ଦଶପଲ୍ଲା : ଦଶପଲ୍ଲା ର ଐତିହାସିକ ଲଙ୍କାପୋଡି ଯାତ୍ରା ସାରା ଭାରତ ବର୍ଷ ରେ ବେଶ ପ୍ରସିଦ୍ଧି ଲାଭ କରିଛି । ଏହି ଲଙ୍କାପୋଡି ଯାତ୍ରା ଯେତିକି ପ୍ରସିଦ୍ଧ , ଲଙ୍କାପୋଡି ଯାତ୍ରା ରେ ଶୋଭା ପାଉଥିବା ଚଳନକ୍ଷମ କାଠ ନିର୍ମିତ ଦଶାନନ ରାବଣ ଓ କାଠ ନିର୍ମିତ ଚଳନକ୍ଷମ ପୁଷ୍ପକବିମାନ ସେତିକି ପ୍ରସିଦ୍ଧ । ରାବଣ କହିଲେ ହଠାତ ମନକୁ ଅସୁର ବୋଲି ଆସୁଥିବା ବେଳେ ପ୍ରକୃତ ରେ ରାବଣ ଜଣେ ରୁକବେଦ ର ଭାଶ୍ୟକାର, ଶିବଙ୍କ ଧର୍ମପୁତ୍ର, ଶକ୍ତି ସାଧକ,ଶ୍ରେଷ୍ଠ ବ୍ରହ୍ମଣ ,ଶ୍ରେଷ୍ଠ ପଣ୍ଡିତ ,ରାବଣ ସଂହିତାର ରଚୟିତା ବିଶ୍ରବା ନନ୍ଦନ ରାବଣ । ରାମାୟଣ ରେ ଗୋଟିଏ ପାର୍ଶ୍ୱରେ ପ୍ରଭୁ ଶ୍ରୀରାମ ଙ୍କ ଧର୍ମଯୁଦ୍ଧ ଓ ଅନ୍ୟ ପାର୍ଶ୍ୱରେ ରାବଣ ର ରାଜଧର୍ମ ଯୁଦ୍ଧ ଓ ଶେଷରେ ଶ୍ରୀରାମ ଙ୍କ ବାଣ ରେ ରାବଣ ର ନିଧନ ପରେ ସ୍ୱର୍ଗପ୍ରାପ୍ତି ରାମାୟଣ ର ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ରାବଣ ର ପରାକ୍ରମ ବେଶ ଅଦ୍ଭୁତ ଓ ସ୍ବୀକାର୍ଯ୍ୟ । ଦଶପଲ୍ଲା ରେ ରାବଣ କୁ ବହୁ ମାନ୍ୟ ପୂଜାର୍ଚନା କରାଯାଇଥାଏ । ପରମ୍ପରା ଅନୁଯାୟୀ ଦଶପଲ୍ଲା ର କାଷ୍ଠ ନିର୍ମିତ ରାବଣ କୁ ସୀତାହରଣ ଦିନ ଠାରୁ ଦେଖିବାକୁ ମିଳିଥାଏ । କାଠ, ବାଉଁଶ, ନଡ଼ା ରେ ତିଆରି ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ରାବଣ ବେଶ ସୌନ୍ଦର୍ଯ୍ୟପୂର୍ଣ ଓ ଆକର୍ଷଣୀୟ । ବିଭିନ୍ନ ଅସ୍ତ୍ରରେ ସୁସଜିତ ହୋଇ ଏହି ରାବଣ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ର ଶୋଭାବର୍ଧନ କରିଥାଏ । ପରମ୍ପରା ଅନୁଯାୟୀ ସୀତାଚୋରି ଦିନ ଏହି କାଷ୍ଠ ନିର୍ମିତ ରାବଣ କୁ ଶ୍ରେଷ୍ଠ ବ୍ରହ୍ମଣ ମାନଙ୍କ ଦ୍ୱାରା ପୂଜାର୍ଚନା କରାଯାଇ ଜୀବନ୍ୟାସ କରାଯାଇଥାଏ । ଏହାସହ ଗଜା ମୁଆଁ ଓ ହଣ୍ଡାଏ ପଣା ପୂଜା କରାଯିବା ପରେ ରାବଣ କୁ ଦଣ୍ଡାୟମାନ କରାଯାଇଥାଏ । ସବୁଠାରୁ ବଡ କଥା ହେଉଛି । ରାବଣ ପାଖରେ ଲାଗୁଥିବା ଗଜାମୁଆଁ ଏବଂ ପଣା କେହି ଭକ୍ଷଣ କରନ୍ତି ନାହିଁ । ଏହାକୁ ମାଟିତଳେ ପୋତିଦିଆଯାଇଥାଏ । ଏଭଳି ସାଜସଜା ପୂର୍ଣ ସଶସ୍ତ୍ର କାଠ ନିର୍ମିତ ୩୫ ଫୁଟ ଉଚତା ବିଶିଷ୍ଟ ରାବଣ ଲଙ୍କାପୋଡି ରାବଣ ନିଧନ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ପରମ୍ପରା ଅନୁଯାୟୀ ରାମଲୀଳା ନାଟକ ରେ ରାବଣ ଭୂମିକାରେ ନାଚ କରୁଥିବା କଳାକାର ରାମ ଙ୍କ ସହ ଯୁଦ୍ଧ କରି କିଛିବାଟ ଆସିବା ପରେ ଚାଲି ଯାଆନ୍ତି । ମାତ୍ର ଶ୍ରୀରାମ ଓ ଲକ୍ଷ୍ମଣ ଭୂମିକା ରେ ନୃତ୍ୟ ପରିବେଷଣ କରୁଥିବା କଳାକାର ମାନେ ରଥରେ ରହି ଆଗକୁ ଆଗକୁ ବଢି ଚାଲିଥିବା ବେଳେ ଏହି କାଠ ନିର୍ମିତ ରାବଣ ପଛ ଘୁଞ୍ଛା ଦେଇ ପଛକୁ ପଛକୁ ନିଆଯାଇଥାଏ । ଶେଷରେ ଶ୍ରୀରାମ ଙ୍କ ବ୍ରହ୍ମ ଅସ୍ତ୍ର ରେ ରାବଣ ନିଧନ ନାଟକ ଶେଷ ହେବା ପରେ ପରେ ଏହି କାଠ ନିର୍ମିତ ରାବଣ ର ମୁଖ୍ୟ ମୁଣ୍ଡ କୁ ବଙ୍କାକରି ଦିଆଯାଇଥାଏ । ଏଭଳି ରାମ ରାବଣ ଯୁଦ୍ଧ ଅନ୍ୟ କେଉଁଠାରେ ଦେଖିବାକୁ ମିଳି ନଥାଏ । ଏହି ଯୁଦ୍ଧ ଦେଖିବାକୁ ଏବଂ ଶ୍ରୀରାମ ଙ୍କ ବ୍ରହ୍ମ ଅସ୍ତ୍ର ରେ ରାବଣ ନିଧନ ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥିବାବେଳେ ଏହାକୁ ଦେଖିବାକୁ ବହୁ ଜନସମାଗମ ହୋଇଥାଏ । ଯାହାକି ଅନ୍ୟ କୌଣସିଠାରେ ଏଭଳି ଦେଖିବାକୁ ମିଳେନାହିଁ । ଏଣୁ ଦଶପଲ୍ଲା ରାବଣ ପ୍ରସିଦ୍ଧ ବୋଲି ବହୁ ମତ ଦିଅନ୍ତି ।