ସାଲେପୁର,୨୪/୮:- ଦ୍ୱାପର ଯୁଗର ପୌରାଣିକ କଥାଵସ୍ତୁ ଉପରେ ଆଧାରିତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ କୁଣ୍ଡିକଳ୍ପ ମାଳିକା ବର୍ଣିତ ରୁକ୍ମିଣୀଙ୍କ ପିତା ରାଜା ଭୀଷ୍ମକ ନଗ୍ର କୁହାଯାଉଥିବା ଶିଶୁଆ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ କୁଣ୍ଡି ନଈ ପାର୍ଶ୍ୱରେ ଥିବା ମା କନକ ଦୁର୍ଗାଙ୍କ ମନ୍ଦିରରେ ରୁକ୍ମିଣୀ ବିବାହ ଓ ପିତ୍ରାଳୟ ଗମନ ଉତ୍ସବ ପାଳନ ଅନୁଷ୍ଠିତ ହୋଇଥିଲା। ସ୍ୱପ୍ନାଦେଶ ଅନୁଯାୟୀ ମାହାଳ ଜଗନ୍ନାଥ ମନ୍ଦିର ଠାକୁର ରାଜା ପ୍ରଶାନ୍ତ କୁମାର ନାୟକ କହିବା ଅନୁଯାୟୀ ମାହାଳ ଜଗନ୍ନାଥ ମନ୍ଦିରରୁ ପ୍ରଭୂ ଶ୍ରୀକୃଷ୍ଣ ଆସି କୁଣ୍ଡି ନଗ୍ରରେ ପୂଜା ପାଉଥିବା ମା କନକ ଦୁର୍ଗାଙ୍କ ପୀଠରୁ ମା ରୁକ୍ମିଣୀଙ୍କୁ ନେଇ ୧୮/୬ରେ ରୁକ୍ମିଣୀ ହରଣ ତିଥିରେ ମାହାଳ ଜଗନ୍ନାଥ ମନ୍ଦିର ଠାରେ ବିବାହ କରାଯାଇଥିଲା। ବିବାହର କିଛିଦିନ ପରେ ଝିଅ ବାପ ଘରକୁ ଆସିବାର ପରମ୍ପରା ଅନୁଯାୟୀ କୁଣ୍ଡିନଗ୍ର ବାସୀ କୁହାଯାଉଥିବା ଏହି ଅଞ୍ଚଳ ବାସୀଙ୍କ ତରଫରୁ ମାହାଳ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ଯାଇଥିଲା।ଏହି ନିମନ୍ତ୍ରଣ ରକ୍ଷା କରି କଂସାରୀ ପକ୍ଷ ଅଙ୍ଗ ଭେଟ ତୃତୀୟା ତିଥିରେ ପ୍ରଭୁ ଶ୍ରୀକୃଷ୍ଣ ମା ରୁକ୍ମିଣୀଙ୍କୁ ସାଙ୍ଗରେ ଧରି ଶିଶୁଆ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ ଥିବା ପ୍ରଭୁ ଲକ୍ଷ୍ମୀନୃସିଂହଙ୍କ ମନ୍ଦିରରେ ପହଞ୍ଚି ଥିଲେ।ସେଠାରେ ପ୍ରଭୁ ଓ ମା ଙ୍କୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭବ୍ୟ ସ୍ୱାଗତ କରାଯାଇଥିଲା।ଏହାପରେ ଝିଅ ଜ୍ବାଇଁଙ୍କୁ ନଗର ପରିକ୍ରମା କରିବା ପାଇଁ ସୁସଜ୍ଜିତ ପାଲିଙ୍କିରେ ପ୍ରଭୁ ଶ୍ରୀ କୃଷ୍ଣ ଓ ମା ରୁକ୍ମିଣୀଙ୍କୁ ବସାଇ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଘଣ୍ଟା ଘଣ୍ଟ ଖୋଳ ତାଳ ମୃଦଙ୍ଗ ବଜାଇ ଅଞ୍ଚଳର କନକ ଦୁର୍ଗା ମନ୍ଦିର,ଚଉକିବଟ,ଛାଟଖମ୍ବ ପୀଠ,ଯୋଗେଶ୍ୱର ପୀଠ, କାଳିକୋଇଲି ପୀଠ ଦେଇ ବଳଭଦ୍ରପୁରସ୍ଥ ହନୁକ୍ଷେତ୍ରପାଳି ପୀଠ ଠାରେ ପହଞ୍ଚିଥିଲେ।ସେଠାରେ ଭକ୍ତିମୟ ପରିବେଶ ମଧ୍ୟରେ ପୂଜା ପାଠ କରାଯାଇଥିଲା।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।ସେଠାରେ ଭଜନ ପରିବେଷଣ କରିବା ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମକୁ ମାହାଳ ଠାକୁର ରାଜା ପ୍ରଶାନ୍ତ କୁମାର ନାୟକ, ମନ୍ଦିର ପଣ୍ଡିତ ସୁଧାଂଶୁ ଆଚାର୍ଯ୍ୟ, ଗୌରୀ ପ୍ରସାଦ ପଣ୍ଡା, କବିପ୍ରସାଦ ମହାରଣା, ଧ୍ରୁବ ଚରଣ ଲେଙ୍କା, ସବ୍ୟସାଚୀ କାନୁନଗୋ, ଲକ୍ଷ୍ମୀ ନାରାୟଣ ନାୟକ, ସେବକ ସଚ୍ଚିଦାନନ୍ଦ ବାରିକ, ଡାକ୍ତର ସରୋଜ କୁମାର ନାୟକ, ରବୀନ୍ଦ୍ର କୁମାର ବେହେରା, ଦିବାକର ପ୍ରଧାନ, ତପନ କୁମାର ଦାଶ, ଡ଼ଃ ଉମେଶ ଚନ୍ଦ୍ର ପତି, ଅଵତନ ଷଡଙ୍ଗୀ ଓ ବିଜୟଲକ୍ଷ୍ମୀ ଦାସଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।