏପ୍ରିଲ, ୨୦୨୫ : ରାଜ୍ୟରେ ପ୍ରଥମ ଥର ଏପ୍ରିଲ୍ ୧ ତାରିଖରୁ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଓଡ଼ିଆ ପକ୍ଷ। ଓଡ଼ିଶାର ହସ୍ତତନ୍ତ ପୋଷାକର ଅନନ୍ୟ ବୈଶିଷ୍ଟତା ରହିଛି। ଏହା ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ। ପ୍ରାକୃତିକ ରଙ୍ଗ ଏବଂ ଉପାଦାନ ବ୍ୟବହାର କରି ଏହାକୁ ବୁଣାଯାଇଥାଏ। ହସ୍ତତନ୍ତ ଓ ଓଡ଼ିଶାର ବୟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଆ ପକ୍ଷ ପାଳନର ତୃତୀୟ ଦିବସରେ ଆୟୋଜିତ ହୋଇଛି ଆମ ପୋଷାକ ଆମ ପରିଚୟ ଅଭିଯାନ।

ଆଜିର ଏହି ବୟନ ଅସ୍ମିତାର ମହାପର୍ବରେ ସାମିଲ ହୋଇଛନ୍ତି ଓଡ଼ିଶାବାସୀ।ସରକାରୀ, ବେସରକାରୀ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀଙ୍କ ଠାରୁ ନେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ପର୍ଯ୍ୟନ୍ତ ସବୁଠି ଆଜି ପାରମ୍ପରିକ ପୋଷାକ ପରିଧାନରେ ଓଡ଼ିଆ ଅସ୍ମିତାର ଏକ ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଛି।

ଆମ ପୋଷାକ ଆମ ପରିଧାନ ଅଭିଯାନରେ ଓଡ଼ିଶାବାସୀ ଆଜି ସାମିଲ ହେବା ସହିତ ସମସ୍ତେ ନିଜର ଏବଂ ନିଜ ବନ୍ଧୁ ପରିଜନଙ୍କ ସହିତ ସେଲ୍ଫି ଉଠାଇ ଓଡ଼ିଆ ପକ୍ଷ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ୱେବସାଇଟ୍ ଓଡ଼ିଆ ପକ୍ଷ. କମ୍ ରେ ଏହାକୁ ଅପଲୋଡ଼ ମଧ୍ୟ କରିଛନ୍ତି।

Leave A Reply